ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଶଙ୍କା ଶେଷ ହେଲା। ଶେଷରେ କଂଗ୍ରେସରୁ ଇସ୍ତଫା ଦେଲେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଅତି ଦୁଃଖ ଓ କଷ୍ଟର ସହ ସେ ଏହି ନିଷ୍ପତ୍ତି ନେଇଥିବା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଦଳରେ ଏବେ ଜନସେବାର ସୁଯୋଗ ନଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି।
ପ୍ରଦୀପ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ ଗରିବ ଲୋକଙ୍କ ସେବା କରିବା ପାଇଁ ଅତି ଉତ୍ସାହର ସହିତ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ଦଳ ମଧ୍ୟ ଏଥିପାଇଁ ତାଙ୍କୁ ପ୍ରଚୁର ସୁଯୋଗ ଦେଇଥିଲା। ସେ ଦାବି ନ କରିଥିବା ସତ୍ତ୍ୱେ ତାଙ୍କୁ ଦଳ ଅନ୍ୟମାନଙ୍କ ଠାରୁ ଉଚ୍ଚ ପଦପଦବୀରେ ଅବସ୍ଥାପିତ କରିଥିଲା। ସଂପୃକ୍ତ ପଦପଦବୀରେ ରହି ସେ ସାଧାରଣ ଲୋକଙ୍କ ଭଲ ପାଇବା ଓ ସମର୍ଥନ ପାଇଛନ୍ତି।
ସୋନିଆ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଲେଖିଛନ୍ତି ଯେ ଆପଣଙ୍କ ବଳିଷ୍ଠ ନେତୃତ୍ୱରେ ଦଳର ସାଂଗଠନିକ କାର୍ଯ୍ୟ ବହୁତ ଭଲ ଭାବେ ପରିଚାଳିତ ହେଉଥିଲା। କିନ୍ତୁ ଦଳରେ ବିଭିନ୍ନ ସ୍ତରରେ ବିଶୃଙ୍ଖଳିତ ବ୍ୟକ୍ତିମାନେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିବା ଫଳରେ ଧୀରେ ଧୀରେ ସାଂଗଠନିକ ସ୍ଥିତି ଭୁଶୁଡ଼ି ଯାଇଛି। ବର୍ତ୍ତମାନ ଦଳ ଏହାର ବିଶ୍ୱାସନୀୟତା ହରାଇ ସାରିଛି, ଯାହାକୁ ପୁଣି ଫେରି ପାଇବାକୁ ଦୀର୍ଘ ଦିନ ଲାଗିବ।
ପ୍ରଦୀପ ଲେଖିଛନ୍ତି ଯେ ସେ ତାଙ୍କ ଲୋକମାନଙ୍କ ସେବା କରିବା ପାଇଁ ଖୁବ୍ ଆଗ୍ରହୀ। ଯେ କୌଣସି ପଦପଦବୀରେ ରହିଲେ ବି ସେ ଲୋକଙ୍କ ସେବା କରିବେ। ତେବେ କଂଗ୍ରେସରେ ରହି ଲୋକଙ୍କ ସେବା କରିବାର ଆଉ ସୁଯୋଗ ନାହିଁ। ସେଥିପାଇଁ ସେ ଅତ୍ୟନ୍ତ ଦୁଃଖର ସହିତ କଂଗ୍ରେସ ଛାଡୁଛନ୍ତି ଓ ସେଥିପାଇଁ ତାଙ୍କୁ କ୍ଷମା କରି ଦିଆଯିବ ବୋଲି ପ୍ରଦୀପ ଲେଖିଛନ୍ତି।
ପ୍ରଦୀପ ମାଝୀ କଂଗ୍ରେସ ଛାଡ଼ିବା ପରେ ବିଜେଡିରେ ଯୋଗ ଦେବେ ବୋଲି ଆଲୋଚନା ହେଉଛି। ବେଶ୍ କିଛି ଦିନ ଆଗରୁ ବି ଏ ନେଇ ଆଲୋଚନା ଚାଲିଥିଲା। ତେବେ ତା’ ଭିତରେ ପ୍ରଦୀପ ଦିଲ୍ଲୀ ଯାଇ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ଏହା ପରେ ସେ ଆଉ ଦଳ ଛାଡ଼ିବେନି ବୋଲି କୁହାଯାଇଥିଲା।
ପ୍ରଦୀପଙ୍କ ପୂର୍ବରୁ କିଛି ଦିନ ତଳେ କୈଳାସ କୁଲେସିକା କଂଗ୍ରେସ ଛାଡ଼ିଥିଲେ। ସେ ବୁଧବାର ଦିନ ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କ ପୂର୍ବରୁ ସେପ୍ଟେମ୍ବର ୧୫ରେ କୋଟପାଡ଼ର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ବିଜେଡିରେ ସାମିଲ ହୋଇଥିଲେ।
ପ୍ରଦୀପଙ୍କ ଇସ୍ତଫା ପରେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ତାଙ୍କ ଇସ୍ତଫା ଦ୍ୱାରା ଦଳର କିଛି କ୍ଷତି ହେବନାହିଁ। ଏଆଇସିସି ଆଜି ତାଙ୍କୁ ନିଲମ୍ବନ କରିଥା’ନ୍ତା। ତେଣୁ ତା’ ପୂର୍ବରୁ ସେ ଇସ୍ତଫା ଦେଇ ଦେଇଛନ୍ତି। ସେ ଦଳରେ ଯୋଗ ଦେବା ଦିନରୁ ବିଭିନ୍ନ ପଦପଦବୀରେ ରହି ଆସିଛନ୍ତି। ତେଣୁ ଜନସେବା କରିବାରେ କିଛି ଅସୁବିଧା ନଥିଲା। ଯଦି ଜନସେବା କରୁଥିଲେ, ତା’ହେଲେ ଦୁଇ ଥର ହାରିଥିଲେ କାହିଁକି।
ସୂଚନାଯୋଗ୍ୟ, ପ୍ରଦୀପ ମାଝୀ ଓଡ଼ିଶା ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରୁଥିଲେ। ସେ ୨୦୦୯ରେ କଂଗ୍ରେସ ଟିକେଟ୍ରେ ନବରଙ୍ଗପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ରାଜ୍ୟ ଯୁବ କଂଗ୍ରେସର ସଭାପତି ଓ ଭାରତୀୟ ଯୁବ କଂଗ୍ରେସର ସଂପାଦକ ମଧ୍ୟ ଥିଲେ।
The post କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ appeared first on Odisha Reporter.
from Odisha Reporter https://ift.tt/3aXLPq6
No comments:
Post a Comment