ଗୁରୁଗ୍ରାମ: ମହାମାରୀ କରୋନା ପାଇଁ ବାର, ରେଷ୍ଟୁରାଣ୍ଟ, ଜିମ୍ ଓ ସ୍ପା ଆଦି ପ୍ରତିଷ୍ଠାନ ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି ହରିଆଣା ସରକାର। ଏଣିକି ଏଗୁଡ଼ିକ ପୂର୍ଣ୍ଣ କ୍ଷମତାର ସହ ସେବା ଯୋଗାଇ ପାରିବେ। ତେବେ କଟକଣା ହଟିଥିଲେ ମଧ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଏଥିସହ ସମସ୍ତ ସିନେମା ହଲ ଓ ମଲ୍ଟିପ୍ଲେକ୍ସ ମଧ୍ୟ ଏବେ ୧୦୦% କ୍ଷମତାର ସହ ଚାଲିବ ବୋଲି ସରକାର କହିଛନ୍ତି।
ବର୍ତ୍ତମାନ ରାଜ୍ୟରେ କିଛି ସପ୍ତାହ ହେଲାଣି ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ପୂର୍ବଭଳି ଅଧିକ ଆକ୍ରାନ୍ତ ଚିହ୍ନଟ ହେଉନାହାନ୍ତି। ଏଥିପାଇଁ ସରକାର କଟକଣା ପ୍ରତ୍ୟାହାର କରିଛନ୍ତି। ଏହାବାଦ ଆବାସିକ ବିଶ୍ୱବିଦ୍ୟାଳୟଗୁଡ଼ିକୁ ପିଲା କେମିତି କ୍ୟାମ୍ପସକୁ ପର୍ଯ୍ୟାୟକ୍ରମେ ଆସିବେ, ତା’ର ଯୋଜନା କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି।
ସରକାର କହିଛନ୍ତି, କିଛି ନିର୍ଦ୍ଦିଷ୍ଟ ବ୍ୟବସାୟିକ ପ୍ରତିଷ୍ଠାନରୁ କଟକଣା ହଟିଥିଲେ ମଧ୍ୟ ନଭେମ୍ବର ୨୮ ଯାଏ ରାଜ୍ୟରେ ଲକଡାଉନ ଜାରି ରହିବ। ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଥିବା କକ୍ଷ ଗୁଡ଼ିକ ୫୦% କ୍ଷମତାରେ ଚାଲିବ। ବନ୍ଦ ସ୍ଥାନରେ ହେଉଥିବା କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ଜଣ ଓ ଖୋଲା ସ୍ଥାନରେ ୫୦୦ ଜଣ ଏକାଠି ହୋଇପାରିବେ। ଧାର୍ମିକ ଅନୁଷ୍ଠାନଗୁଡ଼ିକରେ ଏକକାଳୀନ ୫୦ ଜଣ ହିଁ ରହିପାରିବେ ବୋଲି ସରକାର ଘୋଷଣା କରିଛନ୍ତି।
ଚଳିତ ବର୍ଷ ଜୁଲାଇ ମାସରୁ ସମସ୍ତ ସିନେମା ହଲ ଓ ମଲ୍ଟିପ୍ଲେକ୍ସ ୫୦% କ୍ଷମତାର ସହ ଚାଲୁଛି। ଏବେ ସରକାର କଟକଣା ହଟାଇଥିବାରୁ ଏହାକୁ ସିନେମା ହଲ ମାଲିକମାନେ ସ୍ୱାଗତ କରିଛନ୍ତି। କରୋନା ପାଇଁ ୨ ଥର ଜାରି ଲକଡାଉନରେ ସିନେମା ହଲ ମାଲିକମାନେ ବ୍ୟାପକ କ୍ଷତି ସହିଥିଲେ। ତେଣୁ ଏବେ ସେମାନେ ଏହି କ୍ଷତିକୁ କିଛି ମାତ୍ରାରେ ଭରଣ କରିପାରିବେ ବୋଲି ଆଶା କରିଛନ୍ତି।
The post ବାର୍, ରେଷ୍ଟୁରାଣ୍ଟ ଓ ସିନେମା ହଲ ଉପରେ ଲାଗିଥିବା କଟକଣା ହଟିଲା appeared first on Odisha Reporter.
from Odisha Reporter https://ift.tt/3oqJ8Uf
No comments:
Post a Comment