ନୂଆଦିଲ୍ଲୀ: ଚାଷୀଙ୍କ ଆନ୍ଦୋଳନ ସ୍ଥଳରେ ଜଣେ ଯୁବକଙ୍କୁ ମାଡ଼ ମାରିବା ପରେ ତାଙ୍କ ହାତକୁ କାଟି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯିବା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ନିହାଙ୍ଗ ଶିଖମାନେ ୩୫ ବର୍ଷୀୟ ଯୁବକ ଲଖବୀର ସିଂହଙ୍କ ସହ ଏପରି କରିଥିବା ସ୍ୱୀକାର କରିଛନ୍ତି।
ଲଖବୀର ନିହାଙ୍ଗ ଶିଖଙ୍କ ପବିତ୍ର ଗ୍ରନ୍ଥକୁ ଅପବିତ୍ର କରିବାକୁ ଚେଷ୍ଟା କରୁଥିବା ବେଳେ ଏପରି ଘଟଣା ଘଟିଛି। ଲଖବୀରଙ୍କ ଘର ହେଉଛି ପଞ୍ଜାବର ତରନ ତାରନ। ଗାଁରେ ତାଙ୍କର ପତ୍ନୀ ଓ ୩ ପିଲା ରହିଛନ୍ତି। ସେ ହତ୍ୟାର ୩ ଦିନ ପୂର୍ବରୁ ହିଁ ଦିଲ୍ଲୀ ଆସି ନିହାଙ୍ଗ ଶିଖଙ୍କ କ୍ୟାମ୍ପରେ ରହିଥିଲେ।
ଏବେ ତାଙ୍କର ମୃତ୍ୟୁ ପରେ ତାଙ୍କର ୩ ପିଲାଙ୍କ ଭବିଷ୍ୟତକୁ ନେଇ ପରିବାର ଲୋକ ଚିନ୍ତା ପ୍ରକଟ କରିଛନ୍ତି। ସେ ଦିଲ୍ଲୀ ଆସିବା ବେଳେ ତାଙ୍କ ପକେଟରେ ମାତ୍ର ୫୦ ଟଙ୍କା ଥିଲା। ଏବେ ତାଙ୍କ ପିଲା କ’ଣ କରିବେ? ସେମାନେ କେମିତି ବଞ୍ଚିବେ, ସେ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରିଛି।
ଲଖବୀର ସିଂହଙ୍କ ଭଉଣୀ ରାଜ କୌର କହିଛନ୍ତି, “ସେ(ଲଖବୀର) ଜଣେ ଦିନ ମଜୁରିଆ ଭାବେ କାମ କରୁଥିଲେ। କାମ ପାଇଁ ସେ ଅଧିକାଂଶ ସମୟ ଘର ବାହାରେ ରହୁଥିଲେ। ୬ ତାରିଖରେ ସେ ମୋ ଠାରୁ ୫୦ ଟଙ୍କା ନେଇଥିଲେ। ସେ ଗାଁ ଠାରୁ ୧୫ କିମି ଦୂର ଛାବ୍ବାଲ ଯାଉଥିବା କହୁଥିଲେ।
କିନ୍ତୁ ଛାବ୍ବାଲ ଯିବା ପରେ ତାଙ୍କ ସହ କୌଣସି ଯୋଗାଯୋଗ ହୋଇ ପାରି ନଥିଲା। ଶୁକ୍ରବାର ତାଙ୍କର ମୃତ୍ୟୁ ଦିଲ୍ଲୀର ସିଙ୍ଘୁ ସୀମାନ୍ତରେ ହୋଇଥିବା ଆମେ ଜାଣିବାକୁ ପାଇଛୁ। ତାଙ୍କୁ ଦିଲ୍ଲୀ ଯିବାକୁ କିଏ ପ୍ରଲୋଭିତ କରିଥିଲା, ତା’ର ତଦନ୍ତ ହେବା ଦରକାର। ଏବେ ଆମେ କେମିତି ତାଙ୍କ ପିଲାଙ୍କ ଭରଣପୋଷଣ କରିବୁ?”
ଶଶ୍ୱୁର ବଲଦେବ ସିଂହଙ୍କ ସୂଚନା ଅନୁଯାୟୀ, ଲଖବୀର ସବୁବେଳେ ଡ୍ରଗ୍ସ ସେବନ କରନ୍ତି। ଏହି କାରଣରୁ ତାଙ୍କ ପତ୍ନୀ ତାଙ୍କୁ ୫ରୁ ୬ ବର୍ଷ ତଳେ ଛାଡ଼ି ଦେଇଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ପତ୍ନୀ ଏବେ ଲଖବୀରଙ୍କ ଘରକୁ ଆସିଛନ୍ତି ବୋଲି ସେ କହିଛନ୍ତି।
ପୁଲିସ୍ ଏଫଆଇଆର ରୁଜୁ କରି ଘଟଣାର ତଦନ୍ତ କରୁଛି। ନିହାଙ୍ଗ ଶିଖର ସଦସ୍ୟମାନଙ୍କୁ ପୁଲିସ୍ ଜେରା କରିବା ପରେ ଗିରଫ କରିବାକୁ ମଧ୍ୟ ଯୋଜନା କରିଛି।
The post ମାତ୍ର ୫୦ ଟଙ୍କା ଧରି ଦିଲ୍ଲୀ ଆସିଥିଲେ ହତ୍ୟାର ଶିକାର ହୋଇଥିବା ଲଖବୀର appeared first on Odisha Reporter.
from Odisha Reporter https://ift.tt/3j8t7Rc
No comments:
Post a Comment