ପୁରୀ(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ। ଏହି ସମୟରେ ହବିଷ୍ୟାଳିଙ୍କ ଗହଳିରେ ବଡ଼ଦାଣ୍ଡ ଫାଟି ପଡ଼ିବା କଥା। ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ ଦର୍ଶନ ସହ କାର୍ତ୍ତିକ ବ୍ରତ ପାଳନ ପାଇଁ ହଜାର ହଜାର ହବିଷ୍ୟାଳି ଏବେ ପୁରୀରେ ଭିଡ଼ ଜମାଇଥାନ୍ତେ। କିନ୍ତୁ କରୋନା ମହାମାରୀ ପାଇଁ ଏଥରର ବଡ଼ଦାଣ୍ଡ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ।
ସବୁ ବର୍ଷ କାର୍ତ୍ତିକ ଆରମ୍ଭରୁ ହବିଷ୍ୟାଳିଙ୍କ କୋଳାହଳରେ ଫାଟି ପଡ଼ୁଥିବା ବଡ଼ଦାଣ୍ଡ ଏଥର କିନ୍ତୁ ଖାଁ ଖାଁ। ତଥାପି ଶ୍ରୀଜିଉଙ୍କ ପ୍ରତି ଭକ୍ତିଭାବେ କିଛି ହବିଷ୍ୟାଳିଙ୍କୁ ଟାଣି ଆଣିଛି ଶ୍ରୀକ୍ଷେତ୍ର ପୁରୀକୁ। କିଏ ବନ୍ଧୁ ବାନ୍ଧବଙ୍କ ଘରେ ରହୁଛନ୍ତି ତ କିଏ ଘର ଭଡ଼ା ନେଇଛନ୍ତି । ସାଙ୍ଗରେ ଆଣିଛନ୍ତି ଟିକାର ଡବଲ ଡୋଜ୍ ପ୍ରମାଣ ପତ୍ର । ଆଶା ରଖିଛନ୍ତି ହବିଷ ପାଳନ ସହ ମାସକ ଯାକ ଶ୍ରୀଜିଉଙ୍କ ଦର୍ଶନ କରିବେ ଏବଂ ମହାପ୍ରସାଦ ପାଇବେ ।
ବୟାସାଧିକ ହେତୁ ହବିଷ୍ୟାଳିଙ୍କୁ ଗହଳି ଭିତରକୁ ପୁରୀ ଆସିବାକୁ ବାରଣ କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। କିନ୍ତୁ ବୁଝୁନି ହବିଷ୍ୟାଳିଙ୍କ ମନ । ଏନେଇ କେତେକ ହବିଷ୍ୟାଳି କହିଛନ୍ତି, କାଳିଆ ଦର୍ଶନ ନ କଲେ ମୁକ୍ତି ନାହିଁ। କାଳିଆକୁ ଭରସା କରି ତାଙ୍କ ଦର୍ଶନ ପାଇଁ ଆସିଛୁ। ସେ ଯାହା ଚାହିଁବ ତାହା ହେବ ।
ୟକରୋନା ପାଇଁ କାର୍ତ୍ତିକ ମାସରେ ଏଥର ପୁରୀ ନ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ବଡ଼ଦାଣ୍ଡରେ ଥିବା ଧର୍ମଶାଳା ଓ ଲଜ୍ରେ ହବିଷ୍ୟାଳିଙ୍କୁ ନ ରଖିବାକୁ ମଧ୍ୟ ତାଗିଦ କରିଛି ପ୍ରଶାସନ । ତେଣୁ ସବୁ ଲଜ୍ ଓ ଧର୍ମଶାଳା ଖାଁ ଖାଁ ।
ତେବେ କାର୍ତ୍ତିକରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତି ଓ ଦର୍ଶନ ବ୍ୟବସ୍ଥା ସହିତ ନୀତି ର୍ନିଘଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । ଯେଉଁ ଦିନ ଅଧିକ ଗହଳି ହେବାର ସମ୍ଭାବନା ଅଛି, ସେହି ଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ଏନେଇ ବାଗେଡ଼ିଆ ଧର୍ମଶାଳା ପରିଚାଳକ ପ୍ରସନ୍ନ ଛାଟୋଇ କହିଛନ୍ତି, ଗତବର୍ଷ ବି କରୋନା ପାଇଁ ଧର୍ମଶାଳା, ଲଜ ବନ୍ଦ ଥିଲା। ଏବର୍ଷ ବି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ଆମେ ହବିଷ୍ୟାଳିଙ୍କ ପାଇଁ ଏହାକୁ ବନ୍ଦ ରଖିଛୁ। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବଚନ୍ଦ୍ର ମହାପାତ୍ର କହିଛନ୍ତି, ପଞ୍ଚୁକରେ ଅଧିକ ଗହଳି ହେବାର ସମ୍ଭାବନା ରହିଛି। ଦର୍ଶନ ସୁନିୟନ୍ତ୍ରୀତ କରିବାକୁ ଜିଲ୍ଲାପାଳ ଆଲୋଚନା କରିଛନ୍ତି।
The post ବୁଝୁନି ହବିଷ୍ୟାଳିଙ୍କ ମନ: କହିଲେ, କାଳିଆ ବିନା ମୁକ୍ତି ନାହିଁ appeared first on Odisha Reporter.
from Odisha Reporter https://ift.tt/2XuWOnO
No comments:
Post a Comment