କାବୁଲ: ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ତାଲିବାନର ସର୍ବୋଚ୍ଚ ନେତା ହୈବତୁଲ୍ଲା ଅଖୁନ୍ଦଜାଦା। ସର୍ବସାଧାରଣକୁ ଆସି ଦକ୍ଷିଣ ଆଫଗାନିସ୍ତାନର କାନ୍ଦାହାରରେ ଅଖୁନ୍ଦଜାଦା ନିଜ ସମର୍ଥକଙ୍କୁ ସମ୍ବୋଧିତ କରିଛି। ଏନେଇ ଆଜି ତାଲିବାନର ସରକାରୀ ଅଧିକାରୀମାନେ କହିଛନ୍ତି।
୨୦୧୬ରୁ ଇସ୍ଲାମୀୟ ଆନ୍ଦୋଳନର ଅଧ୍ୟାତ୍ମିକ ମୁଖ୍ୟ ହୋଇ ରହି ଆସିଥିଲେ ବି ଅଖୁନ୍ଦଜାଦା ସର୍ବସାଧାରଣ ଆଗକୁ ଆସୁନଥିଲା। ଗତ କିଛି ଦିନ ହେବ ସେ ଅଣ୍ଡରଗ୍ରାଉଣ୍ଡ ଥିଲା। ଅଗଷ୍ଟ ମାସରେ ତାଲିବାନ ଆଫଗାନିସ୍ତାନକୁ କବ୍ଜା କରିଥିଲେ ବି ସେ ବାହାରକୁ ଆସି ନ ଥିଲା।
ସେଥିଯୋଗୁଁ ନୂତନ ତାଲିବାନ ସରକାରରେ ତାଙ୍କର ଭୂମିକାକୁ ନେଇ ନାନା ପ୍ରକାର କଳ୍ପନାଜଳ୍ପନା ଚାଲିଥିଲା। ଗତ କିଛି ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିବା କଥା ମଧ୍ୟ ଗୁଜବ ଉଠିଥିଲା। ତେବେ ଶନିବାର ତାଙ୍କ ସାହସୀ ସୈନିକ ଏବଂ ଶିଷ୍ୟମାନଙ୍କ ସହ ଆଲୋଚନା ପାଇଁ ସେ ଦରୁଲ୍ ଉଲୂମ୍ ହକିମା ମଦ୍ରାସାକୁ ଯାଇଥିଲେ ବୋଲି ତାଲିବାନ ସରକାରୀ ଅଧିକାରୀମାନେ କହିଛନ୍ତି।
ଏହି ସମୟରେ ସେ ତାଙ୍କ ସୈନିକ ଏବଂ ଛାତ୍ରମାନଙ୍କ ସହ କଥା ହୋଇଥିଲେ। ଏହି ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଏପରିକି କାହାକୁ ଫଟୋ କିମ୍ବା ଭିଡିଓ ତିଆରି କରିବାକୁ ମଧ୍ୟ ଦିଆଯାଇନଥିଲା। ତେବେ ତାଲିବାନର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଦଶ ମିନିଟର ଅଡିଓ କ୍ଲିପ୍ ଶେୟାର କରାଯାଇଛି।
ଏହି ଅଡିଓ କ୍ଲିପ୍ରେ ଅଖୁନ୍ଦଜାଦା ‘ଅମିରୁଲ ମୋମିନନ’ ଅର୍ଥାତ୍ ‘ବିଶ୍ୱସ୍ଥଙ୍କ ମୁଖିଆ’ କହି ନିଜ ସୈନିକଙ୍କୁ ସମ୍ବୋଧିତ କରିଛି। ଏହି ସମୟରେ ଅଖୁନ୍ଦଜାଦା ଧାର୍ମିକ ବାର୍ତ୍ତା ଦେଇଛି। ତେବେ ଏହି ଭାଷଣରେ ସେ ରାଜନୀତି ବିଷୟରେ କହୁନାହାଁନ୍ତି। କିନ୍ତୁ ତାଲିବାନ ନେତୃତ୍ୱ ଉପରେ ଆଲ୍ଲାଙ୍କ ଦୟା ରହିଥିବା ବିଷୟରେ ସେ କହିଛି। ଏଥିସହ ତାଲିବାନ ଶହୀଦ, ଆହତ ଏବଂ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିଛି।
ଉଲ୍ଲେଖଯୋଗ୍ୟ ଯେ, ୨୦୧୬ରେ ଆମେରିକାର ଡ୍ରୋନ୍ ଆକ୍ରମଣରେ ମୁଲ୍ଲା ଅଖତର ମଂସୁରଙ୍କୁ ହତ୍ୟା କରାଯିବା ପରେ ଅଖୁନ୍ଦଜାଦା ନିଜକୁ ତରବରିଆ ଭାବେ ତାଲିବାନର ସୁପ୍ରିମ ନେତା ଘୋଷଣା କରିଥିଲା।
The post ପ୍ରଥମଥର ପାଇଁ ସାମ୍ନାକୁ ଆସିଲା ତାଲିବାନର ସର୍ବୋଚ୍ଚ ନେତା appeared first on Odisha Reporter.
from Odisha Reporter https://ift.tt/3EMjsZ5
No comments:
Post a Comment