ଅଗରତାଲା: ତ୍ରିପୁରାରେ ଦେଖାଯାଇଥିବା ସାଂପ୍ରଦାୟିକ ହିଂସାକୁ ଆହୁରି ତୀବ୍ର କରିବା ପାଇଁ କିଛି ଲୋକ ଉଦ୍ୟମ ଆରମ୍ଭ କରିଛନ୍ତି। ସେମାନେ ହିଂସା ସମ୍ପର୍କିତ ତଥ୍ୟକୁ ବିକୃତ କରି ସୋଶାଲ ମିଡିଆରେ ଭାଇରାଲ କରୁଛନ୍ତି। ଏହାଦ୍ୱାରା ସାଂପ୍ରଦାୟକ ହିଂସା ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି।
ଏଥିପାଇଁ ବିଦ୍ୱେଷ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ୬୮ଟି ଆକାଉଣ୍ଟକୁ ବନ୍ଦ କରି କରିବା ପାଇଁ ତ୍ରିପୁରା ପୁଲିସ୍ ଟ୍ୱିଟରକୁ କହିଛି। ପୁଲିସ୍ କହିଛି ଯେ ମସଜିଦ ଭଙ୍ଗାରୁଜା କରିବା ଘଟଣାରେ ଏହି ଆକାଉଣ୍ଟଗୁଡ଼ିକରୁ ଆପତ୍ତଜନକ ବିଷୟବସ୍ତକୁ ନିୟମିତ ପୋଷ୍ଟ କରାଯାଉଛି। ଏହି ଆକାଉଣ୍ଟଧାରୀଙ୍କ ବିରୋଧରେ କଠୋର ୟୁଏପିଏ ମଧ୍ୟ ଲାଗୁ କରାଯାଇଛି।
ତେଣୁ ଏଗୁଡ଼ିକୁ ତୁରନ୍ତ ବନ୍ଦ କରିବାକୁ ପୁଲିସ୍ ଟ୍ୱିଟରକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛି। ନଭେମ୍ବର ୩ ତାରିଖରେ ପଶ୍ଚିମ ତ୍ରିପୁରା ଜିଲ୍ଲା ପୁଲିସ୍ ଚିଠିରେ ସମସ୍ତ ୬୮ଟି ଆକାଉଣ୍ଟର ଲିଙ୍କ ମଧ୍ୟ ସଂଯୋଗ କରିଛି। ଆମେରିକାର କାର୍ଲିଫର୍ଣ୍ଣିଆରେ ଥିବା ଟ୍ୱିଟରର ଅଭିଯୋଗ ଦାଖଲ କାର୍ଯ୍ୟାଳୟର ଠିକଣାରେ ଏହି ଚିଠି ପଠା ଯାଇଛି।
ଚିଠିରେ କୁହାଯାଇଛି, କିଛି ବ୍ୟକ୍ତି ଓ ସଂଗଠନ ଉତ୍ତେଜନା ବଢ଼ାଇବା ପାଇଁ ବିବାଦୀୟ ଏବଂ ବିକୃତ ଧରଣର ପୋଷ୍ଟ କରି ଚାଲିଛନ୍ତି। ନିକଟରେ ତ୍ରିପୁରାରେ ହୋଇଥିବା ହିଂସା ଓ ମସଜିଦ ଭଙ୍ଗରୁଜା ଅଭିଯୋଗ ଘଟଣାରେ ହିଁ ସେମାନେ ବିବାଦୀୟ ପୋଷ୍ଟ କରୁଛନ୍ତି। ଏହି ପୋଷ୍ଟ ତ୍ରିପୁରାରେ ପୁଣିଥରେ ଦୁଇ ସଂପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି କରିପାରେ। ତେଣୁ ଟ୍ୱିଟର ଏହି ଆକାଉଣ୍ଟଗୁଡ଼ିକ ବନ୍ଦ କରିବା ସହ ଏହାର ଆଇପି ଠିକଣା ଓ ମୋବାଇଲ ନମ୍ବର ଦେବାକୁ ପୁଲିସ୍ କହିଛି।
ସୂଚନାଯୋଗ୍ୟ, ବାଂଲାଦେଶରେ ହିନ୍ଦୁ ସଂପ୍ରଦାୟ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ବିରୋଧ କରି ତ୍ରିପୁରାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ନିକଟରେ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା। ଏହି ସମୟରେ କିଛି ଲୋକ ସ୍ଥାନୀୟ ଅଞ୍ଚଳରେ ଥିବା ଗୋଟିଏ ମସଜିଦରେ ଭଙ୍ଗାରୁଜା କରିଥିଲେ।
ସେହିପରି ଦୋକାନ ଘର ଓ ଗାଡ଼ି ମୋଟର ପୋଡ଼ି ଦେଇଥିଲେ। ଏହାପରେ ମଧ୍ୟ ବାଂଲାଦେଶକୁ ଲାଗିଥିବା ତ୍ରିପୁରା ସୀମାରେ ଅନେକ ହିଂସା ଦେଖାଯାଇଛି। ଏବେ ବି ସ୍ଥିତି ଉତ୍ତେଜନାମୂଳକ ରହିଥିବା ଜଣାପଡ଼ିଛି।
The post ୬୮ଟି ଆକାଉଣ୍ଟ ବନ୍ଦ କରିବାକୁ ଟ୍ୱିଟରକୁ କହିଲା ପୁଲିସ୍ appeared first on Odisha Reporter.
from Odisha Reporter https://ift.tt/3EPaA4H
No comments:
Post a Comment