ନୂଆଦିଲ୍ଲୀ: ମହାମାରୀ କରୋନାର ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ଏବେ ବିଶ୍ୱର ପ୍ରାୟ ୬୦ଟି ଦେଶରେ ପହଞ୍ଚି ସାରିଲାଣି। ଭାରତ ମଧ୍ୟ ଓମିକ୍ରନ ପଞ୍ଝାରୁ ବର୍ତ୍ତି ପାରିନାହିଁ। ଧୀରେଧୀରେ ଏହି ଭାରିଏଣ୍ଟ ଦେଶର ବିଭିନ୍ନ ରାଜ୍ୟରେ ପହଞ୍ଚିବା ଆରମ୍ଭ କରାଲଣି। ଶୁକ୍ରବାର ସୁଦ୍ଧା ଦେଶର ୫ ରାଜ୍ୟରୁ ମୋଟ ୩୨ ଜଣ କରୋନା ଆକ୍ରାନ୍ତଙ୍କ ଶରୀରରୁ ଓମିକ୍ରନ ଭାରିଏଣ୍ଟ ଚିହ୍ନଟ ହୋଇଛି।
ତେବେ ଆଶ୍ୱସ୍ତିର ବିଷୟ ହେଉଛି ଯେ କୌଣସି ଆକ୍ରାନ୍ତ ଗୁରୁତର ହୋଇନାହାନ୍ତି। ସେହିପରି ସେମାନଙ୍କ ଠାରେ କରୋନାର ଖୁବ କମ ଲକ୍ଷଣ ଦେଖାଦେଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନ ସୁଦ୍ଧା ଦେଶରେ ୨୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ରାତି ସୁଦ୍ଧା ଏହି ସଂଖ୍ୟା ୩୨ରେ ପହଞ୍ଚିଛି। କାରଣ ସନ୍ଧ୍ୟା ସମୟରେ ମହାରାଷ୍ଟ୍ରରେ ୭ ଜଣଙ୍କ ଶରୀରରୁ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଥିଲା। ଏଯାଏ ବିଶ୍ୱରେ ଚିହ୍ନଟ ହୋଇଥିବା ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ଭାରତର ଭାଗ ହେଉଛି ୦.୦୪%।
ମହାରାଷ୍ଟ୍ରରେ ସର୍ବାଧିକ ୧୭ ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ବେଳେ ରାଜସ୍ଥାନରେ ୯ ଜଣ, ଗୁଜରାଟରେ ୩ ଜଣ, କର୍ଣ୍ଣାଟକାରେ ୨ ଜଣ ଓ ଦିଲ୍ଲୀରେ ଜଣେ ବ୍ୟକ୍ତି ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, “ଚିହ୍ନଟ ହୋଇଥିବା ସମସ୍ତ ଓମିକ୍ରନ ଆକ୍ରାନ୍ତଙ୍କ ଠାରେ ମଧ୍ୟମ ଧରଣର ଲକ୍ଷଣ ଦେଖାଦେଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତରୀ ଟିମର ନଜର ରହିଛି। ତେବେ ଆମକୁ ସତର୍କ ରହିବାକୁ ହେବ ଓ ପୂର୍ଣ୍ଣ ଟିକାକରଣ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବାକୁ ପଡ଼ିବ।”
ଆଇସିଏମଆର ଡିଜି ବଳରାମ ଭାର୍ଗବ କହିଛନ୍ତି, “ସ୍ୱାସ୍ଥ୍ୟସେବା ଉପରେ ଏଯାଏ ଓମିକ୍ରନ ଭାରିଏଣ୍ଟ କୌଣସି ପ୍ରଭାବ ପକାଇନି। ତଥାପି ଆମକୁ ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ଯେଉଁ ସବୁ ଜିଲ୍ଲାରେ ପଜିଟିଭିଟି ରେଟ୍ ୫% ଉପରେ ରହିଛି, ସେଠାରେ କଟକଣା ଅଧିକ କଡ଼ାକଡ଼ି କରିବାକୁ ହେବ।
ଟିକାକରଣ ହାର ଅଧିକ ଥିଲେ ମଧ୍ୟ ସେଠାରେ ଓମିକ୍ରନ ବ୍ୟାପୁଛି। ଏହି କାରଣରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୌଣସି ପ୍ରକାରର କଟକଣା କୋହଳ ପାଇଁ ମନା କରିଛି। ଏଥିସହ ମାସ୍କ ନ ଓହ୍ଲାଇବାକୁ ପରାମର୍ଶ ଦେଇଛି। ଆମକୁ ମଧ୍ୟ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ।”
ସରକାରୀ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ମିଜୋରାମର ୫ ଜିଲ୍ଲା, କେରଳର ୨ ଜିଲ୍ଲା ଓ ସିକ୍କିମର ଗୋଟିଏ ଜିଲ୍ଲାରେ ପଜିଟିଭିଟି ରେଟ୍ ୧୦% ଉପରେ ରହିଛି। ସେହିପରି କେରଳର ଆଉ ୮ଟି ଜିଲ୍ଲା, ମିଜୋରାମରେ ୫ଟି, ମଣିପୁରରେ ୨ଟି, ଅରୁଣାଚଳ, ନାଗାଲାଣ୍ଡ, ପୁଡ଼ୁଚେରୀ ଓ ପଶ୍ଚିମବଙ୍ଗର ଗୋଟିଏ ଲେଖାଏ ଜିଲ୍ଲାରେ ପଜିଟିଭିଟି ରେଟ୍ ୫ରୁ ୧୦% ଭିତରେ ରହୁଛି। ତେଣୁ ଏସବୁ ଜିଲ୍ଲାରେ ପ୍ରଶାସନ କଡ଼ାକଡ଼ି ଭାବେ କୋଭିଡ୍ର ଉଚିତ ବ୍ୟବହାର ପାଳନ କରିବା ଦରକାର ବୋଲି ସରକାର କହିଛନ୍ତି।
The post ଦେଶରେ କେତେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି, କେମିତି ଅଛି ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା? appeared first on Odisha Reporter.
from Odisha Reporter https://ift.tt/30eX5fZ
No comments:
Post a Comment