ନୂଆଦିଲ୍ଲୀ: ଆଉ ପାଦେ ଆଗେଇଲା ତିନି କୃଷି ଆଇନ୍ ପ୍ରତ୍ୟାହାର। କେନ୍ଦ୍ର ନିଷ୍ପତ୍ତି ଉପରେ ମୋହର ମାରିଲା କ୍ୟାବିନେଟ୍। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ତିନି କୃଷି ଆଇନ୍ ରଦ୍ଦ ନେଇ ମଞ୍ଜୁରୀ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ତିନୋଟି କୃଷି ଆଇନ ପ୍ରତ୍ୟାହାର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।
ଉଲ୍ଲେଖ ଯୋଗ୍ୟ ଯେ ଗୁରୁ ନାନକ ଦେବ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି କୃଷି ଆଇନ୍ ପ୍ରତ୍ୟାହାର କରିବା ନେଇ ଘୋଷଣା କରିଥିଲେ। ଏଥିସହ ଆସନ୍ତା ସଂସଦ ଅଧିବେଶନରେ ଏହି କୃଷି ଆଇନ୍ ପ୍ରତ୍ୟାହାର ପାଇଁ ଏକ ବିଲ୍ ପାରିତ ହେବ ବୋଲି କହିଥିଲେ।
ତେବେ କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ ଚାଷୀମାନେ ଆନ୍ଦୋଳନ ଶେଷ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଲକ୍ଷ୍ନୌରେ ଆୟୋଜିତ କିସାନ ମହାପଞ୍ଚାୟତରେ କୃଷକମାନେ କହିଛନ୍ତି ଯେ, କଳା କୃଷି ଆଇନ ପ୍ରତୃାହାର କରିବା ପର୍ଯ୍ୟାପ୍ତ ନୁହେଁ, ଏମଏସପି ଗ୍ୟାରେଣ୍ଟି ଆଇନ ପ୍ରଣୟନ ନହେବା ପର୍ଯ୍ୟନ୍ତ ଏବଂ ପୂର୍ବରୁ ପ୍ରସ୍ତୁତ କୃଷକ ବିରୋଧୀ ବିଲ୍ ରଦ୍ଦ ନହେବା ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ।
ସୂଚନା ଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର କୃଷକ ଉତ୍ପାଦନ ବାଣିଜ୍ୟ ଏବଂ ବାଣିଜ୍ୟ (ପଦୋନ୍ନତି ଏବଂ ସୁବିଧା) ଆଇନ, କୃଷି (ସଶକ୍ତିକରଣ ଏବଂ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଚୁକ୍ତିନାମା ଅଧିନିୟମ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଅଧିନିୟମ, ୨୦୨୦ ମଧ୍ୟରେ ପାରିତ କରିଥିଲେ। ବିରୋଧୀ ଦଳର ପ୍ରବଳ ବିରୋଧ ପ୍ରଦର୍ଶନ ସତ୍ତ୍ୱେ ଏହି ବିଲ୍ ପାସ୍ ହୋଇଥିଲା। ତେବେ ଏହି ତିନି କୃଷି ଆଇନ୍ ବିରୋଧରେ ଗତ ଏକ ବର୍ଷ ଧରି ଦିଲ୍ଲୀ ସୀମାରେ କୃଷକ ସଂଗଠନ ବିରୋଧ ପ୍ରଦର୍ଶନ କରୁଛନ୍ତି।
The post କୃଷି ଆଇନ୍ ପ୍ରତ୍ୟାହାର, କେନ୍ଦ୍ରର ନିଷ୍ପତ୍ତି ଉପରେ ବାଜିଲା କ୍ୟାବିନେଟ୍ ମୋହର appeared first on Odisha Reporter.
from Odisha Reporter https://ift.tt/3HPJJI3
No comments:
Post a Comment