ବଲାଙ୍ଗିର (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗର ଏକ ଘରୋଇ ପବ୍ଲିକ ସ୍କୁଲର ଜଣେ ଶିକ୍ଷୟିତ୍ରୀ ସାତ ଦିନ ହେଲା ନିଖୋଜ ଅଛନ୍ତି। ତାଙ୍କୁ ସ୍କୁଲ୍ ମାଲିକ ଅପହରଣ କରି ହତ୍ୟା କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ବଲାଙ୍ଗିର ପୁଲିସ ସ୍କୁଲ ମାଲିକଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତାଙ୍କର ଏକ କାର୍ ଜବତ କରିଥିବା ଜଣାପଡ଼ିଛି । ନିଖୋଜ ଶିକ୍ଷୟିତ୍ରୀ ଜଣଙ୍କ ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଝରଣୀ ଗାଁର ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଗତ ୭ ତାରିଖରେ ଏହି ଶିକ୍ଷୟିତ୍ରୀଙ୍କୁ ସ୍କୁଲକୁ ଡାକିଥିଲେ ଏହାର ମାଲିକ। ସେ (ସ୍କୁଲ୍ ମାଲିକ) ତାଙ୍କୁ ସିନ୍ଧେକେଲାର ଚାନ୍ଦୋତରା ପର୍ଯ୍ୟନ୍ତ ଆସିବାକୁ କହିଥିଲେ। ସେଠାରୁ ସେ କାର୍ରେ ନେଇଯିବେ ବୋଲି କହିଥିଲେ।
୮ ତାରିଖରେ ଶିକ୍ଷୟିତ୍ରୀ ଜଣଙ୍କ ବସ୍ରେ ଚାନ୍ଦୋତରା ପର୍ଯ୍ୟନ୍ତ ଯାଇଥିଲେ। ତା’ପରେ ତାଙ୍କ ଫୋନ୍ ସ୍ୱିଚ୍ ଅଫ୍ ହୋଇଯାଇଥିଲା। ପରିବାର ଲୋକେ ତାଙ୍କ ସହ ଯୋଗାଯୋଗ କରିବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। କୌଣସି ଅଘଟଣ ଘଟିଥିବା ସନ୍ଦେହ କରି ସେହି ଦିନ ସନ୍ଧ୍ୟାରେ ପରିବାର ଲୋକେ ସିନ୍ଧେକେଲା ଥାନାରେ ତାଙ୍କର ନିଖୋଜ ରିପୋର୍ଟ କରିଥିଲେ।
ପରେ ପରିବାର ଲୋକଙ୍କର ସ୍କୁଲ ମାଲିକଙ୍କ ଉପରେ ସନ୍ଦେହ ଉପୁଜିଥିଲା। ତେଣୁ ୧୦ ତାରିଖରେ ସେମାନେ ସ୍କୁଲ ମାଲିକଙ୍କ ନାଁରେ ସିନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ। ସ୍କୁଲ୍ ମାଲିକ ତାଙ୍କୁ ଅପହରଣ କରି ହତ୍ୟା କରିଥିବା ସେମାନେ ଅଭିଯୋଗ କରିଥିଲେ।
ସିନ୍ଧେକେଲା ପୁଲିସ୍ ସ୍କୁଲ୍ ମାଲିକଙ୍କୁ ଅଟକ ରଖି ପଚରାଉଚରା କରିଥିବା ବେଳେ ଏବେ ତାଙ୍କୁ ବଲାଙ୍ଗିର ଅଣାଯାଇ ପଚରାଉଚରା କରାଯାଉଛି। ଏସ୍ପି ନିଜେ ଏହି ଘଟଣାକୁ ପରିଚାଳନା କରୁଥିବା ଯୋଗୁ ସ୍କୁଲ୍ ମାଲିକଙ୍କୁ ବଲାଙ୍ଗିର ଅଣାଯାଇ ପଚରାଉଚରା କରାଯାଉଥିବା ଜଣାଯାଇଛି।
The post ସାତ ଦିନ ହେଲା ଶିକ୍ଷୟିତ୍ରୀ ନିଖୋଜ; ସ୍କୁଲ୍ ମାଲିକ ହତ୍ୟା କରିଥିବା ଅଭିଯୋଗ appeared first on Odisha Reporter.
from Odisha Reporter https://ift.tt/3DE7RKL
No comments:
Post a Comment