କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ମହିଳାଙ୍କ ବିବାହକୁ ନେଇ ସ୍ୱତନ୍ତ୍ର ହୁକୁମନାମା ବା ନିର୍ଦ୍ଦେଶ ଜାରି କରିଛି। ପୂର୍ବରୁ ତାଲିବାନ ମହିଳାଙ୍କୁ ବଳ ପୂର୍ବକ ବିବାହ କରୁଥିବା ଅଭିଯୋଗ ହେଉଥିଲା। ହେଲେ ଆଜି ସଂଗଠନ ଏହି ବଳପୂର୍ବକ ବିବାହ ଉପରେ ରୋଗ ଲଗାଇଛି। ଦେଶରେ ବିବାହ ପାଇଁ ମହିଳାଙ୍କ ସହମତି ଜରୁରୀ ବୋଲି ତାଲିବାନ ହୁକୁମନାମାରେ ଉଲ୍ଲେଖ କରିଛି।
ଅଗଷ୍ଟ ୧୫ରୁ ତାଲିବାନ ଆଫଗାନକୁ ଦଖଲ କରିଛି। ହେଲେ କିଛି ହାତ ଗଣତି ଦେଶକୁ ଛାଡ଼ିଥିଲେ ତାଲିବାନ ସରକାରକୁ ଅନ୍ୟ କୌଣସି ରାଷ୍ଟ୍ର ମାନ୍ୟତା ପ୍ରଦାନ କରିନାହାନ୍ତି। ମହିଳାଙ୍କ ସ୍ୱାଧୀନତା ହ୍ରାସ ଓ ଏକଛତ୍ରବାଦୀ ଶାସନ ଚଳାଉଥିବା ତାଲିବାନ ଏବେ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରି ଅନ୍ତର୍ଜାତୀୟ ରାଷ୍ଟ୍ରଗୁଡ଼ିକର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଛି।
ଏଥିପାଇଁ ସଂଗଠନ ମହିଳାଙ୍କ ବଳ ପୂର୍ବକ ବିବାହ ଉପରେ ରୋକ ଲଗାଇଛି। ତେବେ ଏହା କେବଳ ଏକ ନିର୍ଦ୍ଦେଶନାମା ନା ବାସ୍ତବରେ ଏହାକୁ କାର୍ଯ୍ୟକାରୀ କରାଯିବ, ସେକଥା ଜଣାପଡ଼ିନି। କିଛି ଦିନ ତଳେ ତାଲିବାନ ଟିଭି ପରଦାରେ ମହିଳାମାନେ ଅଭିନୟ କରିବେ ନାହିଁ ବୋଲି ହୁକୁମନାମା ଜାରି କରିଥିଲା। ଏହାକୁ ନେଇ ବେଶ ବିତର୍କ ମଧ୍ୟ ଦେଖିବାକୁ ମିଳିଥିଲା। ହେଲେ ଏବେ ତାଲିବାନ ମହିଳାଙ୍କ ବିବାହ ନୀତିରେ ପରିବର୍ତ୍ତନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଦୀର୍ଘ ଦିନ ହେଲା ଜନମାନସରୁ ଦୂରେଇ ରହୁଥିବା ତାଲିବାନ ମୁଖ୍ୟ ହବିତୁଲ୍ଲା ଅଖୁଣ୍ଡଜାଦାର ଅନୁମୋଦନ କ୍ରମେ ତାଲିବାନ ଏପରି ହୁକୁମନାମା ଜାରି କରିଥିବା କହିଛି। ଅଖୁଣ୍ଡଜାଦା ଜୀବିତ କି ମୃତ୍ୟୁ, ତା’କୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ତାଲିବାନର ଏହି ପଦକ୍ଷେପ ଆହୁରି ଦ୍ୱନ୍ଦ୍ୱ ସୃଷ୍ଟି କରିଛି।
ସେ ଯାହା ବି ହେଉ ମହିଳାଙ୍କ ବଳପୂର୍ବକ ବିବାହ ଉପରେ ରୋକ ଲଗାଇ ପାଇଁ ଜାରି ହୁକୁମନାମାରେ ତାଲିବାନ କହିଛି ଯେ “ଉଭୟ ପୁରୁଷ ଓ ମହିଳା ସମାନ। ଉଭୟଙ୍କର ସମାନ ଅଧିକାର ରହିଛି। କେହି ବି ମହିଳାଙ୍କୁ ବଳ ପୂର୍ବକ କିମ୍ବା ଚାପ ପକାଇ ବିବାହ ପାଇଁ ବାଧ୍ୟ କରିପାରିବେ ନାହିଁ।”
ତାଲିବାନ କ୍ଷମତାରୁ ଯିବା ପରେ ଦୀର୍ଘ ୨ ଦଶନ୍ଧି ଧରି ମହିଳାଙ୍କ ସ୍ୱାଧୀନତାରେ ଉନ୍ନତି ଆସିଥିଲା। ତେବେ ଏବେ ପୁଣି ତାଲିବାନ ଫେରିଥିବାରୁ ମହିଳମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ତାଲିବାନର ପ୍ରଥମ ସରକାର ବେଳେ ମହିଳାଙ୍କୁ ସମ୍ପତ୍ତି ଭାବେ ବ୍ୟବହାର କରାଯାଉଥିଲା। ସେମାନଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେବା ସହ କ୍ଲୀତଦାସ ଭାବେ ବିବେଚନା କରୁଥିଲା। ଶିକ୍ଷା ଅଧିକାର ମଧ୍ୟ ମିଳୁ ନଥିଲା।
ହେଲେ ଏବେ ତାଲିବାନ ୨.୦ ସରକାର ଏସବୁ ପ୍ରଥା ଉପରେ ରୋକ ଲଗାଇ ଥିବା ଦାବି କରିଛି। ସେହିପରି ମହିଳାମାନଙ୍କୁ ସ୍ୱାମୀ ପ୍ରାଣ ହରାଇବାର ୧୭ ସପ୍ତାହ ପରେ ଦ୍ୱିତୀୟ ବିବାହ ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ମହିଳା ନିଜ ଇଚ୍ଛାରେ ନିଜର ଦ୍ୱିତୀୟ ସ୍ୱାମୀ ଚୟନ କରିପାରିବେ ବୋଲି ତାଲିବାନ କହିଛି।
ଆଫଗାନର ଆଦିବାସୀ ପରମ୍ପରା ଅନୁଯାୟୀ, ଯଦି ଜଣେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟୁଛି, ତା’ହେଲେ ସେ ସ୍ୱାମୀଙ୍କ ଭାଇ କିମ୍ବା ସମ୍ପର୍କୀୟ ମଧ୍ୟରୁ ଜଣଙ୍କୁ ବିବାହ କରିପାରିବେ। ଏହାକୁ ଅନେକ ସମୟରେ ସାମାଜିକ ଅନୁଷ୍ଠାନମାନେ ବିରୋଧ ମଧ୍ୟ କରୁଥିଲେ। ତାଲିବାନ କ୍ଷମତାକୁ ଆସିବା ପରେ ଏହି ପରମ୍ପରାକୁ ବନ୍ଦ କରିଛି। ଏଥିସହ ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯିବ ବୋଲି ତାଲିବାନ ପକ୍ଷରୁ କୁହାଯାଇଛି।
The post ମହିଳାଙ୍କ ବିବାହକୁ ନେଇ ତାଲିବାନ ଜାରି କଲା ନୂଆ ହୁକୁମନାମା appeared first on Odisha Reporter.
from Odisha Reporter https://ift.tt/3EqtxuC
No comments:
Post a Comment