ଯାଜପୁର (ସଞ୍ଜୀବ ନାୟକ): ପୋଲଟିଏ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭଦେବା ବେଳେ ଗ୍ରାମବାସୀ ଦେଖିଥିଲେ ଅନେକ ସ୍ୱପ୍ନ। ହେଲେ ସେମାନଙ୍କ ଏହି ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଇଛି। ପୋଲ ହେବା ତ ଦୂରର କଥା, ଭିତ୍ତି ପ୍ରସ୍ତର ସ୍ଥାପନ ହେବାର ତିନିବର୍ଷ ପରେ ଏପର୍ଯ୍ୟନ୍ତ ଏଠାରେ ପଥର ଖଣ୍ଡେ ବି ପଡ଼ି ନାହିଁ। ଏଭଳି ଘଟଣା ଦେଖିବାକୁ ମିଳଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ।
ଏହି ନିର୍ବାଚନ ମଣ୍ଡଳୀର ଦଶରଥପୁର ବ୍ଲକରେ ରହିଛି ଦତ୍ତପୁର, ଦୁଦୁରାଅଣ୍ଟା ଓ କମାରଢି ପଞ୍ଚାୟତ। ଏହି ତିନୋଟି ପଞ୍ଚାୟତରେ ପ୍ରାୟ ୧୦ ହଜାର ଲୋକ ବସବାସ କରନ୍ତି। ହେଲେ ଏହି ତିନୋଟି ପଞ୍ଚାୟତ ଦେଇ ଯାଇଥିବା ବୈତରଣୀ ନଦୀ ଲୋକଙ୍କ ପାଇଁ ପାଲଟିଛି ଦୁଃଖର କାରଣ। ବୈତରଣୀ ନଦୀ ପାର ହେବା ପାଇଁ ସ୍ଥାୟୀ ପୋଲ ନାହିଁ। ବାଉଁଶ ପୋଲ ଓ ଦେଶୀ ଡଙ୍ଗା ହିଁ ଲୋକମାନଙ୍କର ସାହାଭରସା।
ଲୋକମାନେ ୭ ମାସ ବାଉଁଶ ପୋଲରେ ଯା’ଆସ କରୁଥିବା ବେଳେ ୫ ମାସ ଦେଶୀ ଡଙ୍ଗାର ସାହାଯ୍ୟ ନିଅନ୍ତି। ବର୍ଷା ଦିନରେ ବୈତରଣୀ ନଦୀରେ ବନ୍ୟା ଆସିଥାଏ। ଫଳରେ ବାଉଁଶ ପୋଲ ଭାଙ୍ଗି ଯାଏ। ଫଳରେ ଲୋକେ ଦେଶୀ ଡଙ୍ଗା ସାହାଯ୍ୟରେ ଯିବାଆସିବା କରିଥା’ନ୍ତି। ବର୍ଷା ଦିନ ଗଲା ପରେ ପୁଣି ଲୋକମାନେ ନିଜ ପଇସାରେ ବାଉଁଶ ପୋଲ ତିଆରି କରି ସେଥିରେ ଯିବାଆସିବା କରନ୍ତି।
ଏହି ତିନୋଟି ପଞ୍ଚାୟତର ଲୋକେ ଭଦ୍ରକ ଜିଲ୍ଲା ବେତାଳି ଗାଁରେ ଥିବା ସ୍କୁଲ, କଲେଜ, ମେଡିକାଲ୍ ଓ ବଜାର ଉପରେ ନିର୍ଭର କରିଥା’ନ୍ତି। କାରଣ ଏହି ତିନୋଟି ପାଞ୍ଚାୟତବାସୀଙ୍କୁ ଯାଜପୁର ଟାଉନ ଅପେକ୍ଷା ବେତାଳି ଗାଁ ଅଳ୍ପ ଦୂର ହୋଇଥାଏ। ତେଣୁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ବାଉଁଶପୋଲ ଓ ଦେଶୀଡଙ୍ଗାରେ ଯିବା ଆସିବା କରନ୍ତି।
ବୈତରଣୀ ନଦୀ ଉପରେ ସ୍ଥାୟୀ ପୋଲଟିଏ ନିର୍ମାଣ କରିବା ପାଇଁ ୨୦୧୯ ମସିହା ଫେବ୍ରୁଆରୀ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। କିନ୍ତୁ ତିନିବର୍ଷ ହେଲାଣି ପୋଲ କାମ ଆରମ୍ଭ ହୋଇପାରିନି। ଭିତ୍ତି ପ୍ରସ୍ତର ସ୍ଥାପନ ପରେ ବି ପୋଲ ନିର୍ମାଣ ନ ହେବା ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଅପାରଗତା ଓ ଅବହେଳା ବୋଲି ଅଭିଯୋଗ କରିଛନ୍ତି ଲୋକେ।
ବାଉଁଶ ପୋଲ ପାର ହୋଇ ଯାଉଛନ୍ତି ଗ୍ରାମବାସୀ
ଗ୍ରାମବାସୀ ରଙ୍ଗାଧର ସେଠୀ କହିଛନ୍ତି, ପୋଲଟିଏ ତିଆରି ପାଇଁ ତିନିବର୍ଷ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶୁଭ ଦେଇ ସାରିଛନ୍ତି। ଏପର୍ଯ୍ୟନ୍ତ କିଛି ହୋଇନାହିଁ।
ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି, ଜମି ଅଧିଗ୍ରହଣରେ ବିଳମ୍ବ କାରଣରୁ ସେତୁ ନିର୍ମାଣ ବିଳମ୍ବ ହୋଇଛି। ଶୀଘ୍ର ଏ ସମସ୍ୟାର ସମାଧାନ କରାଯାଇ ପୋଲି ନିର୍ମାଣ କରାଯିବ।
The post ଏଠି ବି ଧୋକା! ପୋଲ ପାଇଁ ୩ ବର୍ଷ ପୂର୍ବେ ଦେଇଥିଲେ ଶୁଭ,ଏପର୍ଯ୍ୟନ୍ତ ପଥର ଖଣ୍ଡେ ପଡ଼ିନାହିଁ appeared first on Odisha Reporter.
from Odisha Reporter https://ift.tt/3piCK22
No comments:
Post a Comment