ମୁମ୍ବାଇ: ନ୍ୟୁଜିଲ୍ୟାଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ବାମହାତୀ ସ୍ପିନର ଏଜାଜ ପଟେଲ ନିଜର ଜଲୱା ଦେଖାଇଛନ୍ତି। ଗତକାଲି ସେ ୪ ଭାରତୀୟ ବ୍ୟାଟସମ୍ୟାନଙ୍କୁ ଆଉଟ କରିଥିବା ବେଳେ ଆଜି ଆଉ ୨ଟି ୱିକେଟ ହାସଲ କରିଛନ୍ତି। ଭାରତ ଏଯାଏ ୬ ୱିକେଟ ହରାଇଛି। ଆଉ ଏହି ୬ଟି ଯାକ ୱିକେଟ ନେଇଛନ୍ତି ଏଜାଜ ପଟେଲ।
ଖାଲି ସେତିକି ନୁହେଁ, ସେ ପ୍ରଥମ ନ୍ୟୁଜିଲ୍ୟାଣ୍ଡ ସ୍ପିନର ଭାବେ ଭାବେ ଭାରତରେ ଖେଳାଯାଇଥିବା କୌଣସି ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇଛନ୍ତି। ସେହିପରି ଏଜାଜ ପଟେଲ ତୃତୀୟ ଥର ପାଇଁ ଟେଷ୍ଟ କ୍ରିକେଟରେ ୫ ୱିକେଟ ଦଖଲ କରିଛନ୍ତି। ଏସିଆ ମହାଦେଶରେ ହିଁ ସେ ଏପରି ସଫଳତା ହାସଲ କରିଛନ୍ତି।
ସେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଖେଳୁଥିଲେ ହେଁ ତାଙ୍କର ଜନ୍ମ ମୁମ୍ବାଇରେ ହୋଇଥିଲା। ତେଣୁ ମୁମ୍ବାଇ ତାଙ୍କର ହୋମ ଟାଉନ। ଦ୍ୱିତୀୟ ଟେଷ୍ଟ ମୁମ୍ବାଇର ୱାଙ୍ଖଡେରେ ଖେଳା ଯାଉଥିବା ବେଳେ ଏଜାଜ ୬ଟି ୱିକେଟ ଦଖଲ କରିଛନ୍ତି। ହୋମ ଟାଉନରେ ଏପରି ପ୍ରଦର୍ଶନରେ ସେ ବେଶ ଖୁସି ଥିବା ମଧ୍ୟ କହିଛନ୍ତି।
ଏଜାଜ ପଟେଲଙ୍କ ବାପା ମା’ ୧୯୯୬ରେ ନ୍ୟୁଜିଲ୍ୟାଣ୍ଡ ଚାଲି ଯାଇଥିଲେ। ସେବେଠାରୁ ଏଜାଜ ମଧ୍ୟ ସେଠାରେ ରହି କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ଦୀର୍ଘ ଦିନର ପରିଶ୍ରମ ପରେ ତାଙ୍କୁ ନ୍ୟୁଜିଲ୍ୟାଣ୍ତର ଜାତୀୟ ଟିମରେ ସୁଯୋଗ ମିଳିଥିଲା। ସୁଯୋଗ ପାଇବା ପରେ ସେ କ୍ରମାଗତ ଦଳ ପାଇଁ ଭଲ ପ୍ରଦର୍ଶନ କରି ଆସୁଛନ୍ତି।
ଭାରତ ପ୍ରଥମ ଦିବସରେ ୪ ୱିକେଟ ହରାଇ ୨୨୧ ରନ୍ କରିଥିଲା। ଆଜି ଦଳୀୟ ଖାତାରେ ୩ ରନ୍ ଯୋଡ଼ି ପ୍ରଥମେ ରଦ୍ଧିମାନ ସାହା(୨୭) ଆଉଟ ହୋଇଥିଲେ। ଏହାର ପରବର୍ତ୍ତୀ ବଲରେ ହିଁ ରବିଚନ୍ଦ୍ରନ ଅଶ୍ୱିନ ପ୍ୟାଭିଲିୟନ ଫେରିଥିଲେ। ଉଭୟଙ୍କୁ ଏଜାଜ ପଟେଲ ଆଉଟ କରି ଦିବସର ଖେଳ ଆରମ୍ଭରୁ ପୂରା ନ୍ୟୁଜିଲ୍ୟାଣ୍ଡ ଶିବିରରେ ଜୋଶ ଭରି ଦେଇଛନ୍ତି।
ତେବେ କ୍ରିଜ୍ରେ ଭାରତ ପକ୍ଷରୁ ଶତକ ହାସଲ କରିଥିବା ମୟଙ୍କ ଅଗ୍ରୱାଲ ମହୁଜୁଦ ଅଛନ୍ତି। ତାଙ୍କ ସହ ଅଲାରାଉଣ୍ଡର ଅକ୍ଷର ପଟେଲ ବ୍ୟାଟିଂ କରୁଥିବାରୁ ଭାରତ ପ୍ରଥମ ଇନିଂସରେ ବଡ଼ ସ୍କୋର ଲକ୍ଷ୍ୟରେ ରହିଛି। ଶେଷ ଖବର ସୁଦ୍ଧା ଭାରତ ୬ ୱିକେଟ ହରାଇ ୨୪୬ ରନ୍ କରିଛି। ମୟଙ୍କ ଅଗ୍ରୱାଲ ୧୩୦ ଓ ଅକ୍ଷର ପଟେଲ ୧୩ ରନ୍ କରି ଅପରାଜିତ ରହିଛି।
The post ହୋମ ଟାଉନରେ ଏକାକୀ ଭାରତର ୬ ୱିକେଟ ନେଲେଣି ଏଜାଜ ପଟେଲ appeared first on Odisha Reporter.
from Odisha Reporter https://ift.tt/3dh7Ml1
No comments:
Post a Comment