ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିବ୍ୟା ଏବେ ଓଲିଉଡ୍ର ଏକ ପରିଚିତ ନାଁ। ସେ ହେଉଛନ୍ତି ଆଗଧାଡ଼ିର ଜଣେ ଅଭିନେତ୍ରୀ, ଯିଏ କମ୍ ଦିନରେ ବେଶ୍ ସଫଳତା ହାସଲ କରିଛନ୍ତି। ତେବେ ଜାଣିଛନ୍ତି, ଅଭିନୟ ଦୁନିଆରେ ପାଦ ଦେବା ପାଇଁ ଯେତେବେଳେ ଦିବ୍ୟା ପ୍ରଥମେ ସିଲେକ୍ଟ ହୋଇଥିଲେ ସେ ଦୁଃଖରେ କାନ୍ଦି ଥିଲେ। ଏକ ଓଡ଼ିଆ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ସେ ଏ କଥା କହିଛନ୍ତି।
ଏହି ସାକ୍ଷାତକାରରେ ଦିବ୍ୟା କହିଛନ୍ତି ଯେ ‘ତରଙ୍ଗ’ ଚ୍ୟାନେଲ୍ରେ ‘ଲକ୍ଷ୍ମୀ’ ଧାରାବାହିକ ପାଇଁ ଅଡିସନ୍ ହେଉଥାଏ। ତାଙ୍କ ମା’ ଏ ସଂପର୍କରେ ଜାଣିବା ପରେ ତାଙ୍କୁ ଅଡିସନ୍ ଦେବା ପାଇଁ କହିଥିଲେ। ଇଚ୍ଛା ନଥିଲେ ବି ସେ ଅଡିସନ୍ ଦେଇଥିଲେ। ଆଉ ଏଥିରେ ସେ ସିଲେକ୍ଟ ହୋଇଥିଲେ। କିନ୍ତୁ ଏହି ଖବର ପାଇବା ପରେ ସେ ଖୁସି ହେବା ବଦଳରେ ଦୁଃଖୀ ହୋଇଯାଇଥିଲେ। ଏମିତିକି ସେ ଦୁଃଖରେ ବହୁତ କାନ୍ଦି ଥିଲେ। ତେବେ ସମସ୍ତେ ବୁଝାବୁଝି କଲା ପରେ ସେ ‘ଲକ୍ଷ୍ମୀ’ ଧାରାବାହିକରେ ଅଭିନୟ କରିଥିଲେ।
ଏହା ହେଉଛି ୨୦୧୫ ମସିହାର କଥା। ସେତେବେଳେ ଦିବ୍ୟାଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା। ମୂଳରୁ ଅଭିନୟ ପ୍ରତି ଆଗ୍ରହ ନଥିଲେ ହେଁ ‘ଲକ୍ଷ୍ମୀ’ ଧାରାବାହିକରେ କାମ କଲା ଭିତରେ ଅଭିନୟ ପ୍ରତି ଧୀରେ ଧୀରେ ତାଙ୍କ ଆଗ୍ରହ ବଢ଼ିଲା। ଏହା ପରେ ସେ ସାଉଥ ଇଣ୍ଡଷ୍ଟ୍ରୀରେ ଧାରାବାହିକରେ କାମ କରିଥିଲେ।
ଦିବ୍ୟା ଏହି ସାକ୍ଷାତକାରରେ କହିଛନ୍ତି ଯେ ସେ ଲାଜୁଆ ସ୍ୱଭାବର ଥିଲେ। ସେ କେବେ ଅଭିନୟ ଜଗତକୁ ଆସିବେ ବୋଲି ଭାବି ନଥିଲେ। ସେ ତାଙ୍କ ମା’ଙ୍କ ଯୋଗୁଁ ଅଭିନୟ ଦୁନିଆକୁ ଆସିଛନ୍ତି ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଦିବ୍ୟାଙ୍କ ପ୍ରଥମ ଫିଲ୍ମ ହେଉଛି ‘ସୁନ୍ଦରଗଡ଼ର ସଲ୍ମାନ ଖାଁ’। ଏହା ୨୦୧୮ରେ ଆସିଥିଲା। ଏଥିରେ ସେ ବାବୁ ସାନଙ୍କ ବିପକ୍ଷରେ ଅଭିନୟ କରିଥିଲେ। ପ୍ରଥମ ଫିଲ୍ମରେ ହିଁ ସେ ନିଜ ଅଭିନୟ ପାଇଁ ବେଶ୍ ପ୍ରଶଂସା ସାଉଁଟି ଥିଲେ। ୨୦୧୯ରେ ଆସିଥିବା ‘ମିଷ୍ଟର ମଜ୍ନୁ’ରେ ଦିବ୍ୟା ଅଭିନୟ କରିଥିଲେ। ଏଥିରେ ବି ବାବୁସାନ ଥିଲେ। ଏହି ଫିଲ୍ମରେ ଦିବ୍ୟାଙ୍କ ବ୍ୟତୀତ ଆଉ ଦୁଇ ଜଣ ହିରୋଇନ ସୂର୍ଯ୍ୟମୟୀ ଓ ଶୀତଲ ଥିଲେ। ୱେବ୍ ସିରିଜ୍ ‘ଚୁମ୍ବକ’ ପାଇଁ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥିଲେ ଦିବ୍ୟା। ଏଥିରେ ସେ ଓ ତମନ୍ନା ଥିଲେ। ସେହିଭଳି ଫିଲ୍ମ ‘ଇଏ ବି ଗୋଟେ ଲଭ୍ ଷ୍ଟୋରୀ’ରେ ତାଙ୍କ ଅଭିନୟ ମନଛୁଆଁ ଥିଲା।
The post ସିଲେକ୍ଟ ହେଲେ, କିନ୍ତୁ ଦୁଃଖରେ କାନ୍ଦିଥିଲେ appeared first on Odisha Reporter.
from Odisha Reporter https://ift.tt/3o0jp63
No comments:
Post a Comment