କେନ୍ଦ୍ରାପଡା(ମନୋଜ ସ୍ୱାଇଁ): ଦାଉ ସାଧୁଛି ପ୍ରକୃତି। ପ୍ରଥମେ ବର୍ଷା ଅଭାବ ପରେ ବନ୍ୟା। ଆଉ ଏବେ ଫସଲ ଅମଳ ପୂର୍ବରୁ ଅଦିନିଆ ବର୍ଷା ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଳଟିଛି।କେନ୍ଦ୍ରାପଡା ଜିଲ୍ଲାରେ ଶହଶହ ଏକର ଚାଷ ଜମି ନଷ୍ଟ ହୋଇଯାଇଛି। ବର୍ଷା ପାଣିରେ ପଡ଼ି ରହିଛି ବର୍ଷକର ଆହାର । ଚାଷୀ ଆଉ କିଛି ଦିନ ପରେ ଧାନ ଅମଳ କରିଥା’ନ୍ତା। କିନ୍ତୁ ତା’ପୂର୍ବରୁ ଦାଉ ସାଜିଛି ଅଦିନିଆ ବର୍ଷା।
ଚଳିତ ଲଗାଣ ବର୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକରେ ବ୍ୟାପକ ପରିମାଣର ଧାନ ଫସଲ ନଷ୍ଟ ହୋଇଛି। ଦେଉଳତରା, ନମତରା, ହାଟସାହି, କାଟଣା ଆଦି ପଂଚାୟତରେ ଏକର ଏକର ଧାନ ଫସଲ ପାଣିରେ ଲୋଟୁଛି। ସଅଳ ପାଚି ଯାଇଥିବା ଧାନ କାଟି କ୍ଷେତକୁ ଆଣିବାକୁ ଅପେକ୍ଷା କରିଥିଲା ଚାଷୀ ହେଲେ ହଠାତ ଅଦିନିଆ ବର୍ଷା ଆସି ଜମିରେ ପାଣି ଜମିଯିବାରୁ ଗଜା ହୋଇଛି ପାଚିଲା ଧାନ। କେବଳ ଧାନ ନୁହେଁ ପନିପରିବା ମଧ୍ୟ ବର୍ଷା ଯୋଗୁଁ ନଷ୍ଟ ହୋଇଛି।
ଜିଲ୍ଲାର ୯ ଟି ବ୍ଲକରେ ୧.୧୮ ଲକ୍ଷ ହେକ୍ଟରଧାନ ଚାଷ ଜମିରେ ଧାନ ଚାଷ ହୋଇଛି। ଏକର ପିଛା କୋଡିଏ ହଜାରରୁ ଉର୍ଦ୍ଧ୍ୱ ଖର୍ଚ୍ଚ କରିଥାଏ ଚାଷୀ। ହେଲେ ଅମଳ ସମୟରେ ଚାଷରେ ଏ କ୍ଷତିକୁ ଦେଖି ଚାଷୀ ଚିନ୍ତାରେ ପଡିଛି। ଧାନ ଚାଷ ଉପରେ ନିର୍ଭର କରୁଥିବା ଏ ଅଞ୍ଚଳର ଶହ ଶହ ଚାଷୀ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି।
The post ଦାଉ ସାଧୁଛି ଅଦିନିଆ ବର୍ଷା, ଅମଳ ଆଗରୁ ଉଜୁଡ଼ିଲା ଫସଲ appeared first on Odisha Reporter.
from Odisha Reporter https://ift.tt/3cg2plW
No comments:
Post a Comment