ୱାଶିଂଟନ: ପ୍ରତିଦିନ ଲୋକମାନେ ବିଭିନ୍ନ ପ୍ରକାରର ପ୍ଲାଷ୍ଟିକ ଓ ମେକଅପ୍ ଭଳି ଜିନିଷ ବ୍ୟବହାର କରୁଛନ୍ତି। ହେଲେ ଏଥିରେ ବ୍ୟବହୃତ ହେଉଥିବା କେମିକାଲ ଗୁଡ଼ିକ ଯୋଗୁ ଆମେରିକାରେ ପ୍ରତିବର୍ଷ ପ୍ରାୟ ଲକ୍ଷେ ଲୋକ ଜୀବନ ହରାଉଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ରହୁଛନ୍ତି। ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଗବେଷଣାରୁ ଏପରି ତଥ୍ୟ ସାମ୍ନାକୁ ଆସିଛି।
ଗବେଷଣାରୁ ଜଣାପଡ଼ିଛି ଯେ ଖେଳନା, ପୋଷାକ, ମେକଅପ ଓ ସାମ୍ପୁ ଭଳି ଶହ ଶହ ଦ୍ରବ୍ୟରେ ମିଳୁଥିବା ରାସାୟନିକ ପଦାର୍ଥ ହରମୋନ୍ ବ୍ୟାଘାତକାରୀ ଭାବରେ ବେଶ ଜଣାଶୁଣା। ଏହା ବ୍ୟକ୍ତିର ଏଣ୍ଡୋକ୍ରାଇନ୍ ସିଷ୍ଟମକୁ ପ୍ରଭାବିତ କରିଥାଏ। ଏସବୁ ସାମଗ୍ରୀ ବ୍ୟବହାର କରିବା ଦ୍ୱାରା ବିଷାକ୍ତ ପଦାର୍ଥ ଶରୀରରେ ପ୍ରବେଶ କରିଥାଏ। ଏହା ମୋଟାପଣ, ମଧୁମେହ ଓ ହୃଦରୋଗ ଭଳି ସମସ୍ୟା ସୃଷ୍ଟି କରିଥାଏ। ସମୟକ୍ରମେ ଏଥିରେ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଥାଏ।
ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଗ୍ରସମ୍ୟାନ୍ ସ୍କୁଲ୍ ଅଫ୍ ମେଡିସିନ୍ ଦ୍ୱାରା କରାଯାଇଥିବା ଗବେଷଣାରେ ୫୫ରୁ ୬୪ ବର୍ଷ ବୟସର ପ୍ରାୟ ୫୦୦୦ ହଜାର ଲୋକଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କ ଶରୀରରେ ଉପରେ ରାସାୟନିକ ପଦାର୍ଥଗୁଡ଼ିକର ପ୍ରଭାବ କ’ଣ ରହୁଛି, ତା’କୁ ଯାଞ୍ଚ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ଯେଉଁମାନଙ୍କର ପରିଶ୍ରାରେ ଫଥାଲେଟସ ଅଧିକ ରହିଛି, ସେମାନେ ହୃଦଜନିତ ସମସ୍ୟାରେ ପ୍ରାଣ ହରାଇବାର ଆଶଙ୍କା ରହୁଛି।
ଗବେଷଣା କରୁଥିବା ଟିମର ନେତୃତ୍ୱ ନେଉଥିବା ଲିଓନାର୍ଡୋ ଟ୍ରାସାଣ୍ଡେ କହିଛନ୍ତି ଯେ ଆମ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ବର୍ଦ୍ଧିତ ଫଥାଲେଟସ ଯୋଗୁ ଜଣେ ବ୍ୟକ୍ତି ହାର୍ଟ ଜନିତ ରୋଗରେ ଶୀଘ୍ର ପ୍ରାଣ ହରାଇବାର ଆଶଙ୍କା ରହୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଜାଣିବାକୁ ପାଇଛୁ ଯେ ରାସାୟନିକ ପଦାର୍ଥ ହୃଦ୍ ରୋଗ ସହିତ ଜଡ଼ିତ ଓ ହୃଦରୋଗ ମୃତ୍ୟୁର ଏକ ପ୍ରମୁଖ କାରଣ।
ମୃତ୍ୟୁର କାରଣ ସାଜୁଥିବା ରାସାୟନିକ ପଦାର୍ଥର ବ୍ୟବହାର ଆମ ସମାଜରେ ବହୁଳ ମାତ୍ରାରେ କରାଯାଉଛି। ଆମେରିକାବାସୀ ସବୁଦିନ ବିଭିନ୍ନ ପ୍ରକାରର ପ୍ଲାଷ୍ଟିକ, ମେକଅପ ସାମଗ୍ରୀ ଓ ଖେଳନା ଆଦିର ବ୍ୟବହାର କରୁଛନ୍ତି। ଏଥିରେ ବ୍ୟବହୃତ ହେଉଥିବା କେମିକାଲ ଲୋକଙ୍କ ଶରୀରକୁ ଯାଉଛି। ଫଳରେ ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ଲୋକ ଏଥିଯୋଗୁ ପ୍ରାଣ ହରାଉଛନ୍ତି ବୋଲି ସେ କହିଛନ୍ତି।
The post ପ୍ଲାଷ୍ଟିକ ଓ ମେକଅପରେ ବ୍ୟବହୃତ କେମିକାଲ ନେଉଛି ଲକ୍ଷେ ଲୋକଙ୍କ ଜୀବନ! appeared first on Odisha Reporter.
from Odisha Reporter https://ift.tt/3vaF4KP
No comments:
Post a Comment