ରାମଚନ୍ଦ୍ରଙ୍କ ସମେତ ୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ୧୩୦ରେ ପହଞ୍ଚିଲାଣି ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 12, 2021

ରାମଚନ୍ଦ୍ରଙ୍କ ସମେତ ୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ୧୩୦ରେ ପହଞ୍ଚିଲାଣି ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ୮ ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ଏହା ସହିତ ଏଯାବତ ୧୩୦ ଜଣଙ୍କୁ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦିଆଗଲାଣି।

ଏହି ୮ ଜଣଙ୍କ ମଧ୍ୟରେ ଅଛନ୍ତି ନିମାପଡ଼ାର ପୂର୍ବତନ ତହସିଲଦାର ତଥା ଓଏଏସ୍ ଅଧିକାରୀ ରାମଚନ୍ଦ୍ର ଜେନା। ତାଙ୍କ ବିରୋଧରେ ୩ଟି ଦୁର୍ନୀତି ଅଭିଯୋଗ ରହିଛି। ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଯାଞ୍ଚ ସମୟରେ ତାଙ୍କ ନିକଟରୁ ଏକାଧିକ ପ୍ୟାନ୍ କାର୍ଡ ସହିତ ୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ତାଙ୍କୁ ଭିଜିଲାନ୍ସ ଗିରଫ ମଧ୍ୟ କରିଥିଲା।

ଅନ୍ୟମାନେ ହେଉଛନ୍ତି- ଜଗତସିଂହପୁରର ପୂର୍ବତନ ଡେପୁଟି କଲେକ୍ଟର ତଥା ଓଏଏସ୍ ଅଧିକାରୀ ଗୌରାଙ୍ଗ ଚରଣ ମହାନ୍ତି, ସୁନ୍ଦରଗଡ଼ ଲାଠିକଟାର ପୂର୍ବତନ ତହସିଲଦାର ତଥା ବର୍ତ୍ତମାନ ବରଗଡ଼ର ଅମ୍ବାଭୋନାରେ ବିଡିଓ ଥିବା ଓଏଏସ୍ ଅଧିକାରୀ ଆଲଫୋନ୍ସ ବିଲୁଙ୍ଗ, କେନ୍ଦୁଝର ଜଳସେଚନ ବିଭାଗ ବୈତରଣୀ ଡିଭିଜନର ପୂର୍ବତନ ସୁପରିଟେଣ୍ଡିଂ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ୍ ସିଡିପିଓ ମୀନା ପାତ୍ର, ଥୁଆମୂଳ ରାମପୁର ବ୍ଲକ୍ ସିଡିପିଓ ପୁଷ୍ପାଞ୍ଚଳି ରଥ, ଦେବଗଡ଼ର ପୂର୍ବତନ ଡେପୁଟି ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଅଜିତ କୁମାର ମହାପାତ୍ର, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍‌ର କ୍ୟାସିଅର ପ୍ରଭାକର ପ୍ରଧାନ।

ଜଗତସିଂହପୁରର ପୂର୍ବତନ ଡେପୁଟି କଲେକ୍ଟର ତଥା ଓଏଏସ୍ ଅଧିକାରୀ ଗୌରାଙ୍ଗ ଚରଣ ମହାନ୍ତିଙ୍କ ବିରୋଧରେ ୭ଟି ଦୁର୍ନୀତି ଅଭିଯୋଗ ଥିଲା। ତାଙ୍କ ନାମରେ ସରକାରୀ ପାଣ୍ଠି ଆତ୍ମସାତ ତଥା ସରକାରୀ ଯୋଜନାର ସୁବିଧା ଆବଣ୍ଟନରେ ଅନିୟମିତତାର ଅଭିଯୋଗ ଥିଲା।

ସୁନ୍ଦରଗଡ଼ ଜିଲ୍ଲା ଲାଠିକଟାର ପୂର୍ବତନ ତହସିଲଦାର ଏବଂ ବର୍ତ୍ତମାନ ବରଗଡ଼ ଜିଲ୍ଲା ଅମ୍ବାଭୋନାରେ ବିଡିଓ ଥିବା ଓଏଏସ୍ ଅଧିକାରୀ ଆଲଫୋନ୍ସ ବିଲୁଙ୍ଗଙ୍କ ନାମରେ ୩ଟି ଦୁର୍ନୀତି ଅଭିଯୋଗ ରହିଛି । ସେ ଜମିର କିସମ ପରିବର୍ତ୍ତନ ତଥା ରାଜସ୍ୱ ଆଦାୟ କ୍ଷେତ୍ରରେ ଅନୁଚିତ ଅନୁଗ୍ରହ ପ୍ରଦାନ କରି ସରକାରଙ୍କୁ କ୍ଷତି ପହଞ୍ଚାଇଥିଲେ।

କେନ୍ଦୁଝର ଜଳସେଚନ ବିଭାଗ ବୈତରଣୀ ଡିଭିଜନର ପୂର୍ବତନ ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ଗତ ଅକ୍ଟୋବର ମାସରେ ସେ ୧୦ ଲକ୍ଷ ଟଙ୍କା ଧରି ଯାଉଥିବା ବେଳେ ଯାଜପୁରରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏହା ପରେ କଟକ ସ୍ଥିତ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା ଓ ବହୁ ପରିମାଣରେ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଥିଲା।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସିଡିପିଓ ମୀନା ପାତ୍ର ଗତ ଅକ୍ଟୋବର ୪ ତାରିଖରେ ଦୁଇଟି ସ୍ୱୟଂ ସହାୟତା ଗୋଷ୍ଠୀ ଠାରୁ ଛତୁଆ ଯୋଗାଣ ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏହା ପରେ ଭବାନୀପାଟଣାରେ ତାଙ୍କର ଦୁଇଟି କୋଠାଘର ଓ ୬ଟି ପ୍ଲଟ୍ ଠାବ କରାଯାଇଥିଲା। ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧ କୋଟି ୮୦ ଲକ୍ଷ ଟଙ୍କା ଆକଳନ କରାଯାଇଥିଲା।

ସେହିପରି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସିଡିପିଓ ପୁଷ୍ପାଞ୍ଚଳି ରଥ ଗତ ଅକ୍ଟୋବର ୨୫ ତାରିଖରେ ଜଣେ କର୍ମୀଙ୍କୁ ନିଯୁକ୍ତି ଦେବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଯାଞ୍ଚ ବେଳେ ତାଙ୍କ ନିକଟରେ ବହୁ ପରିମାଣର ସମ୍ପତ୍ତି ଠାବ କରାଯାଇଥିଲା। ସେଥିମଧ୍ୟରେ ରହିଛି ବଲାଙ୍ଗୀରରେ ଗୋଟିଏ ୨ ମହଳା କୋଠା, ଗୋଟିଏ ଟାଟା ନେକ୍ସନ କାର୍ ଓ ୩ଟି ପ୍ଲଟ୍। ତା’ସହିତ ନିଜ ନାଁରେ ଓ ପରିବାରର ସଦସ୍ୟଙ୍କ ନାମରେ ଅନେକ ପୁଞ୍ଜି ବିନିଯୋଗ କରିଛନ୍ତି।

ଦେବଗଡ଼ର ପୂର୍ବତନ ଡେପୁଟି ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଅଜିତ କୁମାର ମହାପାତ୍ର ଗତ ସେପ୍ଟେମ୍ବର ୨୯ ତାରିଖରେ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ବ୍ରହ୍ମପୁର ସହରରେ ତାଙ୍କର ୬୦ ଲକ୍ଷ ଟଙ୍କାର ଏକ ଘର ରହିଛି। ବ୍ରହ୍ମପୁର ତହସିଲରେ ତାଙ୍କ ପତ୍ନୀଙ୍କ ନାମରେ ଦୁଇଟି ପ୍ଲଟ ଓ ଅନେକ ସୁନା ଅଳଙ୍କାର ଠାବ କରାଯାଇଥିଲା।

ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ରେ କ୍ୟାସିଅର ଭାବରେ କାମ କରୁଥିବା ପ୍ରଭାକର ପ୍ରଧାନ ବିଭିନ୍ନ ହିତାଧିକାରୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ। ସେ ସରକାରୀ ଅର୍ଥକୁ ତାଙ୍କ ପତ୍ନୀ ଓ ବନ୍ଧୁବାନ୍ଧବଙ୍କ ଆକାଉଣ୍ଟରେ ଜମା କରି ଦେଇଥିଲେ। ତାଙ୍କ ନାମର ଦୁଇଟି ଅଭିଯୋଗ ରହିଛି। ତାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତରେ ରଖାଯାଇଛି।

The post ରାମଚନ୍ଦ୍ରଙ୍କ ସମେତ ୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ୧୩୦ରେ ପହଞ୍ଚିଲାଣି ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/3C3965a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages