ଯୋଗୀ ଅରବିନ୍ଦଙ୍କ ସାମ୍ବାଦିକତାରେ ରାଷ୍ଟ୍ରୀୟତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 13, 2021

ଯୋଗୀ ଅରବିନ୍ଦଙ୍କ ସାମ୍ବାଦିକତାରେ ରାଷ୍ଟ୍ରୀୟତା

ସର୍ବେଶ୍ୱର ବେହେରା

ସମସ୍ତେ ଯୋଗୀ ଅରବିନ୍ଦଙ୍କୁ ଜଣେ ମହାନ ବିପ୍ଳବୀ, ସ୍ୱାଧୀନତା ସଂଗ୍ରାମୀ, ଅଧ୍ୟାପକ, ଜନନେତା ଓ ସର୍ବଶେଷରେ ଆଧ୍ୟାତ୍ମିକ ଗୁରୁ ରୂପେ ଜାଣନ୍ତି। କିନ୍ତୁ ସେ ଜଣେ ମହାନ ସାମ୍ବାଦିକ ଥିଲେ ଓ କେତେଗୁଡ଼ିଏ ପତ୍ରିକା ସମ୍ଫାଦନା କରୁଥିଲେ, ଏହା କମ୍ ଲୋକଙ୍କୁ ଜଣା। ତାଙ୍କ ଲେଖାରେ ରାଷ୍ଟ୍ରଭକ୍ତିର ଜ୍ୱାଳା ଥିଲା, ଯାହା ତତ୍କାଳୀନ ଯୁବ ସମାଜର ଅନ୍ତଃକରଣରେ ବହ୍ନି ରୂପେ ପ୍ରଜ୍ୱଳିତ ହେଉଥିଲା। ତାଙ୍କର ଲେଖାରେ ଅନୁପ୍ରାଣିତ ହୋଇ ଅନେକ ବିପ୍ଳବୀ ଓ ସ୍ୱାଧୀନତା ସଂଗ୍ରାମୀ ନିଜ ଜୀବନକୁ ସ୍ୱାଧୀନତାର ଯଜ୍ଞରେ ଆହୁତି ଦେଇଥିଲେ। ତେଣୁ ତାଙ୍କୁ ଶ୍ରେଷ୍ଠ ରାଷ୍ଟ୍ରବାଦୀ ସାମ୍ବାଦିକ ରୂପେ ପରିଗଣିତ କରାଯାଏ।

ଯୋଗୀ ଅରବିନ୍ଦ ୧୮୭୨ ମସିହା ଅଗଷ୍ଟ ମାସ ୧୫ ତାରିଖରେ କୋଲକୋତାଠାରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ସାତ ବର୍ଷ ବୟସରେ ସେ ବିଦ୍ୟାଶିକ୍ଷା ପାଇଁ ଇଂଲଣ୍ଡ ଯାଇଥିଲେ। ୧୮୯୩ ମସିହା ଫେବୃୟାରୀ ୬ ତାରିଖରେ ସେ ବିଦ୍ୟାଶିକ୍ଷା ସମାପ୍ତ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ। ୧୮୯୩ ମସିହା ଜୁନ୍ ୨୬ ତାରିଖରେ ସେ ସର୍ବପ୍ରଥମେ ସାମ୍ବାଦିକତା କ୍ଷେତ୍ରରେ ପଦାର୍ପଣ କରିଥିଲେ। ସେଦିନ ତାଙ୍କ ଜୀବନର ପ୍ରଥମ ଲେଖା ମରାଠି ସାପ୍ତାହିକ ପତ୍ରିକା ‘ଇନ୍ଦୁ ପ୍ରକାଶ’ରେ ‘ଭାରତ ଓ ବ୍ରିଟିଶ୍ ପାର୍ଲ୍ୟାମେଣ୍ଟ ଶୀର୍ଷକରେ ପ୍ରକାଶ ପାଇଥିଲା। ତା’ ପରଠାରୁ ସେହି ପତ୍ରିକାରେ ଧାରାବାହିକ ରୂପେ ତାଙ୍କର ଲେଖା ପ୍ରକାଶ ପାଇଲା। ଏହି ସବୁ ଲେଖାରେ ସେ ‘ବନ୍ଦେମାତରଂ’ ରାଷ୍ଟ୍ରଗୀତର ପ୍ରଣେତା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୀବନୀ ଓ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ସେ ବଙ୍ଗଳାରୁ ଦୈନିକ ପ୍ରକାଶିତ ପତ୍ରିକା ଯୁଗାନ୍ତରରେ ନିୟମିତ ଲେଖୁଥିଲେ। ତାଙ୍କର ବଡ଼ଭାଇ ବରୀନ୍ଦ୍ର ଘୋଷ ୧୯୦୬ ମାର୍ଚ୍ଚ ମାସରେ ଏହି ପତ୍ରିକା ପ୍ରତିଷ୍ଠା କରିଥିଲେ।

୧୯୦୬ ମସିହା ଅଗଷ୍ଟ ୭ ତାରିଖରେ ‘ବନ୍ଦେ ମାତରଂ’ ପତ୍ରିକା ଆତ୍ମପ୍ରକାଶ କଲା। ଶ୍ରୀଅରବିନ୍ଦ ସେହି ପତ୍ରିକାର ପ୍ରତିଷ୍ଠା କାଳରୁ ବିପିନ ଚନ୍ଦ୍ର ପାଲଙ୍କ ସହଯୋଗୀ ସମ୍ପାଦକ ରୂପେ କାର୍ଯ୍ୟ କରିଥିଲେ। ପ୍ରଥମେ ଏହା ଦୈନିକ ପତ୍ରିକା ରୂପେ ଓ ପରେ ୧୯୦୭ ଜୁନ୍ ୨ ତାରିଖରୁ ସାପ୍ତାହିକ ପତ୍ରିକା ରୂପେ ପ୍ରକାଶ ପାଇଲା। ଶ୍ରୀଅରବିନ୍ଦଙ୍କ  ଲେଖାଗୁଡ଼ିକରେ ରାଷ୍ଟ୍ରଭକ୍ତିର ଭାବନା ଝଂକୃତ ହେଉଥିଲା। ସେତେବେଳେ ଇଂରେଜମାନେ ଷଡ଼ଯନ୍ତ୍ର କରି ୧୯୦୫ ମସିହାରେ ବେଙ୍ଗଲକୁ ଦୁଇଭାଗ କରିଥିଲେ। ଯାହା ବଙ୍ଗଭଙ୍ଗ ନାମରେ ସୁପ୍ରସିଦ୍ଧ। ଏହା ବିରୁଦ୍ଧରେ ଶ୍ରୀଅରବିନ୍ଦ ନିଜର ଲେଖା ମାଧ୍ୟମରେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ। ବିଦେଶୀ ପରାଧୀନତାର ଶୃଙ୍ଖଳରୁ ମୁକ୍ତ ହୋଇ ଭାରତୀୟମାନେ ସ୍ୱାଧୀନ ଜୀବନଯାପନ କରିବା ଆବଶ୍ୟକ। ଏଥିପାଇଁ ସମସ୍ତେ ସଂଗଠିତ ହୋଇ ସଂଘର୍ଷ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରୁଥିଲେ। ତାଙ୍କର ସାମ୍ବାଦିକତାରେ ନିର୍ଭୟତା, ସ୍ୱାଧୀନତା ଓ ରାଷ୍ଟ୍ରୀୟତା ମୂଳମନ୍ତ୍ର ଥିଲା। ଇଂରେଜମାନଙ୍କ କଠୋର ଦମନ ଲୀଳା ବିରୁଦ୍ଧରେ ନିର୍ଭୟ ହୋଇ ଜନ ମାନସରେ ରାଷ୍ଟ୍ରୀୟତାର ଜାଗରଣ କରୁଥିଲେ। ତାଙ୍କର ଲେଖାରେ ରାଷ୍ଟ୍ରୀୟତାର ଜ୍ଜ୍ୱାଳା ସହିତ ସଙ୍ଗଠନର ମନ୍ତ୍ର ଝଂକୃତ ହୋଇଥିଲା। ବହୁ ବିପ୍ଳବୀଙ୍କ ଅନ୍ତଃକରଣରେ ଏହି ବହ୍ନି ଜ୍ଜ୍ୱାଳାରେ ପରିଣତ ହୋଇଥିଲା। ସମଗ୍ର ସମାଜ ସଙ୍ଗଠନ ହୋଇ ଇଂରେଜ ବିରୁଦ୍ଧରେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ। ଫଳରେ ଇଂରେଜମାନେ ବଙ୍ଗଭଙ୍ଗ ବିଜ୍ଞପ୍ତି ପ୍ରତ୍ୟାହାର କରିବା ପାଇଁ ବାଧ୍ୟ ହୋଇଥିଲେ।

ଇଂରେଜମାନଙ୍କ କୋପ ଦୃଷ୍ଟି ବନ୍ଦେ ମାତରଂ ପତ୍ରିକା ଉପରେ ପଡ଼ିଥିଲା। ୧୯୦୮ ଅକ୍ଟୋବର ୨୯ ତାରିଖରେ ଇଂରେଜମାନେ ବନ୍ଦେମାତରଂ ପତ୍ରକା ଉପରେ କଟକଣା ଜାରି କରି ତାର କାର୍ଯ୍ୟାଳୟକୁ ବନ୍ଦ କରିଦେଇଥିଲେ। ପତ୍ରିକାର କଣ୍ଠରୋଧ କରାଗଲା, କିନ୍ତୁ ଶ୍ରୀ ଅରବିନ୍ଦଙ୍କ ଲେଖା ଭାରତୀୟ ଜନମାନସରେ ଅଲିଭା ଛାପ ଉଦ୍ରେକ କରିଥିଲା। ତାଙ୍କର ବନ୍ଦେମାତରଂ ପତ୍ରିକାର ଲେଖାଗୁଡ଼ିକରେ ସେ ଇଂରେଜ ପ୍ରେରିତ ପାଶ୍ଚାତ୍ୟ ଚିନ୍ତନ ବିରୁଦ୍ଧରେ ଭାରତୀୟ ସନାତନ ଦର୍ଶନକୁ ସ୍ପଷ୍ଟ ରୂପେ ଉଜାଗର କରିଥିଲେ। ପ୍ରତ୍ୟେକ ଭାରତୀୟ ନିଜର ସନାତନ ସଂସ୍କୃତି ଓ ଜୀବନ ମୂଲ୍ୟ ଆଧାରରେ ଜୀବନଯାପନ କରି ‘ସ୍ୱରାଜ୍ୟ’ ପାଇଁ ଆନ୍ଦୋଳନ କରିବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ।

ରାଷ୍ଟ୍ର କ’ଣ? ରାଷ୍ଟ୍ରୀୟତା ଓ ରାଷ୍ଟ୍ରବାଦ କିପରି ପ୍ରତ୍ୟେକ ଭାରତୀୟ ଜନମାନସରେ ଉଦ୍ରେକ ହେବା ଆବଶ୍ୟକ? ସନାତନ ସଂସ୍କୃତି ଆଧାରରେ ସ୍ୱରାଜ୍ୟ ହାସଲ କିପରି କରାଯାଇପାରିବ? ଏ ସମସ୍ତ ପ୍ରଶ୍ନଗୁଡ଼ିକରେ ସାମାଜିକ-ସାଂସ୍କୃତିକ ଓ ଆଧ୍ୟାତ୍ମିକ ଉତ୍ତର ତାଙ୍କର ଲେଖାରେ ଦେଖିବାକୁ ମିଳିଥିଲା। ଭାରତ ଏକ ବହୁ ପ୍ରାଚୀନ ରାଷ୍ଟ୍ର। ଏହାର ଏକ ସ୍ୱତନ୍ତ୍ର ଅସ୍ମିତା ଅଛି। କେବଳ ରାଷ୍ଟ୍ରୀୟତା ଆଧାରରେ ଏହାକୁ ଅଖଣ୍ଡ ଓ ସ୍ୱାଧୀନ ସ୍ୱରାଜ ରାଷ୍ଟ୍ରର ଜୀବନ ଶକ୍ତି କରିପାରିବା। ଏହାହିଁ ତାଙ୍କ ଲେଖାଗୁଡ଼ିକରେ ମୂଳମନ୍ତ୍ର ଥିଲା।

ତାଙ୍କର ଲେଖାର ଭାଷା ଇଂରାଜୀ ଥିଲା। ବନ୍ଦେ ମାତରଂ ପତ୍ରିକା ଇଂରାଜୀ ଭାଷାରେ ପ୍ରକାଶ ପାଇଥିଲା। ସୁନ୍ଦର, ସରଳ, ସାବଲୀଳ ଇଂରାଜୀ ଭାଷାରେ ଇଂରେଜମାନଙ୍କୁ ଆକ୍ଷେପ କରିବା ସହିତ ତତ୍‌କାଳୀନ ଇଂରାଜୀ ପଢ଼ୁଆ ଯୁବ ସମାଜ ମଧ୍ୟରେ ରାଷ୍ଟ୍ରବାଦର ଭାବନା ଉଦ୍ରେକ କରିପାରିଥିଲେ। ସେତେବେଳେ ଇଂରେଜମାନଙ୍କ ପୃଷ୍ଠପୋଷାକତାରେ କେତେକ ଇଂରାଜୀ ଖବର କାଗଜ  କୋଲକୋତାରୁ ପ୍ରକାଶ ପାଉଥିଲା। ଇଂରେଜମାନଙ୍କୁ ଖୋସାମଦ କରି କେତେକ ବୁଦ୍ଧିଜୀବୀ ପାଶ୍ଚାତ୍ୟ ସଭ୍ୟତାର ଗୁଣଗାନ କରୁଥିଲେ। ଶ୍ରୀ ଅରବିନ୍ଦ ସେମାନଙ୍କୁ କଟୁ ଭାଷାରେ ସମାଲୋଚନା କରି ଭାରତୀୟ ଜୀବନ ମୂଲ୍ୟ ଆଧାରରେ ସ୍ୱରାଜ୍ୟ ପ୍ରାପ୍ତି ସମ୍ବନ୍ଧରେ ଲେଖା ଲେଖୁଥିଲେ। ଏହାକୁ ପାଠ କରି ସେମାନେ କେବଳ ନୀରବତା ଅବଲମ୍ବନ କରିଥିଲେ। ଶ୍ରୀ ଅରବିନ୍ଦଙ୍କୁ ଜବାବ ଦେବା ପାଇଁ ତାଙ୍କ ନିକଟରେ କୌଣସି ଭାଷା ନଥିଲା।

ଶ୍ରୀ ଅରବିନ୍ଦ ସ୍ୱଦେଶୀ ଚିନ୍ତନକୁ ତାଙ୍କର ଲେଖାର ଉପସ୍ଥାପନ କରିଛନ୍ତି। ଇଂରେଜମାନେ ଭାରତୀୟ ଶିଳ୍ପକୁ ଧ୍ୱଂସ କରି ବିଦେଶୀ ବସ୍ତୁ ବ୍ୟବହାର ପାଇଁ ଯେଉଁ ଯୋଜନା ପ୍ରସ୍ତୁତ କରିଥିଲେ ତାହାକୁ ସେ ଘୋର ବିରୋଧ କରୁଥିଲେ। ୧୯୦୭, ଜୁଲାଇ ୧୧ ତାରିଖରେ ବନ୍ଦେମାତରଂ ପତ୍ରକାରେ ସ୍ୱଦେଶୀ ଚିନ୍ତନ ଓ ସ୍ୱଦେଶୀ ଶିକ୍ଷା ଉପରେ ଏକ ଗବେଷଣା ମୂଳକ ଲେଖା ପ୍ରକାଶ କରିଥିଲେ। ରାଷ୍ଟ୍ରୀୟ ଶିକ୍ଷା ଆଧାରରେ ପ୍ରତ୍ୟେକ ଭାରତବାସୀ ସ୍ୱାଧୀନ ହୋଇ ସ୍ୱଦେଶୀକୁ ନିଜ ଜୀବନର ମନ୍ତ୍ର ରୂପେ ସ୍ୱୀକାର କରିବା ଆବଶ୍ୟକ। ସ୍ୱାଧୀନତା ରାଷ୍ଟ୍ରୀୟ ଶିକ୍ଷା ଓ ସ୍ୱଦେଶୀ ତନ୍ତ୍ର ବିନା ଅସମ୍ଭବ। ପ୍ରତ୍ୟେକ ଭାରତବାସୀ ସ୍ୱଦେଶୀ ଗ୍ରହଣ ଓ ବିଦେଶୀ ବର୍ଜନ କରିବା ଆବଶ୍ୟକ। ସ୍ଥାନୀୟ ବସ୍ତୁ ଗ୍ରହଣ କଲେ ସ୍ଥାନୀୟ ଶିଳ୍ପକୁ ପ୍ରୋତ୍ସାହନ ମିଳିବ। ଏହିପରି ରାଷ୍ଟ୍ରର ଅର୍ଥନୀତି ସୁଦୃଢ଼ ହେବ। ଏଣୁ ସ୍ୱଦେଶୀକୁ ନିଜ ଜୀବନରେ ଏକ ବ୍ରତ ରୂପେ ଅଙ୍ଗୀକାର କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।

ସାର୍ବଜନୀନ ଜୀବନରୁ ସନ୍ନ୍ୟାସ ନେଲା ପରେ ସେ ସାଧନାରେ ମଗ୍ନ ଥାଇ ଦୁଇଟି ପତ୍ରିକା ସମ୍ପାଦନ କରୁଥିଲେ। ୧୯୦୯, ଜୁନ୍ ୧୫ ତାରିଖରେ କର୍ମଯୋଗୀ ନାମକ ଇଂରାଜୀ ପତ୍ରିକା ଓ ସେହି ବର୍ଷ ଅଗଷ୍ଟ ୨୩ ତାରିଖରେ ଧର୍ମ ନାମରେ ବଙ୍ଗାଳୀ ଭାଷାରେ ପତ୍ରକା ଆରମ୍ଭ କରିଥିଲେ। ଏହି ସମସ୍ତ ପତ୍ରିକାରେ ତାଙ୍କର ଲେଖାର ମୂଳରେ ରାଷ୍ଟ୍ରୀୟତା ଥିଲା। ଭାରତୀୟମାନେ ରାଷ୍ଟ୍ରୀୟ ହୋଇ ସନାତନ ଜୀବନ ମୂଲ୍ୟ ଅଧାରରେ ସ୍ୱରାଜ୍ୟ ପ୍ରାପ୍ତି କରିପାରିବେ। ଏହା ହିଁ ତାଙ୍କର ସମସ୍ତ ଲେଖାର ମର୍ମ ଥିଲା। ଚଳିତ ବର୍ଷ ତାଙ୍କର ୧୫୦ତମ ଜନ୍ମ ଜୟନ୍ତୀ ବର୍ଷ ପାଳନ କରାଯାଇଛି। ଏହି ମହାନ ସାଧକ ତଥା ରାଷ୍ଟ୍ରଗ୍ରନ୍ଥଙ୍କୁ ଶ୍ରଦ୍ଧାଞ୍ଜଳି କରିବା ସମୟରେ ତାଙ୍କର ଲେଖାଗୁଡିକୁ ଅଧ୍ୟୟନ କରିବା ଆବଶ୍ୟକ।

ଆଡଭୋକେଟ୍,

ଖଟବିନ ସାହି, କଟକ

ମୋ-୯୪୩୭୦୧୬୩୮୪

The post ଯୋଗୀ ଅରବିନ୍ଦଙ୍କ ସାମ୍ବାଦିକତାରେ ରାଷ୍ଟ୍ରୀୟତା appeared first on Odisha Reporter.



from Odisha Reporter https://ift.tt/3kB2tRB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages