ଲକ୍ଷ୍ନୌ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଗିରଫ ହୋଇ ଏବେ ସୀତାପୁର ଗେଷ୍ଟ ହାଉସରେ ତିଆରି ହୋଇଥିବା ଜେଲରେ ଅଛନ୍ତି। ସୋମବାର ଭୋର ସମୟରୁ ହିଁ ପୁଲିସ୍ ପ୍ରିୟଙ୍କାଙ୍କୁ ଗିରଫ କରିଛି। ମଙ୍ଗଳବାର ଏହି ଖବର ଆସିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ସ୍ୱାମୀ ରବର୍ଟ ଭଦ୍ରା ଲକ୍ଷ୍ନୌ ଯିବାକୁ ଚାହୁଁଛନ୍ତି।
ହେଲେ ଲକ୍ଷ୍ନୌ ଏୟାରପୋର୍ଟରୁ ତାଙ୍କୁ ବାହାରକୁ ଯିବାକୁ ଅନୁମତି ମିଳିବ ନାହିଁ ବୋଲି କୁହାଯାଉଛି। ତେଣୁ ସେ ତାଙ୍କ ପତ୍ନୀ ପ୍ରିୟଙ୍କାଙ୍କୁ ଦେଖା କରିବାକୁ ଅନୁମତି ପାଉ ନଥିବା ଫେସବୁକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ସେ ପ୍ରିୟଙ୍କାଙ୍କ ସହ ତାଙ୍କର ଗୋଟିଏ ଫଟୋକୁ ପୋଷ୍ଟ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।
ସେ କହିଛନ୍ତି, “ପ୍ରିୟଙ୍କା କେମିତି ଆଇପିସିର ଧାରା ୧୫୧ରେ ଗିରଫ ହେଲେ, ସେକଥା ମୋ ବିଶ୍ୱାସ ବାହାରେ। ମୁଁ ତାଙ୍କ ସହ କଥା ହୋଇଥିଲି। ତାଙ୍କୁ ଗିରଫ କରାଯାଇଥିଲେ ମଧ୍ୟ କୌଣସି ପ୍ରକାରର ନୋଟିସ ଦିଆଯାଇ ନଥିବା ସେ ମୋତେ କହିଛନ୍ତି। ତାଙ୍କୁ କୌଣସି ନ୍ୟାୟିକ ଅଧିକାରୀଙ୍କ ଆଗରେ ହଜାର କରାଯାଉନି। ଏପରି କି ତାଙ୍କୁ ଓକିଲଙ୍କୁ ଭେଟିବାକୁ ମଧ୍ୟ ଅନୁମତି ମିଳୁନି।
ମୁଁ ତାଙ୍କ ପାଇଁ ବହୁତ ବ୍ୟସ୍ତ। ତାଙ୍କୁ ଦେଖାକରିବାକୁ ମୁଁ ଲକ୍ଷ୍ନୌ ବାହାରିଥିବା ବେଳେ ମୋତେ ଏୟାରପୋର୍ଟରୁ ବାହାରକୁ ଯିବାକୁ ଅନୁମତି ମିଳିବ ନାହିଁ ବୋଲି କୁହାଯାଇଛି। ଏହା ସଂପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ଘଟଣା। ମୁଁ ତାଙ୍କ ସ୍ୱାମୀ। ତଥାପି ମୁଁ ମୋ ପତ୍ନୀଙ୍କ ପାଖକୁ ଯାଇ ସହଯୋଗ କରିପାରିବିନି?
ତାଙ୍କ ସହ ଅନେକ ଲୋକ ରହିଥିବା ଗୋଟିଏ ଭଲ କଥା। କିନ୍ତୁ ମୋ ପାଇଁ ମୋ ପରିବାର ଓ ମୋ ପତ୍ନୀ ପ୍ରଥମ। ମୁଁ ଆଶା କରୁଛି ସେ ଖୁବଶୀଘ୍ର ମୁକ୍ତ ହେବେ ଓ ସଂପୂର୍ଣ୍ଣ ସୁରକ୍ଷିତ ଭାବେ ଘରକୁ ଫେରିବେ।”
ଅନ୍ୟପକ୍ଷରେ ପ୍ରିୟଙ୍କା ଅଟକ ଥିବା ସୀତାପୁରରେ ମୋବାଇଲ ଇଣ୍ଟରନେଟ ସେବାକୁ ଆଜି ବନ୍ଦ କରି ଦିଆଯାଇଛି। ସୁରକ୍ଷା ଦୃଷ୍ଟି କୋଣରୁ ପୁଲିସ୍ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।
ସୂଚନାଯୋଗ୍ୟ, ରବିବାର ଚାଷୀମାନେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଓ ୟୁପି ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟଙ୍କୁ ବିରୋଧ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ଗୋଟିଏ କଳା ରଙ୍ଗର ଜିପ୍ ସେମାନଙ୍କୁ ପଛପଟୁ ଧକ୍କା ଦେଇ ମାଡ଼ି ଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଘଟଣା ପରେ ହିଂସା ସୃଷ୍ଟି ହେବାରୁ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଜଣେ ସାମ୍ବାଦିକ ମଧ୍ୟ ରହିଛନ୍ତି।
ସେବେଠାରୁ ଲଖିମପୁର ଖେରି ଯିବାକୁ ବିରୋଧୀ ଦଳର ନେତାମାନେ ଚାହୁଁଥିଲେ ହେଁ ସେମାନଙ୍କୁ ଅନୁମତି ମିଳୁନାହିଁ। ସୋମବାର ଭୋର ସମୟରେ ପ୍ରିୟଙ୍କା କିଛି ବରିଷ୍ଠ ନେତାମାନଙ୍କ ସହ ଲଖିମପୁର ଖେରି ଯାଉଥିବା ବେଳେ ତାଙ୍କୁ ସୀତାପୁର ପୁଲିସ୍ ଅଟକାଇଥିଲା। ସେବେଠାରୁ ସେ ସୀତାପୁର ଗେଷ୍ଟ ହାଉସରେ ବନ୍ଦୀ ହୋଇ ରହିଛନ୍ତି। ସେ ବିଭିନ୍ନ ପ୍ରକାରର ଭିଡିଓ ଜାରି କରି ନିଜର ପକ୍ଷ ମଧ୍ୟ ରଖିଛନ୍ତି।
The post ପ୍ରିୟଙ୍କାଙ୍କୁ ଦେଖିବାକୁ ଚାହୁଁଛନ୍ତି ସ୍ୱାମୀ ରବର୍ଟ ଭଦ୍ରା, କିନ୍ତୁ ମିଳୁନି ଅନୁମତି appeared first on Odisha Reporter.
from Odisha Reporter https://ift.tt/3msQtBN
No comments:
Post a Comment