ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ରବିବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ଏହା ୨୩ ଘଣ୍ଟା ଧରି ଚାଲିଥିଲା। ଗତକାଲି ସକାଳ ସାଢ଼େ ୭ଟାରେ ଭିଜିଲାନ୍ସ ଅଧିକାରୀମାନେ ଏଠାରେ ରେଡ୍ କରିଥିବା ବେଳେ ଆଜି ସକାଳ ୬ଟାରେ ଫେରିଥିଲେ। ଚଢ଼ାଉ ବେଳେ ଭିଜିଲାନ୍ସ ହାତରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ବାସଭବନରୁ କିଛି ଟଙ୍କା ସହ ଅଧିକ ପରିମାଣର ସୁନାଗହଣା ମିଳିଥିବା ସୂଚନା ମିଳିଛି।
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ପକ୍ଷରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ଓ ବ୍ରହ୍ମପୁର ସ୍ଥିତ ଘର ସହିତ ମୋଟ ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଏଥିମଧ୍ୟରେ ଥିଲା ତାଙ୍କର ସଂପର୍କୀୟ ଓ ସହଯୋଗୀଙ୍କ ଘର। ତାଙ୍କର ଖୁବ୍ ଘନିଷ୍ଠ କୁହାଯାଉଥିବା ସର୍ବେଶ୍ୱର ରାଓଙ୍କ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ଜଣେ ଏସ୍ପି, ୨ ଜଣ ଅତିରିକ୍ତ ଏସ୍ପି ଓ ୧୭ ଜଣ ଡିଏସ୍ପିଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ।
ଗତକାଲି ଭିଜିଲାନ୍ସ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍ ରିଲିଜ୍ରେ କୁହାଯାଇଥିଲା ଯେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନାଁରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଏହା ପରେ ଏକ ଗୁପ୍ତ ଯାଞ୍ଚ କରାଯାଇଥିଲା। ଏହି ସମୟରେ ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ତଥ୍ୟ ମିଳିଥିଲା। ଏନେଇ ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ୯.୧୨ ୨୦୨୦ରେ ଅଭିଯୋଗ ଦାଖଲ କରାଯାଇଥିଲା। ୧୧.୧୨.୨୦୨୦ରେ ଲୋକାୟୁକ୍ତ ତାଙ୍କ ବିରୋଧରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ୨୦୦୯ରୁ ୨୦୨୦ ମଧ୍ୟରେ ଶ୍ରୀ ପାଣିଗ୍ରାହୀ ୫ କୋଟି ୫ ଲକ୍ଷ ୪ ହଜାର ୬୫୬ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିଲେ। ଏହି ତଦନ୍ତ ରିପୋର୍ଟକୁ ଲୋକାୟୁକ୍ତଙ୍କୁ ପ୍ରଦାନ କରାଯାଇଥିଲା। ଲୋକାୟୁକ୍ତ ଏହି ରିପୋର୍ଟକୁ ଭଲ ଭାବେ ଯାଞ୍ଚ କରିଥିଲେ। ତା’ସହିତ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ପକ୍ଷକୁ ପରଖି ଥିଲେ। ଏସବୁ ପରେ ଲୋକାୟୁକ୍ତ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ତଦନ୍ତକୁ ଆଗେଇ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ଏକ ସବିଶେଷ ତଦନ୍ତ ପାଇଁ ଭିଜିଲାନ୍ସ ପକ୍ଷରୁ ୪.୧୦.୨୦୨୧ରେ ମାମଲା ରୁଜୁ କରାଯାଇଥିଲା। ଆଉ ସେହି କ୍ରମରେ ଗତକାଲି ବିଧାୟକ ଶ୍ରୀ ପାଣିଗ୍ରାହୀ, ତାଙ୍କ ସଂପର୍କୀୟ ଓ ସହଯୋଗୀଙ୍କ ଘରେ ଚଢ଼ାଉ କରାଯାଇଥିଲା।
ସୂଚନାଯୋଗ୍ୟ, ଗତ ଜୁନ୍ ମାସ ୧୨ ତାରିଖରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜେଲ୍ରୁ ମୁକୁଳି ଥିଲେ। ଭାବି ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ଟାଟା କମ୍ପାନୀରେ ଚାକିରି କରାଇ ଦେବାକୁ କହି ସେ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ତାଙ୍କ ନାଁରେ ୬ଟି ମାମଲା ଥିଲା। ଏଥିପାଇଁ ଗତ ବର୍ଷ ଡିସେମ୍ବର ୩ ତାରିଖରେ ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଆକାଶ ମଧ୍ୟ ଗିରଫ ହୋଇଛନ୍ତି। ସେ ଏବେ ବି ଜେଲ୍ରେ ଅଛନ୍ତି।
The post ଗୋପାଳପୁର ବିଧାୟକଙ୍କ ଘରେ ୨୩ ଘଣ୍ଟା ଧରି ଚାଲିଲା ରେଡ୍ appeared first on Odisha Reporter.
from Odisha Reporter https://ift.tt/3vnhbja
No comments:
Post a Comment