ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ହାତକୁ କେସ୍ ନେବା ବେଳେ ମୁଁ କେବଳ ଓକିଲାତି ଧର୍ମ ପାଳନ କରେ। ମହକିଲର ଜାତି, ଧର୍ମ କିମ୍ବା ବର୍ଣ୍ଣକୁ ବିଚାରକୁ ନିଏ ନାହିଁ। ଗୋବିନ୍ଦ ସାହୁ ଓକିଲ ଖୋଜୁଥିଲା। ମୋ ପାଖକୁ ଏହି କେସ୍ ଆସିବାରୁ ମୁଁ ଲଢ଼ିବାକୁ ରାଜି ହେଲି। କେସ୍ ସହ ଆମ ସମ୍ପର୍କ। ମହକିଲ ସହ ନୁହେଁ। ବିଜେଡି, କଂଗ୍ରେସ ସମର୍ଥକଙ୍କ ପାଇଁ ବି କେସ୍ ଲଢ଼ିଛି।” ଏପରି କହିଛନ୍ତି ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲ ମୋହନଲାଲ ଶର୍ମା। ମୋହନଲାଲ କେଉଁ ଦଳର ତାକୁ ନେଇ ବିଜେପି, ବିଜେଡି କାଦୁଅ ଫିଙ୍ଗାଫିଙ୍ଗି ହେଉଥିବା ବେଳେ ନିଜ ବୟାନ ରଖିଛନ୍ତି ମୋହନଲାଲ ଶର୍ମା।
ଏନେଇ ସେ କହିଛନ୍ତି, ମୁଁ ବିଜେପିର ଦୃଢ଼ ସମର୍ଥକ। ବିଜେପି ରାଷ୍ଟ୍ର ହିତର, ଦେଶ ଭକ୍ତିର କଥା କହୁଛି। ତେଣୁ ମୁଁ ଦଳକୁ ସମର୍ଥନ କରେ। ହେଲେ ମୁଁ ଦଳର ପ୍ରାଥମିକ ସଦସ୍ୟ ନୁହେଁ। ନିର୍ବାଚନରେ ବିଜେପିର ପ୍ରାର୍ଥୀ ହେବାକୁ କେବେ ବି ଚାହିଁନି। ରାଷ୍ଟ୍ରବାଦ ପାର୍ଟି ହୋଇଥିବାରୁ ବିଜେପିକୁ ସମର୍ଥନ କରେ। ମୋ ବାପା ଜନସଂଘ କର୍ମକର୍ତ୍ତା ଥିଲେ। ଆମ ରକ୍ତରେ ରାଷ୍ଟ୍ରବାଦ ରହିଛି।
କେବଳ ବିଜେପି ନୁହେଁ, ବିଜେଡି, କଂଗ୍ରେସ ପାଇଁ ବି କେସ୍ ଲଢ଼ିଛି। ଆୟୁବ୍ ଖାଁ ବିଧାୟକ ଥିବା ସମୟରେ ବିଜେଡି ସରକାରରେ ସରକାରୀ ଓକିଲ ଥିଲି। କିଛି ଦିନ ପରେ ସରକାରୀ ଓକିଲ ଦାୟିତ୍ୱରୁ ଅବ୍ୟାହତି ନେଇଥିଲି। ଯିଏ ଆମ ପାଖକୁ କେସ୍ ନେଇ ଆସେ, ସେ ମହକିଲ କେଉଁ ଧର୍ମ କିମ୍ବା ଜାତିର ତାହା ଦେଖେନି। ଆମେ ବି ମହକିଲ କେଉଁ ପାର୍ଟିର, କେଉଁ ଦଳର ତାହା ଦେଖୁନୁ। କେସ୍ ସହ ସିଧାସଳଖ ଆମ ସମ୍ପର୍କ।
ସୂଚନାଯୋଗ୍ୟ, ମାସାଧିକ କାଳ ବିତିଯିବା ସତ୍ତ୍ୱେ ମମିତା ଝଡ଼ ଥମିବାର ନାଁ ଧରୁନି। ଗୃହରେ ତଥା ଗୃହ ବାହାରେ ଶାସକ ଓ ବିରୋଧି ପରସ୍ପରକୁ ଦୋଷାରୋପ କରିବାରେ ବ୍ୟସ୍ତ। ଏବେ ଉଭୟଙ୍କ ଟାର୍ଗେଟକୁ ଆସିଛନ୍ତି ମମିତା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲ ମୋହନଲାଲ ଶର୍ମା।
ମୋହନଲାଲ ଶର୍ମା ବିଜେପିର ସକ୍ରିୟ ସଦସ୍ୟ ବୋଲି ବିଜେଡି ଖୁଲମଖୁଲା ଦାବି କରୁଥିବା ବେଳେ ବିଜେପି କିନ୍ତୁ ନିଜ ଇମେଜକୁ କ୍ଲିନ୍ କରିବାରେ ବ୍ୟସ୍ତ। ମମିତା ମାମଲାରେ ଅଭିଯୁକ୍ତ ଗୋବିନ୍ଦଙ୍କ ଓକିଲ ମୋହନଲାଲ ଶର୍ମାଙ୍କ ବିଜେପି ସହ ସମ୍ପର୍କ ନେଇ ବିଜେଡି ବିଧାୟକ ଆଣିଛନ୍ତି ସାଂଘାତିକ ଅଭିଯୋଗ।
ଭାରତୀୟ ଜନତା ପାର୍ଟିର କଣ୍ଟାବାଞ୍ଝିର ଟାଣୁଆ କର୍ମୀ ମୋହନଲାଲ ଶର୍ମା ଏବେ ଗୋବିନ୍ଦ ସାହୁଙ୍କ ଓକିଲ ସାଜି ତାଙ୍କ ବେଲ୍ ପାଇଁ ଲଢ଼ୁଛନ୍ତି ବୋଲି କହିଛି ବିଜେଡି। କେବଳ ସେତିକି ନୁହେଁ, ଗୋଟିଏ ପଟେ ବିଜେପିର ସକ୍ରିୟ କର୍ମୀ ମମିତା ହତ୍ୟା ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ପକ୍ଷରୁ ଲଢ଼ୁଥିବା ବେଳେ ଅପରପକ୍ଷେ ଗୃହ ଚଳାଇ ଦେଉନି ଦଳ। ଏପରିକି ସିବିଆଇ ତଦନ୍ତ ଦାବିରେ କରୁଛି ଗର୍ଜନ। ତେବେ ବିଜେପି ପ୍ରକୃତରେ କ’ଣ ଚାହୁଁଛି ବୋଲି ସ୍ପଷ୍ଟ କରିବାକୁ କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ।
ଅପରପକ୍ଷେ, ଏପରି ଅଭିଯୋଗକୁ ଭିତ୍ତିହୀନ କହିବା ସହ ଏହାକୁ ଖଣ୍ଡନ କରିଛି ବିଜେପି। ମୋହନଲାଲ ଶର୍ମାଙ୍କୁ ବଲାଙ୍ଗିର ଜିଲ୍ଲା ଭାଜପା ତରଫରୁ କୌଣସି ପଦପଦବୀରେ ରଖାଯାଇନି ବୋଲି ସ୍ପଷ୍ଟ କରାଯାଇଛି। ଏଥିସହ କହିଛନ୍ତି, ମୋହନଲାଲ ଶର୍ମାଙ୍କର ବିଜେପି ସହ କୌଣସି ଲିଙ୍କ ନାହିଁ। ସେ ବିଜେପିର କୌଣସି ପଦପଦବୀରେ ନାହାନ୍ତି।
ବିଜେଡି ଏବେ ବିଜେପି ଆଡ଼କୁ ଆଙ୍ଗୁଠି ଦେଖାଉଥିବା ବେଳେ ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କିନ୍ତୁ ନବୀନ ନିବାସ ଆସିଥିଲେ। ସାଙ୍ଗରେ ଥିଲେ ପ୍ରତାପ ଦେବ। ଗୋବିନ୍ଦ ସହ ବିଜେଡି ମନ୍ତ୍ରୀଙ୍କ ଘନିଷ୍ଠ ସମ୍ପର୍କ ଅଛି ବୋଲି ସାଂଘାତିକ ଅଭିଯୋଗ ଆଣିଛି ବିଜେପି।
The post ମୁଁ ଓକିଲାତି ଧର୍ମ ପାଳନ କରେ, ମହକିଲଙ୍କ ଦଳ ଦେଖେନି: ଗୋବିନ୍ଦଙ୍କ ଓକିଲ appeared first on Odisha Reporter.
from Odisha Reporter https://ift.tt/3lL7zve
No comments:
Post a Comment