ଟୁକ୍ସଟଲା(ମେକ୍ସିକୋ): ଶତାଧିକ ଲୋକଙ୍କୁ ନେଇ ଯାଉଥିବା ଗୋଟିଏ କାର୍ଗୋ ଟ୍ରକ୍ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଟ୍ରକ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ସହ ଲୋକଙ୍କ ଚାଲିବା ପାଇଁ ତିଆରି ହୋଇଥିବା ବ୍ରିଜ୍କୁ ଧକ୍କା ଦେଇଛି। ଏଥିରେ ୪୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଦକ୍ଷିଣ ମେକ୍ସିକୋର ଜାତୀୟ ରାଜପଥରେ ଏପରି ଏକ ଦୁଃଖଦ ଘଟଣା ଘଟିଛି। କାର୍ଗୋ ଟ୍ରକ୍ଟି କେନ୍ଦ୍ରୀୟ ଆମେରିକାରୁ ପ୍ରବାସୀମାନଙ୍କୁ ନେଇ ଯାଉଥିବା ବେଳେ ଏପରି ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି।
ଚିଆପାସ୍ ରାଜ୍ୟ ସିଭିଲ ଡିଫେନ୍ସ କାର୍ଯ୍ୟାଳୟର ମୁଖ୍ୟ ଲୁଇସ୍ ମାନୁଏଲ୍ ମୋରେନୋ କହିଛନ୍ତି ଯେ ପ୍ରାଥମିକ ଆକଳନ ଅନୁଯାୟୀ ଦୁର୍ଘଟଣାରେ ୪୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪୦ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଚିଆପାସର ରାଜଧାନୀକୁ ସଂଯୋଗ କରୁଥିବା ଗୋଟିଏ ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସାମ୍ନାକୁ ଆସିଥିବା ଫଟୋରେ ମୃତଦେହଗୁଡ଼ିକ ରାସ୍ତାର ଏଣେତେ ପଡ଼ିଥିବା ଦେଖିବାକୁ ମିଳିଛି। କିଛି ମୃତାହତ ଟ୍ରକ୍ର କମ୍ପାର୍ଟମେଣ୍ଟରେ ମଧ୍ୟ ପଡ଼ି ରହିଛନ୍ତି। ସେହିପରି ଲୋକଙ୍କ ଜିନିଷପତ୍ର ମଧ୍ୟ ବ୍ରିଜ୍ ଓ ରାସ୍ତାରେ ପଡ଼ି ରହିଛି।
ପ୍ରଶାସନ ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି। ମୃତାହତମାନେ ଆମେରିକାର ପ୍ରବାସୀ ବୋଲି ଜଣାପଡ଼ିଛି। କିନ୍ତୁ ସେମାନେ ପ୍ରକୃତରେ କେଉଁ ଦେଶର ସେକଥା ନିଶ୍ଚିତ ହୋଇନି। ମୋରେନୋ କହିଛନ୍ତି ଯେ ଜୀବତ ଅବସ୍ଥାରେ ଉଦ୍ଧାର ହୋଇଥିବା କିଛି ଲୋକ ସେମାନେ ପଡ଼ୋଶୀ ଗୁଆଟେମାଲାର ବୋଲି କହିଛନ୍ତି।
ଟ୍ରକ୍ରେ ପ୍ରାୟ ୧୦୭ ଜଣ ଲୋକ ରହିଥିଲା। ଫଳରେ ଏହା ଭାରସାମ୍ୟ ହରାଇ ଓଲଟି ପଡ଼ିବା ସହ ସେଠାରେ ଥିବା ଷ୍ଟିଲ ପାଦ ଚଲା ବ୍ରିଜ୍କୁ ଧକ୍କା ଦେଇଥିଲା। ତେଣୁ ଏତେ ବଡ଼ ଦୁର୍ଘଟଣା ଘଟିଛି। ତଥାପି ଏହାର ତଦନ୍ତ କରାଯାଉଛି। ପୂର୍ବରୁ ଦକ୍ଷିଣ ମେକ୍ସିକୋରେ ଏପରି କାର୍ଗୋ ଟ୍ରକ୍ରେ ମାନବ ଚାଲାଣ ଘଟିବାର ନଜିର ରହିଛି।
ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଟ୍ରକ୍ରେ ଥିବା ପ୍ରବାସୀମାନଙ୍କ ମଧ୍ୟ କିଛି ଲୋକ ଆହତ ହୋଇଥିଲେ ମଧ୍ୟ ଇମିଗ୍ରେସନ ଏଜେଣ୍ଟ ଦ୍ୱାରା ଗିରଫ ହେବା ଭୟରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। କିଛି ଲୋକ ଖସି ଯାଉଥିବା ବେଳେ ସେମାନଙ୍କ ଶରୀରରୁ ରକ୍ତ ମଧ୍ୟ ବାହାରୁ ଥିବା ଦେଖିବାକୁ ମିଳିଛି। ସାମଗ୍ରୀ ନେବା ଆଣିବା ପାଇଁ ବ୍ୟବହାର ହେଉଥିବା ଟ୍ରକ୍ରେ ହିଁ ଲୋକମାନେ ଯାଉଥିଲେ। ଏହାର ଡ୍ରାଇଭର ବଞ୍ଚିଛନ୍ତି କି, ତା’ର ସୂଚନା ମିଳି ନଥିବା ପ୍ରଶାସନିକ ଅଧିକାରୀମାନେ କହିଛନ୍ତି।
The post ଲୋକଙ୍କୁ ନେଇ ଯାଉଥିବା ଟ୍ରକ୍ ଓଲଟି ପଡ଼ିଲା, ୪୯ ଜଣଙ୍କ ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/33mEv77
No comments:
Post a Comment