ମୁମ୍ବାଇ: ପୂର୍ବର ସମସ୍ତ ରେକର୍ଡ କାଟି ପେଟ୍ରୋଲ ଓ ଡିଜେଲ ସମଗ୍ର ଦେଶରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଶୁକ୍ରବାର ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି କରିଛନ୍ତି। ଗଲା ତିନି ଦିନ ଧରି ଲଗାତାର ପେଟ୍ରୋଲ ଓ ଡିଜେଲ ଦର ବଢ଼େଇ ଚାଲିଛନ୍ତି ସରକାରୀ କମ୍ପାନୀ।
ଆଜିର ଦରବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୧୦୬.୮୯ ଟଙ୍କା ଓ ମୁମ୍ବାଇରେ ୧୧୨.୭୮ ଟଙ୍କାରେ ପହଞ୍ଚିଛି। ସେହିପରି ଦିଲ୍ଲୀରେ ଡିଜେଲ ଲିଟର ପିଛା ୯୫.୬୨ ଟଙ୍କା ଓ ମୁମ୍ବାଇରେ ୧୦୩.୬୩ ଟଙ୍କାରେ ପହଞ୍ଚିଛି।
ଅକ୍ଟୋବର ୧୮ ଓ ୧୯ ତାରିଖରେ ସରକାରୀ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରି ନଥିଲେ। ତାହାର ପୂର୍ବ ଚାରି ଦିନ ଉଭୟ ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପିଛା ୩୫ ପଇସା ଲେଖାଏଁ ବୃଦ୍ଧି କରାଯାଇଥିଲା। ଅକ୍ଟୋବର ୨୦, ୨୧ ଓ ୨୨ ତାରିଖ ତିନି ଦିନ ଧରି ଲଗାତାର ଏହି ଦୁଇ ଇନ୍ଧନରେ ଦରବୃଦ୍ଧି ଘଟିଛି।
ସରକାରୀ ପରିଚାଳିତ କମ୍ପାନୀଗୁଡ଼ିକର ଏହି ନିଷ୍ପତ୍ତି ପରେ ଏବେ ଦେଶର ପ୍ରାୟ ସମସ୍ତ ସହରରେ ପେଟ୍ରୋଲ ଦର ଶତକ ହାସଲ କରି ଆଗକୁ ମାଡ଼ି ଚାଲିଛି ଓ ଡିଜେଲ ଦର ମଧ୍ୟ ଡଜନେ ଉପରେ ମେଟ୍ରୋରେ ଶତକ ପୂରଣ କରିସାରିଛି। ଶ୍ରୀନଗର ଓ ଚେନ୍ନାଇରେ ଡିଜେଲ ଦର ଶତକ ପୂରଣ କରିସାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ ଦୁଇ ସହରରେ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୯୯.୪୯ ଟଙ୍କା ୯୯.୯୨ ଟଙ୍କାରେ ପହଞ୍ଚିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୨୮ ତାରିଖ ପରଠାରୁ ସରକାର ୧୯ ଥର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କଲେଣି। ଏହି ୧୯ ଥରରେ ପେଟ୍ରୋଲ ଦର ଲିଟର ପିଛା ସମୁଦାୟ ୫.୭୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ସେପ୍ଟେମ୍ବର ୨୪ ପରଠୁଁ ଡିଜେଲ ଦର ୨୨ ଥର ବୃଦ୍ଧି ପାଇଛି। ଏହି ସମୟରେ ଡିଜେଲ ଦର ଲିଟର ପିଛା ସମୁଦାୟ ୭ ଟଙ୍କା ବଢ଼ିଛି। ଏହା ପୂର୍ବରୁ ମେ ୪ ତାରିଖରୁ ଜୁଲାଇ ୧୭ ତାରିଖ ମଧ୍ୟରେ ପେଟ୍ରୋଲ ଦର ଲିଟର ପିଛା ମୋଟ ଉପରେ ୧୧.୪୪ ଟଙ୍କା ବୃଦ୍ଧି ପାଇଥିଲାବେଳେ ଡିଜେଲ ଦର ୯.୧୪ ଟଙ୍କା ବୃଦ୍ଧି ପାଇଥିଲା।
The post ପେଟ୍ରୋଲ ଦରବୃଦ୍ଧିରେ ପୁଣି ରେକର୍ଡ! appeared first on Odisha Reporter.
from Odisha Reporter https://ift.tt/3m4haOr
No comments:
Post a Comment