ନୂଆଦିଲ୍ଲୀ: ଟ୍ରାଏଲ କୋର୍ଟ ଓ ହାଇକୋର୍ଟରେ ମୃତ୍ୟୁ ଦଣ୍ଡ ପାଇ ଜୀବନ ମରଣ ଦୋ ଛକିରେ ଫସିଥିବା ୩ ଜଣ ବ୍ୟକ୍ତିଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି ଦେଇଛନ୍ତି। ହାଇକୋର୍ଟ ଓ ଟ୍ରାଏଲ କୋର୍ଟ ୩ ଜଣ ବ୍ୟକ୍ତିଙ୍କୁ ୬ ଜଣଙ୍କୁ ହତ୍ୟା କରିବା ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ।
ହେଲେ ସୁପ୍ରିମକୋର୍ଟ ବୁଧବାର ସମସ୍ତଙ୍କୁ ହତ୍ୟା ମାମଲାରେ ନିର୍ଦ୍ଦୋଷ ବୋଲି କହିଛନ୍ତି। ୨୦୧୪ରେ ଉତ୍ତର ପ୍ରଦେଶର ବୁଲନ୍ଦଶହରରେ ଘଟିଥିବା ଲୋମହର୍ଷଣକାରୀ ଘଟଣାରେ ସୁପ୍ରିମକୋର୍ଟ ଏପରି ରାୟ ଦେଇଛନ୍ତି।
ସମ୍ପତ୍ତି ବିବାଦ କାରଣରୁ ମୋମିନ ଖାନ ଦୁଇ ସହଯୋଗୀ ଜୈକାମ ଖାନ ଓ ସାଜିଦଙ୍କ ସହ ମିଶି ତାଙ୍କ ବାପା ମା’, ଭାଇ ଓ ପରିବାରର ମୋଟ ୬ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ମୋମିନଙ୍କ ପତ୍ନୀ ମଧ୍ୟ ସାମିଲ ଥିବା କୁହାଯାଇଥିଲା। ପ୍ରଥମେ ଟ୍ରାଏଲ କୋର୍ଟ ସମସ୍ତ ୪ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ଆହ୍ଲାବାଦ ହାଇକୋର୍ଟ ମୋମିନଙ୍କ ପତ୍ନୀଙ୍କୁ ମିଳିଥିବା ଦଣ୍ଡକୁ ଖାରଜ କରିଥିଲେ। କିନ୍ତୁ ମୋମିନ, ଜୈକାମ ଓ ସାଜିଦଙ୍କୁ ମିଳିଥିବା ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ।
ଏବେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଲ ନାଗେଶ୍ୱର ରାଓ, ଜଷ୍ଟିସ ବିଆର ଗାବାଇ ଓ ଜଷ୍ଟିସ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ ଟ୍ରାଏଲ କୋର୍ଟ ଓ ଆହ୍ଲାବାଦ ହାଇକୋର୍ଟ ଠିକ୍ ଭାବେ ପୂରା ମାମଲାର ଶୁଣାଣି କରି ନଥିବା କହିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଏହି ମାମଲାରେ ଟ୍ରାଏଲ କୋର୍ଟ ଓ ହାଇକୋର୍ଟ ଯେଉଁଭଳି କାର୍ଯ୍ୟ କରିଛନ୍ତି, ତା’ ଅତ୍ୟନ୍ତ ଦୁଃଖଦାୟକ ଏବଂ ଆଶ୍ଚର୍ଯ୍ୟଜନକ। ଆମେ ଜାଣିବାକୁ ପାଇଛୁ ଯେ ଅଭିଯୁକ୍ତଙ୍କ ବିରୋଧରେ ଆସିଥିବା ସନ୍ଦେହ ଅଭିଯୋଗକୁ ପ୍ରମାଣ କରିବାରେ ଆବେଦନକାରୀ ବିଫଳ ହୋଇଛନ୍ତି।
ତେଣୁ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ କେମିତି ଦିଆଯିବ? ଏହା ଗ୍ରହଣୀୟ ନୁହେଁ। ଟ୍ରାଏଲ କୋର୍ଟ କେବଳ ଧାରଣା ଓ ସନ୍ଦେହକୁ ଆଧାର କରି ରାୟ ଦେଇଛନ୍ତି। ଅଭିଯୁକ୍ତମାନେ ଯେ ଦୋଷୀ ତା’ର କୌଣସି ପ୍ରମାଣ ଉପସ୍ଥାପନ କରାଯାଇନି। ଅପରାଧ ସମ୍ପର୍କରେ ଅଭିଯୁକ୍ତମାନେ କରିଥିବା ସ୍ୱୀକାରୋକ୍ତି ସମ୍ପର୍କିତ ସମସ୍ତ ବିବୃତିକୁ ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବନି ବୋଲି ଖଣ୍ଡପୀଠ କହିଛନ୍ତି।
ଅପରାଧ ଘଟାଇବା ସମୟରେ ଅଭିଯୁକ୍ତମାନେ ପିନ୍ଧିଥିବା ରକ୍ତ ଜୁଡୁବୁଡୁ ପୋଷାକ ପୁଲିସ୍ ଜବତ କରିବା ଘଟଣାରେ ମଧ୍ୟ ସର୍ବୋଚ୍ଚ ଅଦାଲତ ସନ୍ଦେହ ପ୍ରକାଶ କରିଛନ୍ତି। ସର୍ବୋଚ୍ଚ କୋର୍ଟ କହିଛନ୍ତି ଯେ ୪ ଅଭିଯୁକ୍ତ ଅପରାଧ ଘଟାଇବାରେ ଘଟଣା ସ୍ଥଳରୁ ଖସି ଯାଇଥିଲେ। ତା’ ପରେ ସେମାନେ ପୁଣି ସେହି ସ୍ଥାନକୁ ଆସି ନିଜର ରକ୍ତ ଜୁଡ଼ୁବୁଡ଼ୁ ପୋଷାକ ବଦଳାଇଥିଲେ। ଏହାପରେ ସେମାନେ ପୁଣି ସେଠାରୁ ଫେରାର ହୋଇଯାଇଥିଲେ? ଏହା କେବେ ହେଲେ ବିଶ୍ୱାସଯୋଗ୍ୟ ନୁହେଁ।
ନିମ୍ନ ଅଦାଲତକୁ ନିର୍ଦ୍ଦେଶ ଦେଇ ଖଣ୍ଡପୀଠ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେବା ପୂର୍ବରୁ ଟ୍ରାଏଲ କୋର୍ଟ ଓ ହାଇକୋର୍ଟ ସର୍ବାଧିକ ଅନୁସନ୍ଧାନ, ଯତ୍ନ ଏବଂ ସତର୍କତା ଅବଲମ୍ବନ କରିବା ଉଚିତ। କାରଣ ଏହା ଜଣେ ବ୍ୟକ୍ତିଙ୍କ ଜୀବନ ଓ ମରଣ କଥା।
ସୂଚନାଯୋଗ୍ୟ, ୨୦୧୪ ମସିହା ଜାନୁଆରୀ ୨୩ରେ ୪ ଅଭିଯୁକ୍ତ ମୋମିନଙ୍କ ବାପା, ମା’, ଭାଇ, ବୋହୂ, ପୁତୁରା ଓ ଝିଆରୀଙ୍କୁ ସମ୍ପତ୍ତି ବିବାଦ କାରଣରୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ୨୦୧୬ରେ ଟ୍ରାଏଲ କୋର୍ଟ ଓ ୨୦୧୮ରେ ହାଇକୋର୍ଟ ସେମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ।
The post ୬ ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ମୃତ୍ୟୁଦଣ୍ଡ ପାଇଥିଲେ, କିନ୍ତୁ ସୁପ୍ରିମକୋର୍ଟ ନିର୍ଦ୍ଦୋଷରେ ଖଲାସ କଲେ appeared first on Odisha Reporter.
from Odisha Reporter https://ift.tt/30AWJRe
No comments:
Post a Comment