କୁଚିଣ୍ଡା(ଦେବେନ୍ଦ୍ର ବେହେରା): ଗତକାଲି ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ବେଳେ ବିଜେପି କର୍ମୀ ଓ କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିବା ଅଭିଯୋଗ ହୋଇଥିଲା। ଏହା ପ୍ରତିବାଦରେ ଆଜି ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ପୃଥକ, ପୃଥକ ଭାବେ ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ଡାକରା ଦିଆଯାଇଛି ।
ବିଜେପି ସାଧାରଣ ସଂପାଦକ ରବି ନାଏକ ଅଭିଯୋଗ କରିଛନ୍ତି ଯେ, ବିଜେଡିର ଗୁଣ୍ଡାରାଜ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ମାନଙ୍କ ଉପରେ ଆକ୍ରମଣ କରିଥିଲେ ବିଜେଡି କର୍ମୀ । କେବଳ ସେତିକି ନୁହେଁ, ସେମାନେ ପଥର ଓ ବୋତଲ ବି ଫିଙ୍ଗିଥିଲେ । ସବୁ ଦେଖି ବି ନୀରବ ଦ୍ରଷ୍ଟା ସାଜିଥିଲା ପୋଲିସ ପ୍ରଶାସନ । ଏହା ପ୍ରତିବାଦରେ ଆଜି ସକାଳ ୬ରୁ ସଂଧ୍ୟା ୬ଟା ଯାଏ କୁଚିଣ୍ଡା ବନ୍ଦ ପାଳନ କରିବାକୁ ବିଜେପି ନିଷ୍ପତ୍ତି ନେଇଛି ।
କଂଗ୍ରେସ ଅଭିଯୋଗ ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ସମୟରେ କଂଗ୍ରେସ କର୍ମୀ ମମିତା ହତ୍ୟା ମାମଲାରେ ନାରାବାଜି କରିଥିଲେ। ଏହି ସମୟରେ କୁଚିଣ୍ଡା ଯୁବ କଂଗ୍ରେସ ସଭାପତି ଜୟନ୍ତ କିଷାନଙ୍କୁ ବିଜେଡି କର୍ମୀମାନେ ସଂଘବଦ୍ଧ ଭାବେ ମାଡ ମାରିଥିଲେ । ଏଥିରେ ଯୁବ କଂଗ୍ରେସ ନେତା ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହାର ପ୍ରତିବାଦରେ କଂଗ୍ରେସ ମଧ୍ୟ ଆଜି କୁଚିଣ୍ଡା ବନ୍ଦ ପାଳନ କରୁଛି । ବନ୍ଦ ଡାକରା ଯୋଗୁଁ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। କଂଗ୍ରେସ ପକ୍ଷରୁ ଟ୍ରାଫିକ ଛକଠାରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରୀଆଙ୍କ ନେତୃତ୍ୱରେ କର୍ମୀମାନେ ରାସ୍ତା ଅବରୋଧ କରିଛନ୍ତି।
ତେବେ ଏହି ବନ୍ଦରେ କୁଚିଣ୍ଡା ବ୍ୟବସାୟୀ ସଂଘ ସାମିଲ ହେବ ନାହିଁ ବୋଲି ସୂଚନା ଦେଇଛି । କଂଗ୍ରେସ ଓ ବିଜେପିର ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳି ପାରି ନାହିଁ ।
The post ଆଜି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ appeared first on Odisha Reporter.
from Odisha Reporter https://ift.tt/3jZWIg5
No comments:
Post a Comment