ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ସ୍କୁଲ୍ର ସଭାପତି ଗୋବିନ୍ଦ ସାହୁ ଗିରଫ ହୋଇସାରିଛନ୍ତି। ଗୋବିନ୍ଦ ସାହୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବେଳେ ତାଙ୍କର ସହଯୋଗୀ ରାଧେ ଚଣ୍ଡୀଙ୍କୁ ମଧ୍ୟ ଗିରଫ କରାଯାଇଛି। ତେବେ ଗୋବିନ୍ଦ ସାହୁଙ୍କ ସହିତ ଭଲ ସଂପର୍କ ରଖିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ମୁସ୍କିଲ୍ କମିବାର ନାଁ ନେଉ ନାହିଁ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡ଼ି ବସିଛନ୍ତି ଉଭୟ କଂଗ୍ରେସ ଓ ବିଜେପି।
ଏହି ମାମଲାରେ ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀମାନେ ଆଜି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ଏତଲା ଦେବାକୁ କ୍ୟାପିଟାଲ ଥାନା ଯାଇଥିଲେ। ସେମାନଙ୍କୁ ପୁଲିସ୍ ଅଟକାଇଥିଲା। ତେବେ ସେମାନେ ଥାନା ଭିତରକୁ ଧଶେଇ ପଶିଥିଲେ ଓ ତା’ସହିତ ନାରାବାଜି କରିଥିଲେ। ସେମାନେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ନାରାବାଜି କରିଥିଲେ।
କାହା ଇଙ୍ଗିତରେ କେ.ଗାଁ ଥାନାରେ ପ୍ରଥମେ ମମିତା ମେହେରଙ୍କ ପରିବାର ଲୋକଙ୍କ ଅଭିଯୋଗ ରଖାଯାଇନଥିଲା ବୋଲି ପ୍ରଶ୍ନ କରିଛି ବିଜେପି ଯୁବ ମୋର୍ଚ୍ଚା। ମନ୍ତ୍ରୀଙ୍କୁ ଘଣ୍ଟ ନ ଘୋଡ଼ାଇବା ପାଇଁ ସରକାରଙ୍କୁ ଆହ୍ୱାନ ଦେଇଛି ଦଳ। ଏହା ସହିତ ଘଟଣାର ସିବିଆଇ ତଦନ୍ତ କରାଇଲେ ମମିତାଙ୍କ ପରିବାରକୁ ନ୍ୟାୟ ମିଳିପାରିବ ବୋଲି ବିଜେପି ଯୁବ ମୋର୍ଚ୍ଚା କହିଛି।
ସେହିଭଳି କଂଗ୍ରେସ ପକ୍ଷରୁ ମଧ୍ୟ ଏହି ମାମଲାରେ ସ୍ୱର ଉତ୍ତୋଳନ ଜାରି ରହିଛି। ଆଜି ଦଳ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଏସ୍ପି ଅଫିସ୍ ସମ୍ମୁଖରେ ଧାରଣା ଦିଆଯାଇଛି। ଏଥିରେ ସରକାର ବିରୋଧୀ ସ୍ଲୋଗାନ ଦିଆଯାଇଛି। ଦଳ ପକ୍ଷରୁ ଭବାନୀପାଟଣା-କେସିଙ୍ଗା ରୋଡରୁ ଏକ ବାଇକ ଶୋଭାଯାତ୍ରା ମଧ୍ୟ କରାଯାଇଥିଲା। ସେହିପରି ଭବାନୀପାଟଣାରେ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବାସଭବନରେ ଅଣ୍ଡାମାଡ଼ କରାଯାଇଥିଲା। ଏହା ପୂର୍ବରୁ ଗତ ୨୦ ତାରିଖରେ ବିଜେପି କର୍ମୀ ତାଙ୍କର ଏହି ଘର ଉପରେ ଅଣ୍ଡାମାଡ଼ କରିଥିଲେ।
ରାଜ୍ୟ ମହିଳା କଂଗ୍ରେସର ଏକ ଟିମ୍ ଆଜି ମମିତା ମେହେରଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ନେତୃତ୍ୱରେ ୫ ଜଣିଆ ପ୍ରତିନିଧି ଦଳ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରଣୀ ଗାଁକୁ ଯାଇ ମମିତାଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ। ଘଟଣାର ଉଚିତ ତଦନ୍ତ କରାଯିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ମହିଳା କଂଗ୍ରେସ।
The post ଅଣ୍ଡାମାଡ଼ କଲା କଂଗ୍ରେସ, ଧଶେଇ ପଶିଲା ବିଜେପି appeared first on Odisha Reporter.
from Odisha Reporter https://ift.tt/3m4ru96
No comments:
Post a Comment