ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଚାଷୀ ପେଟକୁ ଲାତ ମାରିଲେ ଇନ୍ଦ୍ରାବତୀ କର୍ତ୍ତୃପକ୍ଷ । ଚାଷ କଲେ ବର୍ଷ ଯାକ ପରିବାର ପେଟ ପୋଷେ ଚାଷୀ। ହେଲେ ଚଳିତ ବର୍ଷ ରବି ଚାଷ ପାଇଁ ମିଳିବନି ପାଣି । ଉଜୁଡ଼ିଯିବ ଭାତ ହାଣ୍ଡି। ଗୁହାରି କଲେ ଶୁଣୁ ନାହାନ୍ତି କର୍ତ୍ତୃପକ୍ଷ । ଶେଷରେ ନିଜ ପେଟପାଟଣା ପାଇଁ, ନିଜ ପରିବାର ମୁହଁରେ ଦାନା ଦେବାକୁ ହାଡ଼ଭଙ୍ଗା ଶୀତରେ ରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଚାଷୀ। ତଥାପି କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗୁନି। ଏପରି ଘଟଣା ଆଜି କଳାହାଣ୍ଡି ଜିଲ୍ଲା ଗୁନଗୁନିଆରେଠାରେ ଘଟିଛି । ନିଜ ନ୍ୟାର୍ଯ୍ୟ ଦାବି ପାଇଁ ଶତାଧିକ ଚାଷୀ ଆଜି ସକାଳ ୬ ଟାରୁ ଚାଷୀ ମାନେ ମୁଖିଗୁଡ଼ା-ମୋଟେରର ମୁଖ୍ୟରାସ୍ତା ଗୁନଗୁନିଆରେଠାରେ ଅବରୋଧ କରିଛନ୍ତି।
ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲାର ପ୍ରାୟ ୭-୮ ଖଣ୍ଡ ପଞ୍ଚାୟତର ଚାଷୀ ରବି ଚାଷ ନିମନ୍ତେ ଇନ୍ଦ୍ରାବତୀ ଜଳ ଉପରେ ନିର୍ଭର କରନ୍ତି। ମାତ୍ର ନିଜ ଖାମଖିଆଲି ମନୋଭାବ ଯୋଗୁ ତାଙ୍କ ଭାତ ହାଣ୍ଡି ଉଜାଡ଼ିବାକୁ ବସିଛନ୍ତି ଇନ୍ଦ୍ରାବତୀ କର୍ତ୍ତୃପକ୍ଷ । ଚଳିତ ବର୍ଷ କମ୍ ବୃଷ୍ଟିପାତ ଯୋଗୁ ଇନ୍ଦ୍ରାବତୀରେ କମ୍ ପାଣି ଥିବା କହିଛନ୍ତି କର୍ତ୍ତୃପକ୍ଷ । ଏପରିକି ନୋଟିସ୍ ଜରିଆରେ ଇନ୍ଦ୍ରାବତୀ ପାଣିକୁ ଭରସା କରି ନ ରହିବାକୁ ଚରମ ବାଣୀ ବି ଶୁଣାଇ ଦେଇଛନ୍ତି। ଆସନ୍ତା ରବିଚାଷ ପାଇଁ ଡ୍ୟାମରୁ କେବଳ ୭ କିମି ପର୍ଯ୍ୟନ୍ତ ପାଣି ଯୋଗାଇ ଦିଆଯିବ ବୋଲି ଇନ୍ଦ୍ରାବତୀ ପ୍ରକଳ୍ପ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ତେଣୁ ପ୍ରଶାସନର ଏପରି ନିଷ୍ପତ୍ତି ଶୁଣି ଅନ୍ୟ ଚାଷୀମାନେ ମୁଣ୍ଡରେ ହାତ ଦେଇଛନ୍ତି।
ଚାଷୀମାନେ କରିଥିବା ଅଭିଯୋଗ ଅନୁଯାୟୀ, ୨୦୦୯ ମସିହାରେ ଚଳିତ ବର୍ଷଠୁ ଜଳସ୍ତର କମ୍ ଥାଇ ବି ୨୫ କିମି ପର୍ଯ୍ୟନ୍ତ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଥିଲା। ତେଣୁ ଏ ବର୍ଷ ଇନ୍ଦ୍ରାବତୀ କର୍ତ୍ତୃପକ୍ଷ ଚାଷ ଉଜାଡ଼ିବାକୁ ବସିଛନ୍ତି।
ଏନେଇ ସେମାନେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ସୁପରିଣ୍ଟେଣ୍ଡଣ୍ଟ ଇଞ୍ଜିନିୟର ଓ ଇନ୍ଦ୍ରାବତୀ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରି ଜମିକୁ ଜଳ ଯୋଗାଇ ଦେବାକୁ ଗୁହାରୀ ବି କରିଛନ୍ତି। ହେଲେ ବାରମ୍ବାର ଅନୁରୋଧ ପରେ ବି ପ୍ରଶାସନ ତରଫରୁ କୌଣସି ପ୍ରତିଶ୍ରୁତି ଦିଆଯାଇନି କି ପଦକ୍ଷେପ ଗ୍ରହଣ କରାଯାଇନି। ତୁରନ୍ତ ଏହି ସମସ୍ୟାର ସମାଧାନ ନ ହେଲେ ରାସ୍ତାକୁ ଓହ୍ଲାଇବେ ବୋଲି ପୂର୍ବରୁ ଚାଷୀମାନେ ଚେତାବନୀ ଦେଇଥିବା ବେଳେ ଆଜିଠୁ ଆନ୍ଦୋଳନ ଆରମ୍ଭ କରିଛନ୍ତି।
ଫଳରେ ଶହ ଶହ ସଂଖ୍ୟାରେ ଚାଷୀ ମୁଖିଗୁଡ଼ା-ମୋଟେରର ମୁଖ୍ୟରାସ୍ତାକୁ ଗୁନଗୁନିଆରେଠାରେ ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଫଳରେ ଯାତାୟତ ଠପ୍ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଅଟକି ରହିଛି। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।
ଏନେଇ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଇନ୍ଦ୍ରାବତୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।
The post ମିଳିବନି ଇନ୍ଦ୍ରାବତୀ ପାଣି, ଉଜୁଡ଼ିଯିବ ଭାତ ହାଣ୍ଡି; ଶେଷରେ ରାସ୍ତାକୁ ଓହ୍ଲାଇଲେ ଚାଷୀ appeared first on Odisha Reporter.
from Odisha Reporter https://ift.tt/31CsclY
No comments:
Post a Comment