ନୂଆଦିଲ୍ଲୀ: ପ୍ରତ୍ୟାହୃତ ହୋଇଥିବା କୃଷି ଆଇନ ବିରୋଧରେ ଚାଷୀମାନେ ଦୀର୍ଘ ଗୋଟିଏ ବର୍ଷ ହେଲାଣି ଆନ୍ଦୋଳନ କରୁଛନ୍ତି। ଏହି ଆନ୍ଦୋଳନ ସମୟରେ ୭୦୦ରୁ ଅଧିକ ଚାଷୀ ସହିଦ ହୋଇଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ବାରମ୍ବାର କହି ଆସୁଛି। ବିରୋଧୀ ମଧ୍ୟ ଆନ୍ଦୋଳନ ବେଳେ ଶହଶହ ଚାଷୀ ପ୍ରାଣ ହରାଇଥିବା ଅଭିଯୋଗ କରୁଛନ୍ତି।
ହେଲେ କେନ୍ଦ୍ର ସରକାର ଆନ୍ଦୋଳନ ବେଳେ କୌଣସି ଚାଷୀ ପ୍ରାଣ ହରାଇ ନାହାନ୍ତି। ତେଣୁ କ୍ଷତିପୂରଣ ପ୍ରଦାନର ପ୍ରଶ୍ନ ଉଠୁନି ବୋଲି ଲୋକସଭାକୁ ଅବଗତ କରାଇଛନ୍ତି। ମହାମାରୀ କରୋନାର ଦ୍ୱିତୀୟ ୱେଭ ବେଳେ ଅମ୍ଳଜାନ ଅଭାବରୁ ଅନେକ ଲୋକ ପ୍ରାଣ ହରାଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ହସ୍ପିଟାଲ ପକ୍ଷରୁ ମଧ୍ୟ ଅମ୍ଳଜାନ ତ୍ରୁଟି କଥା ସ୍ୱୀକାର କରାଯାଇଥିଲା। ହେଲେ କେନ୍ଦ୍ର ସରକାର ପ୍ରଥମେ ଅମ୍ଳଜାନରୁ କେହି ପ୍ରାଣ ହରାଇ ନଥିବା କହିଥିଲେ। ତେବେ ବିବାଦ ହେବାରୁ ରାଜ୍ୟ ସରକାରଙ୍କୁ ଏ ସଂକ୍ରାନ୍ତରେ ରିପୋର୍ଟ ମାଗିଥିଲେ।
ଏବେ ଆନ୍ଦୋଳନ ବେଳେ ଚାଷୀଙ୍କ ମୃତ୍ୟୁକୁ ନେଇ ସରକାର ସମାନ ଆଭିମୁଖ୍ୟ ଆପଣାଇଥିବା ଅଭିଯୋଗ ଆରମ୍ଭ ହୋଇଛି। କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସରାକାର କୌଣସି ଯୋଜନା କରିଛନ୍ତି କି ବୋଲି ବିରୋଧୀ ଲୋକସଭାରେ ପ୍ରଶ୍ନ କରିଥିଲେ।
ଏହାର ଲିଖିତ ଉତ୍ତରରେ ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, “ଏହି ପ୍ରସଙ୍ଗରେ କୃଷି ମନ୍ତ୍ରଣାଳୟ କୌଣସି ପ୍ରକାରର ରେକର୍ଡ ରଖିନି। ତେଣୁ କ୍ଷତିପୂରଣ ସଂକ୍ରାନ୍ତରେ ପ୍ରଶ୍ନ ଉଠୁନି।”
ନଭେମ୍ବର ୨୬ରୁ କେନ୍ଦ୍ର ସରକାର ୨୦୨୦ ମସିହାରେ ଆଣିଥିବା କୃଷି ଆଇନ ବିରୋଧରେ ଶତାଧିକ ଚାଷୀ ଦିଲ୍ଲୀର ୩ ସୀମାନ୍ତରେ ଆନ୍ଦୋଳନ କରୁଛନ୍ତି। ଚାଷୀଙ୍କ ଏହି ସଂଘର୍ଷ ଆଗରେ ଶେଷରେ ମୁଣ୍ଡ ନୁଆଁଇ କେନ୍ଦ୍ର ସରକାର ସୋମବାର ଦିନ ଲୋକସଭା ଓ ରାଜ୍ୟସଭାରେ କୃଷି ଆଇନକୁ ପ୍ରତ୍ୟାହାର ସଂକ୍ରାନ୍ତ ବିଲ୍କୁ ପାରିତ କରିଛନ୍ତି।
ବିଲ୍ ପାରିତ ହୋଇଥିଲେ ମଧ୍ୟ ଚାଷୀମାନେ ଆନ୍ଦୋଳନ ବନ୍ଦ କରି ନାହାନ୍ତି। ଏମଏସ୍ପି ଉପରେ ଆଇନଗତ ମାନ୍ୟତା ଓ ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ଚାଷୀଙ୍କୁ କ୍ଷତିପୂରଣ ନ ମିଳିବା ଯାଏ ବିକ୍ଷୋଭ ବନ୍ଦ ହେବନି ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଘୋଷଣା କରାଯାଇଛି। ଆସନ୍ତା ୪ ତାରିଖରେ ମୋର୍ଚ୍ଚା ତା’ର ବୈଠକ କରିବ। ଏହି ସମୟରେ ଆନ୍ଦୋଳନର ପରିବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।
କେନ୍ଦ୍ର ସରକାର ଏମଏସପି ଉପରେ ନିଷ୍ପତ୍ତି ନେବାକୁ ଗୋଟିଏ କମିଟି ଗଠନ କରିବେ। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ରହିବେ। ସେହିପରି ଚାଷୀ ସଂଗଠନର ସଦସ୍ୟମାନଙ୍କୁ ମଧ୍ୟ କମିଟିରେ ସାମିଲ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ୫ ଜଣ ଚାଷୀ ନେତାଙ୍କ ନାଁ ଦେବାକୁ କହିଛନ୍ତି।
The post ଆନ୍ଦୋଳନ ବେଳେ କୌଣସି ଚାଷୀ ପ୍ରାଣ ହରାଇ ନାହାନ୍ତି କହିଲେ ସରକାର appeared first on Odisha Reporter.
from Odisha Reporter https://ift.tt/319wyBu
No comments:
Post a Comment