ପଞ୍ଚାୟତ ପ୍ରଚାର, ଦୁର୍ନୀତି ବିସ୍ତାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 22, 2021

ପଞ୍ଚାୟତ ପ୍ରଚାର, ଦୁର୍ନୀତି ବିସ୍ତାର

ଦେବେନ୍ଦ୍ର ପୃଷ୍ଟି

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୨୦୨୧ ନଭେମ୍ବର ପ୍ରଥମ ସପ୍ତାହରେ ବସିଥିଲା ସର୍ବଦଳୀୟ ବୈଠକ। ରାଜ୍ୟ ନିର୍ବାଚନ କମିଶନ ଏହି ବୈଠକ ଡକାଇଥିଲେ। ବୈଠକରେ ଯୋଗ ଦେଇଥିବା ପ୍ରାୟ ସମସ୍ତ ଦଳ ପ୍ରସ୍ତାବ ଦେଲେ ଯେ ଏଥର ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ବଢ଼ାଯାଉ। ତା ସହିତ ନିର୍ବାଚନକୁ ମଦମୁକ୍ତ ରଖିବା ପାଇଁ ଦୃଢ଼ ପଦକ୍ଷେପ ନିଆଯାଉ ବୋଲି ମଧ୍ୟ ଦାବି ହୋଇଥିଲା। କାରଣ ମଦ ଯୋଗୁଁ ପଞ୍ଚାୟତ ନିର୍ବାଚନ ମୁକ୍ତ ଓ ଅବାଧ ହୋଇପାରୁ ନାହିଁ, ମଦନିଶାରେ ଅନେକ ଅଞ୍ଚଳରେ ହିଂସାକାଣ୍ଡ ସୃଷ୍ଟି ହେଉଛି ବୋଲି ରାଜନୀତିକ ଦଳଗୁଡ଼ିକ ମତ ରଖିଥିଲେ।

୨୦୨୧ ନଭେମ୍ବର ଦ୍ୱିତୀୟ ସପ୍ତାହରେ ନିର୍ବାଚନ କମିଶନଙ୍କ ତରଫରୁ ଜାରି ବିଜ୍ଞପ୍ତିରେ କୁହାଗଲା ଯେ ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ବୃଦ୍ଧି ପ୍ରସ୍ତାବ ଗୃହୀତ ହୋଇଛି। କିନ୍ତୁ ନିର୍ବାଚନକୁ ମଦମୁକ୍ତ ରଖିବା ପ୍ରସ୍ତାବ ସଂପର୍କରେ ବିଜ୍ଞପ୍ତିରେ କିଛି ଉଲ୍ଲେଖ ନଥିଲା। ଏହାର ଅର୍ଥ ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀମାନେ ପ୍ରଚାର ବାବଦରେ ଅଧିକ ଖର୍ଚ୍ଚ କରିବେ। ଅଧିକ ଖର୍ଚ୍ଚ ହେବ ମାନେ ଅଧିକ ମଦ ପିଆଯିବ। ଅଧିକ ମଦ ପିଆଯିବ ମାନେ ଅଧିକ ଗଣ୍ଡଗୋଳ ହେବ। ଅନ୍ତତଃ ଦଳଗୁଡ଼ିକ ଏଇ ଆଶଙ୍କା କରିଥିଲେ। ଅବଶ୍ୟ ଦଳଗୁଡ଼ିକ ହିଁ ପ୍ରାର୍ଥୀଙ୍କ ପଛରେ ରହି ନିର୍ବାଚନକୁ ମଦମାଉଁସରେ ଧୋଇ ଦିଅନ୍ତି।

ରାଜ୍ୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ଏଣିକି ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନେ ପ୍ରଚାର ବାବଦରେ ସର୍ବାଧିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ଏ ଖର୍ଚ୍ଚସୀମା ଆଗରୁ ୮୦ ହଜାର ଟଙ୍କା ଥିଲା। ଏହା ବି ଅଧିକ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ପ୍ରଚାରରେ ୨ଟି ଜିପ୍‌ ବା କାର୍‌ ଓ ୫ଟି ମୋଟର ସାଇକେଲ ମଧ୍ୟ ବ୍ୟବହାର କରିପାରିବେ।

ଏବେ ହିସାବ କରନ୍ତୁ, ସରପଞ୍ଚ ପ୍ରାର୍ଥୀମାନେ ଯଦି ପ୍ରଚାରରେ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ, ତେବେ ତାହା ଉଠେଇବେ ନା ନାହିଁ? ନା କେବଳ ନାଁ କମେଇବା ଓ ଭୋଟ୍‌ ଜିତିବା ପାଇଁ ପ୍ରାର୍ଥୀମାନେ ଘରବାଡ଼ି ବିକି ପ୍ରଚାର କରିବେ? ବା ବ୍ୟାଙ୍କ ବାଲାନ୍ସ କମେଇଦେବେ? ସମସ୍ତେ ତ ଜିତିବେ ନାହିଁ। ଜଣେ ହିଁ ଜିତିବ। ସେ ଜଣକ ସରପଞ୍ଚ ବା ସମିତି ସଭ୍ୟ ଭାବେ ୫ ବର୍ଷରେ ଏମିତି କେତେ ଟଙ୍କା ମାନଦେୟ ବା ହନରାରିୟମ ପାଇବେ କି? ସରକାରୀ ଭାଷାରେ ସେମାନେ କେହି ଦରମା ପାଆନ୍ତି ନାହିଁ। ଶେଷ ଥର ପାଇଁ ୨୦୨୦ ଜୁନ ମାସରେ ରାଜ୍ୟ ପଞ୍ଚାୟତିରାଜ ବିଭାଗ ପଞ୍ଚାୟତ ପ୍ରତିନିଧିମାନଙ୍କର ହନରାରିୟମ ବା ମାନଦେୟ ବୃଦ୍ଧି କରିଥିଲା। ସେହି ଅନୁସାରେ, ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ ଉପାଧ୍ୟକ୍ଷମାନେ ମାସକୁ ୨୩୫୦ ଟଙ୍କା ଲେଖାଏଁ ମାନଦେୟ ପାଉଛନ୍ତି। ପୂର୍ବରୁ ଏହି ପରିମାଣ ଥିଲା ୧୮୮୦ ଟଙ୍କା।

ତେଣୁ ଏବେ ଜଣେ ଜଣେ ସରପଞ୍ଚ ଓ ସମିତି ସଭ୍ୟ ୫ ବର୍ଷକୁ ମୋଟ ଉପରେ ପାଇବେ ୧ ଲକ୍ଷ ୪୧ ହଜାର ଟଙ୍କା। ନିର୍ବାଚନ ପ୍ରଚାରରେ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଇବେ ଲକ୍ଷେ ୪୧ ହଜାର ଟଙ୍କା। ମାନେ ୬୦ ହଜାର ଲସ୍‌! ଆମ ରାଜ୍ୟରେ କ’ଣ ଏତେ ତ୍ୟାଗୀପୁରୁଷ ବା ନାରୀ ଅଛନ୍ତି? ଯେଉଁମାନେ ହାତରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ସରପଞ୍ଚ ବା ସମିତି ସଭ୍ୟ ହେବେ, ବିନା ଫାଇଦାରେ? ଏମାନଙ୍କର ଦୈନିକ ଭତ୍ତା ୪୦ ଟଙ୍କା ଓ ବୈଠକ ଭତ୍ତା ୨୦୦ ଟଙ୍କା। ସବୁଦିନ ବୈଠକ ବସେ ନାହିଁ। ତେଣୁ ସବୁଦିନ ବୈଠକ ଭତ୍ତା ମଞ୍ଜୁର ହୁଏନାହିଁ। ଦୈନିକ ଭତ୍ତା ମାସିକ ମିଳୁଛି କି ନାହିଁ ସ୍ପଷ୍ଟ ନୁହେଁ, ମିଳିଲେ ବି ମାସିକ ୧୨୦୦ ଟଙ୍କା ହେବ। ସବୁ ମିଶେଇଲେ ବି ସରପଞ୍ଚ ଓ ସମିତି ସଭ୍ୟମାନେ ପ୍ରଚାରରେ ଯେତେ ଖର୍ଚ୍ଚ କରିଥିବେ କାଗଜପତ୍ରରେ ସେତିକି ପାଇବେ ନାହିଁ। ତା ହେଲେ ସେମାନେ କ’ଣ ସତରେ ହାତରୁ ଖର୍ଚ୍ଚ କରି ଘୋଡ଼ା ଆଗରେ ଡେଉଁଛନ୍ତି? ଟିକେ ପରେ ଏହାର ରହସ୍ୟ ଖୋଲିବା।

ସରପଞ୍ଚ ଓ ସମିତି ସଭ୍ୟଙ୍କ ପରି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ଖର୍ଚ୍ଚ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଜିଲ୍ଲା ପରିଷଦ ସଦସ୍ୟଙ୍କ ମାନଦେୟ ହେଲା ମାସିକ ୩୫୩୦ ଟଙ୍କା। ପୂର୍ବରୁ ଏହା ୨୮୨୦ ଟଙ୍କା ଥିଲା। ଏମାନଙ୍କର ଦୈନିକ ଭତ୍ତା ୮୦ ଟଙ୍କା ଓ ବୈଠକ ଭତ୍ତା ୨୨୦ ଟଙ୍କା। ଜିଲ୍ଲା ପରିଷଦ ସଭ୍ୟ ହେବା ପାଇଁ ପ୍ରାର୍ଥୀ ଖର୍ଚ୍ଚ କରିବେ ୫ ଲକ୍ଷ ଟଙ୍କା ପାଇବେ ୫ ବର୍ଷରେ ମୋଟ ଉପରେ ୨ ଲକ୍ଷ ୧୧ ହଜାର ଟଙ୍କା। ମାନେ ୫ ବର୍ଷରେ ୩ ଲକ୍ଷ ଟଙ୍କା ଲସ୍‌! ଏଭଳି ଲସ୍‌ କରିବା ପାଇଁ କାହା ଘରେ କେହି ରାଜି ହେବେ? ଜିଲ୍ଲା ପରିଷଦ ଉପସଭାପତି ହେଲେ ୫ ବର୍ଷରେ ୪ ଲକ୍ଷ ୨୨ ହଜାର ଓ ସଭାପତି ହେଲେ ୫ ଲକ୍ଷ ୬୨ ହଜାର ଟଙ୍କା ପାଇବେ। ତେଣୁ ଆୟ-ବ୍ୟୟ ହିସାବ କଲେ ଲାଭ ବଦଳରେ କ୍ଷତି ହିଁ ମିଳିବ। କାରଣ ମୂଳ ପ୍ରଚାର ଖର୍ଚ୍ଚ ଉପରେ ୫ ବର୍ଷର ସୁଧ ହିସାବ ହେବ।

ଏଭଳି କ୍ଷତି ସତ୍ତ୍ୱେ ଆମର ପ୍ରାୟ ୬୭୯୮ ଗ୍ରାମ ପଞ୍ଚାୟତ ଓ ୮୫୪ ଜିଲ୍ଲା ପରିଷଦ ପାଇଁ ପ୍ରାର୍ଥୀ ହେବାକୁ ଏତେ ପ୍ରତିଯୋଗିତା କାହିଁକି? କି ମହୁ ଝରୁଛି ସେଠି?

ଏବେ ବୁଝିବାର ଅଛି ଯେ ପିସି ବା ପର୍ସେଣ୍ଟ ହିଁ ମହୁ। ପଞ୍ଚାୟତ ପାଣ୍ଠି ହେଉଛି ମହୁଫେଣା। ଲୋକମାନେ ହେଲେ ମହୁମାଛି। ସେମାନଙ୍କ କଷ୍ଟ ଅର୍ଜିତ ଆୟରୁ ବିଭିନ୍ନ ବାଟରେ ସରକାର ଆଦାୟ କରୁଥିବା ଟିକସର କିୟଦଂଶ ପୁଣି ସେମାନଙ୍କ କଲ୍ୟାଣ ପାଇଁ ପଞ୍ଚାୟତକୁ ଫେରିଥାଏ। ଆଉ ତାକୁ ହଡ଼ପ କରିବାକୁ ପଞ୍ଚାୟତ ପରିଚାଳନା ଆଳରେ ଘେରି ଯାଆନ୍ତି ଅନେକ ଭାଲୁ। ସେମାନେ ମହୁ ପିଇବେ, କିନ୍ତୁ ମହୁମାଛି ଦଂଶନରୁ ବଞ୍ଚିଯିବେ। କାରଣ ଭାଲୁ ଦେହରେ ଲମ୍ବା ଲମ୍ବା ରୁମ।

ଏବେ ପ୍ରତି ପଞ୍ଚାୟତକୁ ସରକାରଙ୍କ ବିଭିନ୍ନ ଯୋଜନା ଓ ସ୍କିମ୍‌ରେ ଆସୁଛି ପ୍ରାୟ କୋଟିଏ ଟଙ୍କା। ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କା ଘର, ପାଇଖାନା, ଚାଷ ପୋଖରୀ, ଗାଁ ପୋଖରୀ, ପଞ୍ଚାୟତ ସଡ଼କ, ବିଦ୍ୟୁତ ସଂଯୋଗ, ସ୍କୁଲଘର ନିର୍ମାଣ ଓ ରକ୍ଷଣାବେକ୍ଷଣ, ସାମାଜିକ ଭତ୍ତା, ଖାଦ୍ୟ ଯୋଗାଣ, କମ୍ୟୁନିଟି ସେଣ୍ଟର ବା ଗୋଷ୍ଠୀଗୃହ, ଖେଳ ପଡ଼ିଆ, ପଞ୍ଚାୟତ ପାର୍କ, ବନୀକରଣ, ପାନୀୟ ଜଳ ଯୋଗାଣ, ଏମଜିଏନଆରଜିଏ ବା କର୍ମ ଯୋଗାଣ, ସ୍କୁଲ ରୂପାନ୍ତରଣ ଆଦି ଅନେକ କାର୍ଯ୍ୟକ୍ରମରେ ପ୍ରତି ବର୍ଷ ମଂଜୁର ହେଉଛି ଲକ୍ଷଲକ୍ଷ ଟଙ୍କା। ସେ ଟଙ୍କାସବୁ କ’ଣ ଠିକ ବାଟରେ ଠିକଣା ଭାବେ ଖର୍ଚ୍ଚ ହେଉଛି? କେଉଁଠି କିଛି ପର୍ସେଣ୍ଟ ବା ପିସି କାରବାର ହେଉନାହିଁ? ଯଦି ହେଉଛି, ତେବେ ବୁଝନ୍ତୁ। ଭୋଟ୍‌ ବେଳେ ଖର୍ଚ୍ଚ ହେଉଥିବା ଟଙ୍କା ଆଦାୟ ହେଉଛି କେମିତି?

ଘର ପାଇଁ କେହି ହିତାଧିକାରୀଙ୍କୁ ଲାଞ୍ଚ ଦେବାକୁ ପଡ଼ୁନାହିଁ? ପାଇଖାନା ନବସେଇ ବିଲ୍‌ ହେଉନାହିଁ? ନଈ ଭିତରେ ପୋଖରୀ ଟଙ୍କା ବୁଡ଼ୁ ନାହିଁ? ପାଣି ନଥାଇ ଖାଲି ଟାଙ୍କି ଗାଁର ଶୋଭା ବର୍ଦ୍ଧନ କରୁନାହିଁ? କରୋନା ନାଁରେ ରୋଗୀ ନଥାଇ କ୍ୱାରେଣ୍ଟାଇନ୍‌ ସେଣ୍ଟର ଚାଲିନାହିଁ? ଶିକ୍ଷକ ଓ ବହିପତ୍ର ନଥାଇ ସ୍କୁଲ ଚକ୍‌ ଚକ୍‌ କରୁନାହିଁ? ଏମଜିଏନଆରଜିଏ ଟଙ୍କାରେ ଶ୍ରମିକ ବଦଳରେ ମେସିନ କାମ କରୁନାହିଁ? ନଈପଠା, ବନ୍ଧକଡ଼ ଓ ଖାଲି ପଡ଼ିଆରେ ଲୋକେ ମଳତ୍ୟାଗ କରୁଥିଲେ ବି ମଳମୁକ୍ତ ଗାଁ ଘୋଷଣା ହୋଇନାହିଁ? ସତୁରୀ ବର୍ଷର ବୁଢ଼ାବୁଢ଼ୀ ଭତ୍ତା ପାଉ ନଥିବାବେଳେ ୪୦-୫୦ ବର୍ଷର ଲୋକ ମଧୁବାବୁ ପେନ୍‌ସନ୍‌ ପାଉନାହାନ୍ତି? ବଞ୍ଚିଲା ଲୋକ ପାଉନଥିବାବେଳେ ମଲା ଲୋକ ନାଁରେ ଭତ୍ତା ଟଙ୍କା ଉଠୁନାହିଁ? ଗୋଟିଏ ରାସ୍ତା ଉପରେ ଭିନ୍ନ ଭିନ୍ନ ସ୍କିମ୍‌ରେ ଡବଲ୍‌ ବିଲ୍‌ ହେଉନାହିଁ?

ସନ୍ଧାନ ନିଅନ୍ତୁ। ହିସାବ କରନ୍ତୁ। ପଞ୍ଚାୟତ ମହୁ ଖାଉଛି କିଏ, ସିଠା ଚୋବେଇ ହଲାପଟା ହେଉଛି କିଏ?

The post ପଞ୍ଚାୟତ ପ୍ରଚାର, ଦୁର୍ନୀତି ବିସ୍ତାର appeared first on Odisha Reporter.



from Odisha Reporter https://ift.tt/2Za0cp0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages