କାବୁଲ: ଶକ୍ତିଶାଳୀ ରାଷ୍ଟ୍ର ଆମେରିକାକୁ କଡା ଚେତାବନୀ ଦେଲା ତାଲିବାନ। ତାଲିବାନ ଶାସନରେ ମୁଣ୍ତ ପୁରାଅ ନାହିଁ। ଆଫଗାନିସ୍ତାନ ଶାସନକୁ ଅସ୍ଥିର କରିବାକୁ ଚେଷ୍ଟା କରନାହିଁ। ପ୍ରଥମ ଥର ସାମ୍ନାସାମ୍ନି କଥାହେବା ପରେ ଆମେରିକାକୁ ଏଭଳି ସତର୍କ ବାଣି ଶୁଣାଇଛି ତାଲିବାନ।
ତାଲିବାନ ଶାସନକୁ ଦୁର୍ବଳ କରିବା ପାଇଁ କିଛି ଚେଷ୍ଟା ନ କରିବାକୁ ତାଲିବାନ୍ ଯୁକ୍ତରାଷ୍ଟ୍ର ଆମେରିକାକୁ ସତର୍କ କରାଇ ଦେଇଥିବା କଥା ଶନିବାର ଦିନ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମିର ଖାନ୍ ମୁତ୍ତାକି କହିଛନ୍ତି। ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ଫେରିବା ପରେ ପ୍ରଥମ ଥର ପାଇଁ ସାମ୍ନାସାମ୍ନି ଆଲୋଚନା ବେଳେ ଏଭଳି ସତର୍କବାଣୀ ଦିଆଯାଇଥିବା କଥା ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଦାବି କରିଛନ୍ତି।
ଆମେରିକା ସୈନ୍ୟଙ୍କ ଆକ୍ରମଣ ପରେ ଆଫଗାନିସ୍ତାନରୁ ତାଲିବାନକୁ ବିତାଡିତ କରାଯାଇଥିଲା। ଏବେ ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନ ଶାସନକୁ ପୁଣି ତାଲିବାନ ଫେରିଛି। ତାଲିବାନ ପୁନର୍ବାର ତା’ର ଶାସନ ମଜଭୁତ କରିବାକୁ ଉଦ୍ୟମ ଚଳାଇଥିବା ବେଳେ ମୁତ୍ତାକି ଏଭଳି କହିଛନ୍ତି।
କତାରର ରାଜଧାନୀ ଦୋହାରେ ଆଲୋଚନା ଶେଷ ହେବା ପରେ ଆଫଗାନିସ୍ତାନର ଖବର ସରବରାହ ସଂସ୍ଥା ‘ବଖତର୍’କୁ ମୁତ୍ତାକି କହିଛନ୍ତି, ‘ଆଫଗାନିସ୍ତାନରେ ଶାସନ ଚଳାଇଥିବା ସରକାରକୁ ଦୋଦୁଲ୍ୟମାନ ପରିସ୍ଥିତିକୁ ନେବା ଲାଗି ଉଦ୍ୟମ କଲେ କାହାରି ମଙ୍ଗଳ ହେବ ନାହିଁ। ଆଫଗାନିସ୍ତାନ ସହ ଭଲ ସମ୍ବନ୍ଧ ରଖିଲେ ସମସ୍ତଙ୍କ ପାଇଁ ମଙ୍ଗଳ ହେବ। ଆଫଗାନିସ୍ତାନର ବର୍ତ୍ତମାନର ସରକାରକୁ ଦୁର୍ବଳ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଏହା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ଆମେ ତାଙ୍କୁ ସ୍ପଷ୍ଟ ଭାବେ କହିଛୁ।’
ଏଏଫ୍ପି ରିପୋର୍ଟ ମୁତାବକ, ଆମେରିକାର ବୈଦେଶିକ ବିଭାଗର ‘ଡେପୁଟି ସ୍ପେସାଲ୍ ରିପ୍ରେଜେନ୍ଟେଟିଭ୍’ ଟମ୍ ୱେଷ୍ଟ୍ ଏବଂ ‘ଶୀର୍ଷସ୍ତରୀୟ ‘ୟୁଏସ୍ଏଡ୍’ ମାନବୀୟ ଅଧିକାରୀ ସାରା ଚାର୍ଲସ୍ଙ୍କ ନେତୃତ୍ୱାଧୀନ ‘ୟୁଏସ୍ ଟିମ୍’ ସହ ଆଲୋଚନାର ପ୍ରଥମ ଦୁଇ ଦିନ ପରେ ମୁତ୍ତାକି ଏଭଳି ମନ୍ତବ୍ୟ ଦେଇଛନ୍ତି।
ସେ ଆହୁରି କହିଛନ୍ତି, ‘ଆମେରିକା ଆଫଗାନିସ୍ତାନବାସୀଙ୍କୁ କୋଭିଡ୍-୧୯ ଟିକା ଦେବାରେ ସହାଯ୍ୟ କରିବ। ଟିକାକରଣରେ ସହାୟତା କରିବା ସହ ମାନବୀୟ ସହଯୋଗ ଯୋଗାଇ ଦେବେ ବୋଲି ଆମେରିକାରୁ ଆସିଥିବା ପ୍ରତିନିଧି ଦଳ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି।’ ସେପଟେ ଏହି ଆଲୋଚନା ସମ୍ବନ୍ଧରେ ଯୁକ୍ତରାଷ୍ଟ୍ର ଆମେରିକା ଠାରୁ କୌଣସି ମନ୍ତବ୍ୟ ମିଳିନାହିଁ।
The post ଆମେରିକା ସହ ପ୍ରଥମଥର କଥା ହେଲା ତାଲିବାନ, ଦେଲା ଚେତାବନୀ appeared first on Odisha Reporter.
from Odisha Reporter https://ift.tt/3DGRkWL
No comments:
Post a Comment