ମୁମ୍ବାଇ: ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟକୁ ଦେଖି ଅନେକ ରାଷ୍ଟ୍ର ବୁଷ୍ଟର ବା ତୃତୀୟ ଡୋଜ୍ ଟିକା ନେବାକୁ ପରାମର୍ଶ ଦେଉଛନ୍ତି। ବ୍ରିଟେନ, ଫ୍ରାନ୍ସ ଓ ଆମେରିକା ଭଳି ରାଷ୍ଟ୍ରରେ ବୁଷ୍ଟର ଡୋଜ ଲୋକଙ୍କୁ ଦିଆଯାଉଛି। ହେଲେ କରୋନା ବିରୋଧରେ ୩ଟି ଟିକା ନେଇଥିବା ଜଣେ ଯୁବକ ଓମିକ୍ରନରେ ଆକ୍ରାନ୍ତ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।
ଏହି ବ୍ୟକ୍ତି ଜଣଙ୍କ ଆମେରିକାରେ ବୁଷ୍ଟର ଡୋଜ୍ ନେଇଥିଲେ। ବୁଷ୍ଟର ଡୋଜ୍ ନେବା ପରେ ସେ ମୁମ୍ବାଇ ଫେରିଥିଲେ। କିନ୍ତୁ ଏଠାରେ ତାଙ୍କର ପରୀକ୍ଷା କରାଯିବାରୁ ସେ ଓମିକ୍ରନରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ବ୍ରିହାନମୁମ୍ବାଇ ମ୍ୟୁନସିପାଲ କର୍ପୋରେସନ (ବିଏମସି) ଏ ସମ୍ପର୍କରେ ସୂଚନା ଦେଇଛି।
ବିଏମସି କହିଛି ଯେ ୨୯ ବର୍ଷୀୟ ଯୁବକ ଜଣଙ୍କ ଆମେରିକାର ନ୍ୟୁୟର୍କରୁ ଡିସେମ୍ବର ୯ରେ ଫେରିଥିଲେ। ନିୟମ ଅନୁସାରେ ଏୟାରପୋର୍ଟରେ ହିଁ ତାଙ୍କର କରୋନା ଟେଷ୍ଟ କରାଯିବାରୁ ଏହା ପଜିଟିଭ ଆସିଥିଲା। ଫଳରେ ଯୁବକଙ୍କ ନମୁନାକୁ ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା।
ଶୁକ୍ରବାର ଆସିଥିବା ରିପୋର୍ଟରେ ଯୁବକ ଜଣଙ୍କ ଓମିକ୍ରନ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ସେ ଓମିକ୍ରନରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ତାଙ୍କ ଶରୀରରେ କୌଣସି ପ୍ରକାରର କରୋନା ଲକ୍ଷଣ ଦେଖାଯାଇନି। ସେ ଆମେରିକାରେ ରହୁଥିବାରୁ ସେଠାରେ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାର ୩ଟି ଡୋଜ୍ ନେଇଥିଲେ। ତଥାପି ସେ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି ବୋଲି ବିଏମସି କହିଛି।
ବିଏମସି ଆହୁରି କହିଛି ଯେ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ୨ ଜଣଙ୍କୁ ଚିହ୍ନଟ କରି ଟେଷ୍ଟ କରାଯାଇଥିଲା। ହେଲେ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି। ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଯୁବକ ଜଣଙ୍କ ଏବେ ହସ୍ପିଟାଲରେ ରହିଛନ୍ତି। ହେଲେ ତାଙ୍କ ଅବସ୍ଥା ସଂପୂର୍ଣ୍ଣ ଠିକ୍ ରହିଛି।
ନୂଆ ଓମିକ୍ରନ ଆକ୍ରାନ୍ତଙ୍କୁ ମିଶାଇ ମୁମ୍ବାଇରେ ସଂକ୍ରମିତଙ୍କ ସଂଖ୍ୟା ୧୫ ଛୁଇଁଛି। ଏମାନଙ୍କ ମଧ୍ୟରେ ୫ ଜଣ ମୁମ୍ବାଇ ବାସିନ୍ଦା ନୁହନ୍ତି। ସେହିପରି ୧୫ ଜଣଙ୍କ ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି। ଏବେ ୨ ଜଣ ଚିକିତ୍ସିତ ହେଉଛନ୍ତି। କୌଣସି ଆକ୍ରାନ୍ତଙ୍କ ଶରୀରରେ ଗୁରୁତର ଲକ୍ଷଣ ଦେଖାଯାଇ ନଥିଲା।
The post ଟିକାର ବୁଷ୍ଟର ଡୋଜ୍ ନେଇଥିଲେ, ତଥାପି ଓମିକ୍ରନରେ ଆକ୍ରାନ୍ତ ହେଲେ appeared first on Odisha Reporter.
from Odisha Reporter https://ift.tt/33uI2jw
No comments:
Post a Comment