ନୂଆଦିଲ୍ଲୀ: ‘ଅମରିନ୍ଦର ସିଂହ କୌଣସି ପ୍ରକାର ଚାପରେ ଥିବା ଭଳି ଲାଗୁଛି।’ ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବ ପ୍ରଭାରୀ ହରିଶ ରାୱତ ଆଜି ଏହି ପ୍ରତିକ୍ରିୟା ଦେଇଛନ୍ତି।
ସେ କହିଛନ୍ତି, ତାଙ୍କୁ ଦଳରେ ଉଚିତ୍ ବ୍ୟବହାର କରାଯାଇନି ବୋଲି ଯାହା କୁହାଯାଉଛି, ତାହା ସତ୍ୟ ନୁହେଁ। ତାଙ୍କୁ ଅପମାନିତ କରାଯାଇଛି ବୋଲି କୁହାଯାଉଛି। ମୁଁ ସ୍ପଷ୍ଟ କରି ଦେବାକୁ ଚାହେଁ ଯେ ଦଳ ସର୍ବଦା ତାଙ୍କୁ ସମ୍ମାନ ଦେଇଛି। ତାଙ୍କ ସହିତ ସର୍ବଦା ଯଥୋଚିତ ବ୍ୟବହାର କରାଯାଇଛି।
ଶ୍ରୀ ରାୱତ କହିଛନ୍ତି, ବର୍ଷ ବର୍ଷ ଧରି ସେ ପଞ୍ଜାବ କଂଗ୍ରେସର ଆଗଧାଡ଼ିର ନେତା ଥିଲେ। ଦଳ ସବୁବେଳେ ତାଙ୍କ ନେତୃତ୍ୱକୁ ସମ୍ମାନ ଦେଇଛି। ତେଣୁ ଯେତେବେଳେ କିଛି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନିଆଯାଇଛି, ସେତେବେଳେ ସେ ଦଳ ସହିତ ରହିବା ଉଚିତ୍।
ଅମରିନ୍ଦର ସିଂହ ବହୁ ବର୍ଷ ଧରି ପଞ୍ଜାବ କଂଗ୍ରେସର ମୁଖ୍ୟ ରହିଛନ୍ତି। ତଥାପି ଯଦି ସେ କହୁଛନ୍ତି ଯେ ତାଙ୍କୁ ଅପମାନିତ କରାଯାଇଛି, ତା’ହେଲେ କ’ଣ କରାଯିବ? ଯେତେବେଳେ ଭାରତର ଗଣତନ୍ତ୍ରକୁ ବଞ୍ଚାଇ ରଖିବାକୁ ଉଦ୍ୟମ କରାଯାଉଛି, ସେତେବେଳେ ସୋନିଆ ଗାନ୍ଧିଙ୍କ ସହିତ ଅମରିନ୍ଦର ସିଂହ ଛିଡ଼ା ହେବା ଉଚିତ୍ ବୋଲି ହରିଶ ରାୱତ କହିଛନ୍ତି।
କିଛି ଦିନ ତଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଗୁରୁବାର କଂଗ୍ରେସ ମଧ୍ୟ ଛାଡ଼ିଥିଲେ। ଦଳ ତାଙ୍କୁ ଅପମାନିତ କରିଥିବାରୁ ସେ ଏଭଳି ପଦକ୍ଷେପ ନେଇଥିବା କହିଥିଲେ। ତେବେ ସେ ବିଜେପିକୁ ଯାଉ ନାହାନ୍ତି ବୋଲି କହିଥିଲେ। ବୁଧବାର ସେ ଦିଲ୍ଲୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଅମିତ ଶାହଙ୍କ ସହିତ ସେ କୃଷକ ଆନ୍ଦୋଳନ ପ୍ରସଙ୍ଗରେ ଆଲୋଚନା କରିଥିବା କହିଥିଲେ।
The post ଚାପରେ ଅଛନ୍ତି କ୍ୟାପ୍ଟେନ୍! appeared first on Odisha Reporter.
from Odisha Reporter https://ift.tt/3A3RcOt
No comments:
Post a Comment