ବଲାଙ୍ଗିର(ମନୋରଞ୍ଜନ ଯୋଶୀ): କଳାହାଣ୍ଡି ମହାଲିଙ୍ଗସ୍ଥିତ ସନ୍ସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମହାଲିକ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ଏବେ ପୁଲିସ୍ କବଜାରେ । ଗୋବିନ୍ଦ ଗତକାଲି ନିଜ ପାପ କାହାଣୀର ସିନ୍ ରିକ୍ରିଏଟ କରିଥିଲା । ଏହାର ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଏହି ଘଟଣାକୁ ନେଇ ଏବେ ବି ବହୁ ଅସମାହିତ ପ୍ରଶ୍ନ ଉପରୁ ପରଦା ଉଠି ପାରି ନାହିଁ। ଏପରି ସମୟରେ ଚର୍ଚ୍ଚାକୁ ଆସିଛି ରୁମ୍ ନଂ-୨୦ ।
ସନସାଇନ୍ ଯୁକ୍ତ ୩ ଲେଡିଜ୍ ହଷ୍ଟେଲର ସବୁ ରୁମ୍ରେ ଗୋଟିଏ ପ୍ରକାର ତାଲା ପଡ଼ିଥିବା ବେଳେ ରୁମ୍ ନଂ ୨୦ରେ ପଡ଼ିଛି ଭିନ୍ନ ତାଲା। କ’ଣ ପାଇଁ ଏହି ରୁମ୍ରେ ଅଲଗା ତାଲା ପଡ଼ିଛି, କିଏ କରିଛି ଏପରି କାମ, କ’ଣ ରହିଛି ଏଥିରେ ଗୁମର ଏହାକୁ ନେଇ ଏବେ ଦେଖାଦେଇଛି ସସ୍ପେନ୍ସ ।
ମମିତା ମର୍ଡର ମିଷ୍ଟ୍ରିର ତଦନ୍ତ କରୁ କରୁ ବଲାଙ୍ଗିର ପୁଲିସ୍ ଯାଇ ମହାଲିଙ୍ଗ କଲେଜର ଯୁକ୍ତ ୩ ଲେଡିଜ୍ ହଷ୍ଟେଲରେ ପହଞ୍ଚିଥିଲା। ମାତ୍ର ସେଠାରେ ରୁମ୍ ନଂ-୨୦ରେ ଏକ ଅଲଗା ଚାବି ଲାଗିଥିବା ବେଳେ ତାହାର ଚାବି ପାଇ ନ ଥିଲା ପୁଲିସ୍। ଏପରିକି ୱାଡେନ ବି ପୁଲିସ୍କୁ ଦେଇ ପାରି ନ ଥିଲେ ଠିକ୍ ଉତ୍ତର।
ମମିତାଙ୍କୁ ଗତ ୮ ତାରିଖରେ ହତ୍ୟା କରିବା ପରେ ୧୩ ତାରିଖ ପର୍ଯ୍ୟନ୍ତ ଖୁଲମଖୁଲା ବୁଲିଥିଲା ଗୋବିନ୍ଦ। ଏହି ସମୟରେ ରୁମ୍ ନଂ -୨୦ ଯାଇ ସେଠାରେ ଥିବା ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ହେଉଛି। ସେଠାରେ ରହୁଥିବା ଅନ୍ତେବାସୀଙ୍କୁ ପୁଲିସ୍ ବାରମ୍ବାର ଜେରା କରିଥିଲା। ତେଣୁ ମମିତା ମର୍ଡର ମିଷ୍ଟ୍ରି ସହ ରୁମ୍ ନଂ-୨୦ର ଲିଙ୍କ୍ ଥିବା ଚର୍ଚ୍ଚା ହେଉଛି।
ଉକ୍ତ ହଷ୍ଟେଲରେ ସିସିଟିଭି ଥିବା ବେଳେ ପୁଲିସ୍ କାହିଁକି ସିସିଟିଭି ଫୁଟେଜ ଯାଞ୍ଚ କରୁନି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସିସିଟିଭି ଫୁଟେଜ ଯାଞ୍ଚ କଲେ ଗୋବିନ୍ଦ ଘଟଣା ପରଠୁ କେତେଥର ଉକ୍ତ ହଷ୍ଟେଲକୁ ଯାଇଛନ୍ତି, ସେଠାରେ କେତେ ସମୟ ରହିଛନ୍ତି ସେ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରନ୍ତା ବୋଲି ଆଲୋଚନା ହେଉଛି।
ଏହାବାଦ ମମିତା ହତ୍ୟାକାଣ୍ଡ କଳାହାଣ୍ଡି ଜିଲ୍ଲାରେ ଘଟିଥିବା ବେଳେ ଏ ଯାଏ ଆକ୍ସନ ମୁଡକୁ ଆସିନି କଳାହାଣ୍ଡି ଜିଲ୍ଲା ପୁଲିସ୍। ଏପରିକି ଘଟଣାସ୍ଥଳକୁ ଯାଇ ବଲାଙ୍ଗିର ପୁଲିସ୍ ତଦନ୍ତକୁ ଜୋରଦାର କରିଥିବା ବେଳେ କଳାହାଣ୍ଡି ପୁଲିସ୍ କେବଳ ସହଯୋଗୀ ଭୂମିକା ତୁଲାଉଛି।
ମମିତା ନିଖୋଜ ହେବା ପରେ ତାଙ୍କ ପରିବାର ପକ୍ଷରୁ କେ.ନୂଆଗାଁ ଥାନାରେ ଅଭିଯୋଗ ହୋଇଥିବା ବେଳେ ପ୍ରଥମେ ପୁଲିସ୍ ଅଭିଯୋଗ ରଖିବାକୁ ମନା କରି ଦେଇଥିଲା। ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଚାପରେ କେ.ନୂଆଗାଁ ପୁଲିସ୍ ଏପରି କରିଥିବା ଚର୍ଚ୍ଚା ଜୋର ଧରିଥିଲା। ହେଲେ ୨ ଦିନ ପୂର୍ବେ କେ.ନୂଆଗାଁ ଥାନାଧିକାରୀଙ୍କୁ ନିଲମ୍ବନ କରି ନିଜ କ୍ଲିନ୍ ଇମେଜ ବଜାୟ ରଖିବାକୁ ଚେଷ୍ଟା ଚଳାଇଛନ୍ତି ରାଜ୍ୟ ସରକାର।
ଅପରପକ୍ଷେ, କେ. ନୂଆଗାଁ ପୁଲିସ୍ ସହଯୋଗ ବିନା ଗୋବିନ୍ଦ ଘଟଣା ଘଟିବା ପରେ ପ୍ରାୟ ୫ ଦିନ ନିର୍ବିଘ୍ନରେ ବୁଲାବୁଲି କରିବା ଅସମ୍ଭବ ବୋଲି ଶୁଣିବାକୁ ମିଳୁଛି। ଏପରିକି ଏହି ସମୟରେ ଗୋବିନ୍ଦ ସନସାଇନ୍ ଯୁକ୍ତ ୩ ଲେଡିଜ୍ ହଷ୍ଟେଲର ରୁମ ନଂ ୨୦କୁ ଯାଇ ସେଠାରେ ପ୍ରମାଣ ନଷ୍ଟ କରିଥିବା ବେଳେ ପୁଲିସ୍ ଅଜାଣତରେ ଏସବୁ ହେବା ଏକ ପ୍ରକାର ଅସମ୍ଭବ ବୋଲି ଚର୍ଚ୍ଚା ଜୋର ଧରିଛି।
ଅପରପକ୍ଷେ, ଆଜି ପୀଡ଼ିତା ମମିତା ମେହରଙ୍କ ପରିବାରଙ୍କୁ ଭେଟିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା। ଏହାପରେ ଗଣମାଧ୍ୟମକୁ ସେ କହିଛନ୍ତି, ଏହି ଘଟଣାରେ ସମ୍ପୃକ୍ତ ଜହ୍ଲାଦ କଠୋରରୁ ଅଧିକ କଠୋର ତଦନ୍ତ ପାଉ । ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି।” ଏହାବାଦ ସେ କହିଛନ୍ତି, ଏପରି ଅପରାଧ ଘଟାଇଥିବା ଅଭିଯୁକ୍ତ କଠୋର ଦଣ୍ଡ ପାଉ, ଝିଅ ଶାନ୍ତିରେ ରହୁ ବୋଲି ମମିତାଙ୍କ ବାପାମା’ ଚାହୁଁଛନ୍ତି। ଏଥିସହ ତାଙ୍କ ପରିବାର କିପରି ସୁରକ୍ଷିତ ରହିବେ ସେଥିପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତି।
The post ରୁମ୍ ନଂ ୨୦ ବଢ଼ାଇଲା ସସ୍ପେନ୍ସ: କାହିଁକି ପଡ଼ିଛି ଅଲଗା ତାଲା appeared first on Odisha Reporter.
from Odisha Reporter https://ift.tt/30V2by7
No comments:
Post a Comment