ନୂଆଦିଲ୍ଲୀ: ପୂର୍ବରୁ ଗୋଟିଏ ଗଛରେ ଆଳୁ, ଟମାଟୋ ଫଳିଥିବା ବେଳେ ଏବେ ଗୋଟିଏ ଗଛରେ ଫଳିଲା ବାଇଗଣ ଓ ଟମାଟୋ । ଏହି ଗଛର ନାମ ରହିଛି ‘ବ୍ରିମାଟୋ’ |ବାରାଣାସୀସ୍ଥିତ ଇଣ୍ଡିଆନ୍ କାଉନସିଲ୍ ଅଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭେଜିଟେବୁଲ୍ ରିସର୍ଚ୍ଚ (ICAR-IIVR)ର ବୈଜ୍ଞାନିକମାନେ ଏହି ସଫଳତା ହାସଲ କରିଛନ୍ତି।
ମୁଖ୍ୟତଃ ସହରାଞ୍ଚଳରେ ଜାଗା ସମସ୍ୟା ଦେଖାଦେଉଥିବା ଅଧିକାଂଶ ଲୋକ କିଚେନ ଗାର୍ଡେନ କରି ସେଠାରୁ କିଛି ପରିବା ଉତ୍ପାଦନ କରିଥାନ୍ତି। ହେଲେ ଏବେ ବ୍ରିମାଟୋ ଗଛ ଲଗାଇବା ଦ୍ୱାରା ଏହି ସମସ୍ୟାରୁ ବହୁ ପରିମାଣରେ ମୁକ୍ତି ମିଳିବ । କାରଣ ଗୋଟିଏ ଗଛରୁ ଆପଣ ନିଜ ଆବଶ୍ୟକତା ଅନୁଯାୟୀ ବାଇଗଣ ଓ ଟମାଟୋ ଆଣି ନିଜ ରୋଷେଇ ଘରର ଚାହିଦା ପୂରଣ କରିପାରିବେ। ଏହା କେବଳ ଯେ, ଜାଗା ସମସ୍ୟା ଦୂର କରିବ ତାହା ନୁହେଁ, ଏହାଦ୍ୱାରା ଅଧିକ ଶ୍ରମ ଅପଚୟ ହେବ ନାହିଁ, ଜଳ ବି ଅଧିକ ପରିଣାମର ଅପଚୟ ହେବ ନାହିଁ କିମ୍ବା ଅଧିକ ମାତ୍ରାର ରସାୟନିକ ସାରର ପ୍ରୟୋଗର ଆବଶ୍ୟକତା ପଡ଼ିବ ନାହିଁ। ଫଳରେ ଏହା ଶରୀର ପାଇଁ ପୁଷ୍ଟିକର ହୋଇପାରିବ ।
ପ୍ରତି ‘ବ୍ରିମାଟୋ’ ଗଛରେ ୩ ରୁ ୪ କେଜି ପର୍ଯ୍ୟନ୍ତ ବାଇଗଣ ଏବଂ ୨ରୁ ୩ କେଜି ପର୍ଯ୍ୟନ୍ତ ଟମାଟୋ ଉତ୍ପାଦନ ହେବ ବୋଲି ଆକଳନ କରାଯାଇଛି | IIVR ପୂର୍ବରୁ ‘ପୋମାଟୋ’ ନାମକ ଏକ ଉଦ୍ଭିଦକୁ ସଫଳତାର ସହିତ ରୋପଣ କରିଥିଲା, ଯାହାଦ୍ୱାରା ଗୋଟିଏ ଗଛରେ ଆଳୁ ଏବଂ ଟମାଟୋ ଫଳିଥାଏ।
ବ୍ରିମାଟୋ ଗଛର ପ୍ୟାରେଣ୍ଟ ପ୍ଲାଣ୍ଟ ହେଉଛି ଏକ ହାଇବ୍ରିଡ ବାଇଗଣ ଗଛ ଯାହାକୁ ‘କାଶୀ ସନ୍ଦେଶ’ କୁହାଯାଇଥାଏ। ଏଥିସହ ‘କାଶୀ ଅମନ’ ନାମକ ଉନ୍ନତ ମାନର ଟମାଟୋକୁ ମିଶ୍ରଣ କରାଯାଇଥାଏ। ଏହି ଉଭୟ ଗଛକୁ ବାଇଗଣ ଗଛର ମୂଳରେ ପୋତା ଯାଇଥାଏ। ବାଇଗଣ ଗଛ ଚାରାଟି ୨୫ରୁ ୩୦ ମଧ୍ୟରେ ହୋଇଥିବା ବେଳେ ଟମାଟୋ ଚାରାଟି ୨୨ରୁ ୨୫ ଦିନ ମଧ୍ୟରେ ହୋଇଥିବା ଆବଶ୍ୟକ । ଏହି ସମୟରେ ବ୍ରିମାଟୋ ଗଛ ଭଲ ବଢ଼ିଥାଏ।
ଉଭୟ ଗଛର ଟିସ୍ୟୁ ଜେନେରେସନ କରି ଗ୍ରାଫ୍ଟିଂ ଜ୍ଞାନକୌଶଳ ସାହାଯ୍ୟରେ ଏହି ଗଛକୁ ପ୍ରସ୍ତୁତ କରାଯାଇଥାଏ। ଏହି ଟେକନିକ ଦ୍ୱାରା ଗୋଟିଏ ଗଛର କିଛି ଅଂଶକୁ ଅନ୍ୟ ଏକ ଗଛର ଡାଳ, କାଣ୍ଡ କିମ୍ବା ଚେର ମଧ୍ୟରେ ରଖାଯାଇଥାଏ। ଗ୍ରାଫ୍ଟିଂ ପରେ ଗଛ ଚାରାକୁ ନିୟନ୍ତ୍ରୀତ ଜଳବାୟୁ ମଧ୍ୟରେ ରଖାଗଲା। ଏହି ସମୟରେ ତାପମାତ୍ରା, ଆଦ୍ରତା ଓ ଆଲୋକକୁ ୫ରୁ ୭ ଦିନ ପର୍ଯ୍ୟନ୍ତ ସର୍ବୋଚ୍ଚ ସ୍ତରରେ ରଖାଯାଇଥିଲା। ତା’ ପରେ ବିହନକୁ ସମାନ ସମୟ ପାଇଁ ଆଶିଂକ ଛାଇରେ ରଖାଗଲା। ୧୫ରୁ ୧୮ ଦିନ ପରେ ଏହି ଚାରାକୁ କ୍ଷେତରେ ପ୍ରତିରୋପଣ କରାଯାଇଥିଲା।
ICAR-IIVRର ନିର୍ଦ୍ଦେଶକ ଡ. ଡି.କେ ବେହେରାଙ୍କ କହିବାନୁଯାୟୀ, ଗୋଟିଏ ଗଛରୁ ୨ ପ୍ରକାର ପରିବା ଉତ୍ପାଦନ କରିବା ଦ୍ୱାରା ଆଗକୁ ଜାଗା ସମସ୍ୟାର ମୁକାବିଲା କରିବାରେ ଏହା ସହାୟ ହୋଇପାରିବ ।
ପୂର୍ବରୁ ଫୁଲ ଓ ଫଳ ଗଛକୁ ଗ୍ରାଫ୍ଟିଂ କରାଯାଇ ଗୋଟିଏ ଗଛରୁ ଭିନ୍ନ ଭିନ୍ନ ଫଳ ଉତ୍ପାଦନ କରାଯାଉଥିବା ବେଳେ ଏବେ ଏହାହି କୌଶଳକୁ ପରିବା କ୍ଷେତ୍ରରେ ମଧ୍ୟ ବିନିଯୋଗ କରାଯାଇଛି। ଯାହାଦ୍ୱାରା ବଜାରରେ ହୁ ହୁ ହୋଇ ବଢ଼ୁଥିବା ପରିବା ଦର ଆଉ ବାଧିବନି। ଏହା ଘରର ଆବଶ୍ୟକତା ପୂରଣ କରିବାରେ ସହାୟ ହେବ । ଏହାବାଦ କମ୍ ସାରର ପ୍ରୟୋଗ ଯୋଗୁ ଏହା ପୁଷ୍ଟିକର ମଧ୍ୟ ହେବ ।
The post ଗୋଟିଏ ଗଛରେ ଫଳୁଛି ବାଇଗଣ ସାଙ୍ଗକୁ ଟମାଟୋ, ଜାଣି ରଖନ୍ତୁ ତା’ର ନାଁ appeared first on Odisha Reporter.
from Odisha Reporter https://ift.tt/2XubnYN
No comments:
Post a Comment