ନୂଆଦିଲ୍ଲୀ: ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଛନ୍ତି। ଚାଷୀଙ୍କ କଲ୍ୟାଣ ପାଇଁ ଏହି ଆଇନ ଆସିଥିଲେ ମଧ୍ୟ ଏହାକୁ କିଛି ଲୋକ ବିରୋଧ କରୁଥିଲେ। ସେମାନଙ୍କୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ଆଇନ ପ୍ରତ୍ୟାହାର କରୁଥିବା ମୋଦି କହିଛନ୍ତି।
୩ଟି ଯାକ କୃଷି ଆଇନ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା କରିବା ପୂର୍ବରୁ ମୋଦି କେନ୍ଦ୍ର ସରକାର ଚାଷୀମାନଙ୍କ ପାଇଁ କରିଥିବା ବ୍ୟବସ୍ଥା ସମ୍ପର୍କରେ ପୂରା ଦେଶକୁ ଜଣାଇଥିଲେ। ଏଥିସହ ଶତ ଚେଷ୍ଟା ସତ୍ତ୍ୱେ କିଛି ଚାଷୀ ଭାଇଙ୍କୁ କୃଷି ଆଇନର ଅସଲ ଉଦ୍ଦେଶ୍ୟ ବୁଝାଇବାରେ ସରକାର ବିଫଳ ହୋଇଥିବାରୁ ମୋଦି ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି। ମୁଁ ଯାହା ବି କରୁଛି, ତାହା ଚାଷୀଙ୍କ ପାଇଁ ବୋଲି ସେ କହିଛନ୍ତି।
ମୋଦି କହିଛନ୍ତି, “ସମ୍ଭବତଃ ଆମେ ଚାଷୀଙ୍କୁ କୃଷି ଆଇନ ବିଷୟରେ ବୁଝାଇବାରେ ବିଫଳ ହୋଇଛୁ। ଏଥିପାଇଁ ମୁଁ ଦେଶବାସୀଙ୍କୁ ସ୍ୱଚ୍ଛ ଓ ନିଷ୍ଠାପର ହୃଦୟର ସହ କ୍ଷମା ମାଗୁଛି। ମୁଁ ଏଠାରେ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ସମ୍ପର୍କରେ ଘୋଷଣା କରିବାକୁ ଆସିଛି।
ଚଳିତ ମାସରେ ଆରମ୍ଭ ହେବାକୁ ଥିବା ସଂସଦର ଶୀତ ଅଧିବେଶନରେ ଆଇନ ପ୍ରତ୍ୟାହାର କରିବାକୁ ସମସ୍ତ ପ୍ରକାରର ସାମ୍ବିଧାନିକ ପ୍ରକ୍ରିୟା ଶେଷ ହେବ। ମୁଁ ଯାହା ବି କରୁଛି, ଚାଷୀଙ୍କ ପାଇଁ କରୁଛି। ଦେଶ ପାଇଁ ସବୁ କିଛି କରିଛି। ଆପଣମାନଙ୍କ ଆଶୀର୍ବାଦ ପାଇ ମୁଁ ସବୁବେଳେ କଠିନ ପରିଶ୍ରମ କରି ଚାଲିଛି।
ଆପଣମାନଙ୍କର ଓ ଦେଶର ସ୍ୱପ୍ନକୁ ସାକାର କରିବା ପାଇଁ ମୁଁ ଆହୁରି ଅଧିକ ପରିଶ୍ରମ କରିବି। ଆଜି ଆପଣମାନଙ୍କ ଆଗରେ ମୁଁ ଏନେଇ ପ୍ରତିଜ୍ଞା କରୁଛି। ଚାଷୀଙ୍କ ପାଇଁ ଆମେ ଅନେକ କିଛି କରିଛୁ। ଆଗକୁ ମଧ୍ୟ ଅନେକ କିଛି କରାଯିବ। ଚାଷ କ୍ଷେତ୍ରର ଉନ୍ନତି ଆଣିବା ପାଇଁ କମ ଦରରେ ମଞ୍ଜି ଠାରୁ ଆରମ୍ଭ କରି ମାଇକ୍ରୋ ଇରିଗେସନ ସୁବିଧା ଯୋଗାଇ ଦେଉଛୁ।
୨୨ କୋଟି ସଏଲ ହେଲ୍ଥକାର୍ଡ ଦିଆଯାଇଛି। ଏଥିପାଇଁ କୃଷି ଜାତୀୟ ସାମଗ୍ରୀର ଉତ୍ପାଦନ ବୃଦ୍ଧି ପାଇଛି। ଆମେ ଫସଲ ବୀମା ଯୋଜନାକୁ ସଶକ୍ତ କରି ଅନେକ ଚାଷୀଙ୍କୁ ଏହା ଅଧୀନକୁ ଆଣିଛୁ। ଚାଷୀଙ୍କୁ ପରିଶ୍ରମର ଉତ୍ତମ ମୂଲ୍ୟ ଦେବାକୁ ଆମେ ଏମଏସ୍ପି ମଧ୍ୟ ବଢ଼ାଇଛୁ।”
ସୂଚନାଯୋଗ୍ୟ, କେନ୍ଦ୍ର ସରକାର କୃଷି ଆଇନ ଆଣିଥିଲେ ମଧ୍ୟ ଦୀର୍ଘ ଗୋଟିଏ ବର୍ଷ ହେଲାଣି ଶତାଧିକ ଚାଷୀ ଏହାକୁ ବିରୋଧ କରି ବିକ୍ଷୋଭ କରୁଛନ୍ତ। ଆଗକୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ରହିଛି। ତେଣୁ ଏହାକୁ ଦୃଷ୍ଟିରେ ମୋଦି ଏପରି ଘୋଷଣା କରିଥିବା କୁହାଯାଉଛି।
The post ମୁଁ ଯାହା ବି କରୁଛି, ଚାଷୀଙ୍କ ପାଇଁ କରୁଛି କହିଲେ ମୋଦି appeared first on Odisha Reporter.
from Odisha Reporter https://ift.tt/3HyCvYX
No comments:
Post a Comment