ମୁମ୍ବାଇ: ବିବାଦ ସହ ବଲିଉଡର ପଙ୍ଗା କୁଇନ୍ କଙ୍ଗନାଙ୍କ ରହିଛି ଗଭୀର ସମ୍ପର୍କ। ସେ କିଛି ନା କିଛି ପ୍ରସଙ୍ଗକୁ ନେଇ ପ୍ରାୟତଃ ବିବାଦ ଘେରରେ ରହିଥାନ୍ତି। ନିକଟରେ ଭାରତ ସ୍ୱାଧୀନ ହେବାକୁ ନେଇ କଙ୍ଗନା ଏକ ବିବାଦୀୟ ବୟାନ ଦେଇଥିଲେ। ଏହାକୁ ନେଇ ଚାରିଆଡେ ତୁମ୍ବୁତୋଫାନ୍ ସୃଷ୍ଟି ହୋଇଛି। ସୋଶାଲ ମିଡିଆରେ ତାଙ୍କୁ ଜୋରଦାର ଟ୍ରୋଲ କରାଯାଇଛି। କେବଳ ସେତିକି ନୁହେଁ ଅନେକ ନେତା ମନ୍ତ୍ରୀମାନେ ମଧ୍ୟ ତାଙ୍କ ବିରୋଧରେ ସ୍ୱର ଉଠାଇଛନ୍ତି। ଏବେ ଏହାକୁ ନେଇ କଙ୍ଗନା ନିଜ ସଫେଇ ରଖିଛନ୍ତି।
ନିଜ ଇନ୍ଷ୍ଟାଗ୍ରାମର ଷ୍ଟୋରୀରେ କଙ୍ଗନା ଏକ ଲମ୍ବା ଚଉଡା ପୋଷ୍ଟ ଶେୟାର କରିଛନ୍ତି। ଏଥିରେ ସେ ଦେଇଥିବା ବୟାନକୁ ସଠିକ ବୋଲି କହିଛନ୍ତି। ଏଥିସହ ଯଦି କେହି ତାଙ୍କୁ ଭୁଲ୍ ପ୍ରମାଣିତ କରିଦିଅନ୍ତି ତେବେ ସେ ନିଜ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ମଧ୍ୟ କହିଛନ୍ତି।
ପ୍ରକୃତରେ କଙ୍ଗନା ନିଜ ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ୧୯୪୭ରେ କ’ଣ ହୋଇଥିଲା ବୋଲି ପ୍ରଶ୍ନ ପଚାରିଛନ୍ତି? ସେ ଏକ କଟିଙ୍ଗ ଫଟୋ ଲଗାଇ ଲେଖିଛନ୍ତି ଯେ, ‘ସବୁକିଛି ଅତି ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ୧୮୫୭ରେ କେଉଁ ଯୁଦ୍ଧ ହୋଇଥିଲା ମୁଁ ଜାଣେ, କିନ୍ତୁ ୧୯୪୭ରେ ରେ କେଉଁ ଯୁଦ୍ଧ ହୋଇଥିଲା, ସେ ବିଷୟରେ ମୁଁ ଅବଗତ ନୁହେଁ।’
କଙ୍ଗନା ଆହୁରି ଲେଖିଛନ୍ତି ଯେ ‘ମୁଁ ରାଣୀ ଲକ୍ଷ୍ମୀବାଇଙ୍କ ଫିଲ୍ମରେ କାମ କରିଛି। ୧୮୫୭ରେ ବିପ୍ଳବ ଉପରେ ଅନେକ ଗବେଷଣା କରାଯାଇଛି। ରାଷ୍ଟ୍ରବାଦ ସହ ବାମପନ୍ଥୀମାନେ ମଧ୍ୟ ଉଭା ହୋଇଥିଲେ କିନ୍ତୁ ହଠାତ୍ ଏମାନେ କିଭଳି ଗାଏବ ହୋଇଗଲେ? ଆଉ ଗାନ୍ଧୀ ଭଗତ ସିଂଙ୍କୁ କାହିଁକି ମରିବାକୁ ଅନୁମତି ଦେଲେ? ବିଭାଜନ ରେଖା ଉପରେ ବ୍ରିଟିଶମାନେ ଅଙ୍କନ କରିଥିବା ସ୍ୱାଧୀନତାକୁ ପାଳନ କରିବା ପରିବର୍ତ୍ତେ କାହିଁକି ଭାରତୀୟମାନେ ପରସ୍ପରକୁ ହତ୍ୟା କରୁଥିଲେ? ମୁଁ ଏହି ସମସ୍ତ ପ୍ରଶ୍ନର ଉତ୍ତର ଚାହୁଁଛି, ଯେଉଁଥିପାଇଁ ମୋତେ ସାହାଯ୍ୟର ଆବଶ୍ୟକତା ରହିଛି।’
ସୂଚନା ମୁତାବକ, ପଦ୍ମଶ୍ରୀ ପୁରସ୍କାର ପାଇବାର ଦିନକ ପରେ କଙ୍ଗନା ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ। ଏହି ସମୟରେ କଙ୍ଗନା ୧୯୪୭ ମସିହାରେ ଭାରତକୁ ଭିକରେ ସ୍ୱାଧୀନତା ମିଳିଥିଲା, ୨୦୧୪ରେ ଦେଶ ପ୍ରକୃତ ସ୍ୱାଧୀନତା ପାଇଛି ବୋଲି କହିଥିଲେ। ତାଙ୍କର ଏହି ବୟାନକୁ ନେଇ ଏବେ ଚାରିଆଡୁ ତାଙ୍କୁ ବିରୋଧ କରାଯାଉଛି। ଏପରିକି ବିଭିନ୍ନ ରାଜ୍ୟରେ ତାଙ୍କ ନାଁ ଏକାଧିକ ମାମଲା ମଧ୍ୟ ରୁଜୁ ହୋଇଛି। ଅନେକ ନେତା ମନ୍ତ୍ରୀ ତାଙ୍କୁ ଦେଶଦ୍ରୋହୀ ବୋଲି କହି ସମାଲୋଚନା କରିଛନ୍ତି।
The post ‘ମୋତେ ଭୁଲ୍ ପ୍ରମାଣିତ କର, ମୁଁ ପଦ୍ମଶ୍ରୀ ଫେରାଇ ଦେବି’ appeared first on Odisha Reporter.
from Odisha Reporter https://ift.tt/3kz0InT
No comments:
Post a Comment