ଜୋହାନ୍ସବର୍ଗ: କରୋନାର ନୂଆ ରୂପ ଓମିକ୍ରନ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଛି। ଏବେ ସୁଦ୍ଧା ୬୩ଟି ଦେଶରେ ଓମିକ୍ରନ ପହଞ୍ଚି ସାରିଲାଣି। ଏସବୁ ଭିତରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ସାଂଘାତିକ ସ୍ଥିତି ସୃଷ୍ଟି କରିଥିବା ବେଳେ ରାଷ୍ଟ୍ରପତିଙ୍କ ରିପୋର୍ଟ ପଜିଟିଭ ଆସିଛି। ତାଙ୍କ ଶରୀରରେ କରୋନାର ବିଭିନ୍ନ ଲକ୍ଷଣ ଦେଖାଦେଇଛି। ଏହି କାରଣରୁ ତାଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।
ରାଷ୍ଟ୍ରପତି ରାମାଫୋସା କରୋନା ବିରୋଧୀ ଟିକାର ଦୁଇଟି ଯାକ ଡୋଜ୍ ନେଇଥିଲେ। ତଥାପି ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ କେପଟାଉନରେ ଥିବା ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କର ସମସ୍ତ ଦାୟିତ୍ୱ ଉପରାଷ୍ଟ୍ରପତି ଡେଭିଡ୍ ମାବୁଜାଙ୍କୁ ହସ୍ତାନ୍ତର କରାଯାଇଛି।
ରାମାଫୋସା ସୁସ୍ଥ ହେବା ପରେ ପୁଣି ରାଷ୍ଟ୍ରପତି ଭାବେ କାର୍ଯ୍ୟ ଆରମ୍ଭ କରିବେ। ବିବୃତିରେ କୁହାଯାଇଛି ଯେ ନିକଟରେ ରାଷ୍ଟ୍ରପତି ଓ ତାଙ୍କ ଟିମ୍ ପଶ୍ଚିମ ଆଫ୍ରିକାର ୪ଟି ରାଜ୍ୟ ଗସ୍ତରେ ଯାଇଥିଲେ। ଏହି ସମୟରେ ସମସ୍ତଙ୍କର କରୋନା ପରୀକ୍ଷା କରାଯାଇଥିଲା। ଡିସେମ୍ବର ୮ରେ ସେମାନେ ଜୋହାନ୍ସବର୍ଗକୁ ଫେରିବା ପରେ ପୁଣି ଟେଷ୍ଟ ହୋଇଥିଲା ଓ ରିପୋର୍ଟ ମଧ୍ୟ ନେଗେଟିଭ ଆସିଥିଲା। କିନ୍ତୁ ଏହାର କିଛି ଦିନ ପରେ ରାଷ୍ଟ୍ରପତିଙ୍କ କରୋନା ଲକ୍ଷଣ ଦେଖାଯାଇଥିଲା।
ଟେଷ୍ଟ କରାଯିବାରୁ ରବିବାର ରିପୋର୍ଟ ପଜିଟିଭ ଆସିଛି। ଏବେ ରାଷ୍ଟ୍ରପତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବିବୃତିରେ କୁହାଯାଇଛି।
ସୂଚନାଯୋଗ୍ୟ, ନଭେମ୍ବର ୨୪ରେ ପ୍ରଥମଥର ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଥିଲା। ଏହାପରେ ଏହି ଭାରିଏଣ୍ଟ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବ୍ୟାପିବାରେ ଲାଗିଛି। କରୋନାର ଅନ୍ୟ ସବୁ ଭାରିଏଣ୍ଟ ତୁଳନାରେ ଓମିକ୍ରନ ଦ୍ରୁତଗତିରେ ସଂକ୍ରମିତ କରିବାର କ୍ଷମତା ରଖିଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି।
The post ରାଷ୍ଟ୍ରପତିଙ୍କୁ କରୋନା, ଉପ ରାଷ୍ଟ୍ରପତିଙ୍କୁ ମିଳିଲା ଦାୟିତ୍ୱ appeared first on Odisha Reporter.
from Odisha Reporter https://ift.tt/3dMwuKw
No comments:
Post a Comment