ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପାଇଁ ଚଳିତ ମାସ ଶେଷ ସପ୍ତାହରେ ‘ଆଦର୍ଶ ଆଚରଣ ବିଧି’ ଲାଗୁ ହେବାର ସମ୍ଭାବନା ଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ନିଜର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ୧୨ରୁ ୧୫ ତାରିଖ ମଧ୍ୟରେ ୭ଟି ଜିଲ୍ଲାରେ ନିଜର କାର୍ଯ୍ୟକ୍ରମ ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୨ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ତାରାତାରିଣୀ ପୀଠ ନିକଟରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବାଣ୍ଟିବା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରାଇବେ । ସେହିପରି ୧୩ତାରିଖରେ ମୁଖ୍ୟମନ୍ତ୍ରୀ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ୧୪ ଓ ୧୫ ତାରିଖ ଦୁଇଦିନ ଧରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜଗତସିଂହପୁର,କେନ୍ଦ୍ରାପଡ଼ା,ଯାଜପୁର ଓ ନୟାଗଡ଼ ଜିଲ୍ଲାରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବାଣ୍ଟିବା ସହ ଜିଲ୍ଲାଗୁଡ଼ିକୁ ବିଭିନ୍ନ ପ୍ରକଳ୍ପ ଭେଟିଦେବାର କାର୍ଯ୍ୟକ୍ରମ ରହିଛି।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏହି ୭ ଜିଲ୍ଲାରେ ଜୋରଦାର ପ୍ରସ୍ତୁତ ଆରମ୍ଭ ହୋଇଛି। ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଇତିମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ ଆଳରେ ନିଜର ଉପସ୍ଥିତି ଜାହିର କରାଇଛନ୍ତି। ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବ୍ୟକ୍ତିଗତ ଓ ଭର୍ଚୁଆଲ ମୋଡରେ ୨୩ଟି ଜିଲ୍ଲା ଗସ୍ତ କରିଥିବାବେଳେ ବାକି ଥିବା ୭ଟି ଜିଲ୍ଲାକୁ ଆଗାମୀ ୫ଦିନ ମଧ୍ୟରେ ଶେଷ କରିବେ ବୋଲି ଜଣାପଡ଼ିଛି। ଏହି ବାକି ଥିବା ଜିଲ୍ଲାଗୁଡ଼ିକ ଶାସକ ବିଜେଡିର ଗଡ଼ ଭାବେ ପରିଚିତ ଥିବାରୁ ଦଳ ଆଶ୍ୱସ୍ତ ରହିଛି ।
ସୂଚନାଯୋଗ୍ୟ, ୨୦୧୭ ପଂଚାୟତ ନିର୍ବାଚନରେ ବିଜେଡି ଦୁର୍ବଳ ପ୍ରଦର୍ଶନ କରିଥିବା ଜିଲ୍ଲାଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଗସ୍ତ କରି ବିଜୁ ସ୍ୱାସ୍ଥ୍ୟ ଯୋଜନାର ସ୍ମାର୍ଟ କାର୍ଡ ବାଣ୍ଟିଥିବାବେଳେ ବିଜେଡିର ନେତା ଓ ମନ୍ତ୍ରୀମାନେ ପଂଚାୟତ ବୁଲି ଏହି ସ୍ମାର୍ଟ କାର୍ଡ ବାଣ୍ଟି ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିଥିଲେ ।
The post ୧୨ରୁ ମୁଖ୍ୟମନ୍ତ୍ରୀଙ୍କ ୭ ଜିଲ୍ଲାରେ ମାରାଥନ୍ କାର୍ଯ୍ୟକ୍ରମ appeared first on Odisha Reporter.
from Odisha Reporter https://ift.tt/3GDq78P
No comments:
Post a Comment