ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଆଜି ହେବ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଲଢ଼େଇ। ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରୁ ଖେଳା ଯିବ ଏହି ମ୍ୟାଚ୍।
ଏହି ମ୍ୟାଚ୍ରେ ଭାରତ ତା’ର ଟି-ଟ୍ୱେଣ୍ଟି ବିଶ୍ୱକପ୍ ରେକର୍ଡକୁ ବଜାୟ ରଖିବାକୁ ଚେଷ୍ଟା କରିବ। ଏଯାବତ୍ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଭାରତ କେବେ ବି ପାକିସ୍ତାନ ଠାରୁ ପରାସ୍ତ ହୋଇନାହିଁ। ଅନ୍ୟପକ୍ଷରେ ପାକିସ୍ତାନ ପୁରୁଣା କଥାକୁ ଭୁଲି ମ୍ୟାଚ୍ ଜିତିବାକୁ ଲକ୍ଷ୍ୟ ରଖିଛି।
ଆଜିର ମ୍ୟାଚ୍ ପାଇଁ ଶନିବାର ସନ୍ଧ୍ୟାରେ ପାକିସ୍ତାନ ତା’ର ୧୨ ଜଣିଆ ଦଳ ଘୋଷଣା କରିଥିଲା। ବାବର ଆଜମଙ୍କ ନେତୃତ୍ୱରେ ଏହି ଟିମ୍ରେ ଅସିଫ ଅଲୀ, ଫଖର ଜମାନ, ହାଇଦର ଅଲୀ, ମହମ୍ମଦ ରିଜୱାନ, ଇମାଦ ୱାସିମ୍, ମହମ୍ମଦ ହାଫିଜ୍, ଶାଦାବ ଖାନ୍, ସୋଏବ ମଲ୍ଲିକ, ହରିଶ ରୌଫ୍, ହାସନ ଅଲୀ ଓ ଶାହୀନ ଶାହ ଆଫ୍ରିଦି ଅଛନ୍ତି। ମହମ୍ମଦ ରିଜୱାନ କିପିଂ ଦାୟିତ୍ୱରେ ରହିଛନ୍ତି। ଚୂଡ଼ାନ୍ତ ଏକାଦଶରେ ଦଳ କାହାକୁ ରଖିବ, ତାହା ଆଜି ଜଣାପଡ଼ିବ।
ଭାରତୀୟ ଦଳରେ ଅଧିନାୟକ ବିରାଟ କୋହଲିଙ୍କ ସହିତ ରୋହିତ ଶର୍ମା, କେଏଲ ରାହୁଲ, ସୂର୍ଯ୍ୟ କୁମାର ଯାଦବ, ଋଷଭ ନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ରବିଚନ୍ଦ୍ରନ ଅଶ୍ୱିନ୍, ବରୁଣ ଚକ୍ରବର୍ତ୍ତୀ, ରାହୁଲ ଚହର, ଭୁବନେଶ୍ୱର କୁମାର, ଶାର୍ଦୁଳ ଠାକୁର, ମହମ୍ମଦ ସାମି ଓ ଯଶପ୍ରୀତ ବୁମ୍ରା ପ୍ରମୁଖ ରହିଛନ୍ତି। ତେବେ ଆଜି ଚୂଡ଼ାନ୍ତ ଏକାଦଶରେ କେଉଁମାନେ ରହିବେ, ସେ ନେଇ ଏଯାବତ ସ୍ପଷ୍ଟ ହୋଇନାହିଁ।
ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଭାରତ ଓ ପାକିସ୍ତାନ ମୋଟ ୫ ଥର ମୁହାଁମୁହିଁ ହୋଇଛନ୍ତି। ଆଉ ସବୁଥର ଭାରତ ବାଜି ମାରିଛି। ୨୦୦୭ରେ ପାକିସ୍ତାନକୁ ହରାଇ ଦଳ ପ୍ରଥମ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଥିଲା। ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଶେଷଥର ପାଇଁ ୨୦୧୬ରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ। ଆଉ ଏଥିରେ ପାକିସ୍ତାନକୁ ୬ ୱିକେଟ୍ରେ ପରାସ୍ତ କରିଥିଲା ଭାରତ।
କେବଳ ଟି-ଟ୍ୱେଣ୍ଟି ନୁହେଁ, ଦିନିକିଆ ବିଶ୍ୱକପ୍ରେ ମଧ୍ୟ ପାକିସ୍ତାନ କେବେ ଭାରତକୁ ହରାଇ ପାରି ନାହିଁ। ଏଥିରେ ଉଭୟ ଦଳ ମୋଟ ୭ ଥର ମୁହାଁମୁହିଁ ହୋଇଛନ୍ତି। ଆଉ ପ୍ରତିଥର ଭାରତ ବିଜୟୀ ହୋଇଛି। ତେଣୁ ବାବର ଆଜମଙ୍କ ନେତୃତ୍ୱାଧୀନ ଦଳ ଆଜି ଇତିହାସ ବଦଳାଇ ପାରିବ ନା ବିରାଟ ବାହିନୀ ଦଳର ରେକର୍ଡକୁ ବଜାୟ ରଖିବ, ତା’ଉପରେ ରହିଛି ସମସ୍ତଙ୍କ ନଜର।
The post ଭାରତ-ପାକିସ୍ତାନ ମ୍ୟାଚ୍: ରେକର୍ଡ ବଜାୟ ରଖିବ ବିରାଟ ବାହିନୀ ନା ଇତିହାସ ରଚିବ ବାବର ବ୍ରିଗେଡ୍ appeared first on Odisha Reporter.
from Odisha Reporter https://ift.tt/3GgYtyL
No comments:
Post a Comment