ଇମ୍ଫାଲ: ବଜାରକୁ ଆସିଛି ନୂଆ ସ୍କିମ୍। ଟିକା ଦେବାକୁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଆରମ୍ଭ ହୋଇଛି ନୂଆ ନୂଆ ଯୋଜନା। କେବଳ ସେତିକି ନୁହେଁ ପୁରସ୍କାର ରାଶି ମଧ୍ୟ ଘୋଷଣା ହେଉଛି। ଏଭିଳି ସ୍ଥିତିରେ ଏବେ ଆଉ ଏକ ନୂଆ ସ୍କିମ୍ ଘୋଷଣା ହୋଇଛି। ଟିକା ଦେଲେ ମିଳିବ ଟିଭି ଓ ମୋବାଇଲ୍ ଫୋନ୍ ଜିତିବା ସୁଯୋଗ। ମଣିପୁରେ ଏହି ଅଦ୍ଭୁତ ସ୍କିମ୍ ଆରମ୍ଭ ହୋଇଛି।
ମଣିପୁର ଇମ୍ଫାଲର ପଶ୍ଚିମ ଜିଲ୍ଲାରେ ଏକ ମେଗା ଟୀକାକରଣ ଶିବିର ଆୟୋଜନ କରାଯାଇଛି। ଏହି ଶିବିରରେ, ଯେଉଁମାନେ କୋଭିଡ-୧୯ ଟିକା ଦେବେ, ସେମାନଙ୍କୁ ଟେଲିଭିଜନ ସେଟ୍, ମୋବାଇଲ୍ ଫୋନ୍ କିମ୍ବା କମ୍ବଳ ଜିତିବାର ସୁଯୋଗ ମିଳିବ ବୋଲି ଅଧିକାରୀମାନେ କହିଛନ୍ତି।
ଅଧିକାରୀ କହିଛନ୍ତି ଯେ ଇମ୍ଫାଲ ପଶ୍ଚିମ ଜିଲ୍ଲା ପ୍ରଶାସନ ଟୀକାକରଣ ବୃଦ୍ଧି କରିବାକୁ ଚାହୁଁଛନ୍ତି। ଏଭଳି ପରିସ୍ଥିତିରେ ‘ଏକ ଟିକା ଦିଅ, ପୁରସ୍କାର ନିଅ’ ସ୍ଲୋଗାନ ଦେଇ ଏକ ମେଗା ଟୀକାକରଣ ସହ ବମ୍ପର ଡ୍ର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।
ଅକ୍ଟୋବର ୨୪, ଅକ୍ଟୋବର ୩୧ ଏବଂ ନଭେମ୍ବର ୭ରେ ଜିଲ୍ଲାର ତିନୋଟି କେନ୍ଦ୍ରରେ ଏହି ଟୀକାକରଣ ଶିବିର ଆୟୋଜନ କରାଯିବ। ଏ ବାବଦରେ ଇମ୍ଫାଲ ପଶ୍ଚିମ ଜିଲ୍ଲା ଡେପୁଟି କମିଶନର ଟିଏଚ୍. କିରଣକୁମାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। କୁହାଯାଇଛି ଯେ ଯେଉଁମାନେ ତିନୋଟି କେନ୍ଦ୍ରରେ ଟୀକାକରଣ କରବେ ସେମାନେ ବମ୍ପର ଡ୍ର’ରେ ଅଂଶଗ୍ରହଣ କରି ପୁରସ୍କାର ଜିତିବାର ସୁଯୋଗ ପାଇବେ।
ପ୍ରଥମ ପୁରସ୍କାର ଭାବେ ଏକ ବଡ଼ ଟେଲିଭିଜନ୍ ସେଟ୍ ରହିଚି, ଦ୍ୱିତୀୟଟି ମୋବାଇଲ୍ ଫୋନ୍ ଏବଂ ତୃତୀୟଟି କମ୍ବଳ ସହିତ ଅନ୍ୟ ୧୦ଟି ସାନ୍ତ୍ୱନାମୂଳକ ପୁରସ୍କାର ବୋଲି ବିଜ୍ଞପ୍ତିରେ କୁହାଯାଇଛି। ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏହି କରୋନା ଟୀକାକରଣର ପ୍ରଥମ କିମ୍ବା ଦ୍ୱିତୀୟ ଡୋଜରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ହୋଇପାରିବେ ବୋଲି କୁହାଯାଇଛି।
ଭାରତରେ ଟୀକାକରଣ ଦ୍ରୁତ ଗତିରେ ଚାଲିଛି। ଏପର୍ଯ୍ୟନ୍ତ ୯୭,୬୫,୮୯,୫୪୦ ଲୋକଙ୍କୁ ଟିକା ଦିଆ ସରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୧,୨୦,୭୭୨ ଲୋକଙ୍କୁ ଟିକା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ୧୦୧.୭ କୋଟିରୁ ଅଧିକ ଡୋଜ କୋଭିଡ-୧୯ ଟିକା ଯୋଗାଇ ଦିଆଯାଇଛି।
The post ଟିକା ଦିଅନ୍ତୁ, ଟିଭି ଓ ମୋବାଇଲ ନିଅନ୍ତୁ appeared first on Odisha Reporter.
from Odisha Reporter https://ift.tt/3FRYQzR
No comments:
Post a Comment