ନୂଆଦିଲ୍ଲୀ: ବିଜୟାଦଶମୀରେ ମଧ୍ୟ ଦେଶବାସୀଙ୍କୁ ମହଙ୍ଗା ମାଡ଼ରୁ ନିସ୍ତାର ମିଳିନି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପୂର୍ବରୁ ତୈଳଦର ରେକର୍ଡ ସ୍ତରରେ ଥିବା ବେଳେ ଏବେ ଏପରି ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି।
ଆଜି ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଦର ୩୫ ପଇସା ମହଙ୍ଗା ହୋଇଛି। ଫଳରେ ରାଜଧାନୀରେ ପେଟ୍ରୋଲର ଲିଟର ପିଛା ଦର ୧୦୫.୧୪ ଟଙ୍କା ଓ ଡିଜେଲର ଦାମ ୯୩.୮୭ ଟଙ୍କା ହୋଇଯାଇଛି। ଗୁରୁବାର ମଧ୍ୟ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ୩୫ ପଇସା ଲେଖାଏ ବଢ଼ିଥିଲା।
ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୩୪ ପଇସା ବଢ଼ିବାରୁ ଲୋକମାନେ ୧୧୧.୦୯ ଟଙ୍କାରେ ଏହାକୁ କିଣୁଛନ୍ତି। ସେହିପରି ଏଠାରେ ଡିଜେଲ ୩୮ ପଇସା ମହଙ୍ଗା ହୋଇଛି। ଆଜି ମୁମ୍ବାଇରେ ଡିଜେଲ ଲିଟର ପିଛା ୧୦୧.୭୮ ଟଙ୍କା ଛୁଇଁଛି। ଚେନ୍ନାଇରେ ପେଟ୍ରୋଲର ଲିଟର ପିଛା ଦର ୧୦୨.୦୪ ଟଙ୍କା ଓ କୋଲକାତାରେ ୧୦୫.୭୭ ଟଙ୍କା ରହିଛି। ଏହି ଦୁଇ ସହରରେ ଡିଜେଲର ଦାମ ଯଥାକ୍ରମେ ୯୮.୨୬ ଓ ୯୬.୯୮ ଟଙ୍କାରେ ବିକ୍ରି ହେଉଛି।
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଓ ଡିଜେଲର ଦାମ ସାମାନ୍ୟ ହ୍ରାସ ପାଇଛି। ଆଜି ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୧୬ ପଇସା ଓ ଡିଜେଲ ଲିଟର ପିଛା ୧୧ ପଇସା ଶସ୍ତା ହୋଇଛି। ଫଳରେ ରାଜଧାନୀବାସୀ ଦଶହରାରେ ପେଟ୍ରୋଲ ୧୦୫.୯୦ ଟଙ୍କା ଓ ଡିଜେଲ ୧୦୨.୨୨ ଟଙ୍କାରେ କିଣୁଛନ୍ତି। ଗତକାଲି ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ୭୧ ପଇସା ଲେଖାଏ ବଢ଼ିଥିଲା।
ଚଳିତ ମାସରେ ତୈଳଦର ୨ ଦିନ ସ୍ଥିର ରହିଥିବା ବେଳେ ବାକି ସବୁଦିନ ବଢ଼ିଛି। ତୈଳଦର ବଢ଼ୁଥିବାରୁ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକର ଦର ମଧ୍ୟ ବୃଦ୍ଧି ପାଉଛି।
The post ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ, ଦଶହରାରେ ବି ବଢ଼ିଲା ତୈଳଦର appeared first on Odisha Reporter.
from Odisha Reporter https://ift.tt/3AKqjQe
No comments:
Post a Comment