ଚଣ୍ଡିଗଡ଼: ଦୀର୍ଘ ୨ ମାସ ହେଲା ପ୍ରତି ଶୁକ୍ରବାର ସରକାରଙ୍କ ଦ୍ୱାରା ଚିହ୍ନଟ ସ୍ଥାନରେ କରାଯାଉଥିବା ନମାଜ ପାଠକୁ ନେଇ କିଛି ଦକ୍ଷିଣ ପନ୍ଥୀ ଗ୍ରୁପ୍ ବିରୋଧ କରି ଆସୁଛନ୍ତି। ଦିନକୁ ଦିନ ଖୋଲା ସ୍ଥାନରେ ନମାଜ ପାଠକୁ ବିରୋଧ କରି ତଥାକଥିତ ହିନ୍ଦୁ ବାହିନୀ ବିବାଦ ସୃଷ୍ଟି କରୁଥିବା ବେଳେ ପ୍ରଥମଥର ପାଇଁ ସେମାନଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି ହରିଆଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର। ସେ ମଧ୍ୟ ଖୋଲା ସ୍ଥାନରେ ନମାଜ ପାଠକୁ ଆଦୌ ଗ୍ରହଣ କରାଯିବନି ବୋଲି କହିଛନ୍ତି। ଏଥିସହ ନମାଜ ପାଠକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହେବା ଜରୁରୀ ବୋଲି ମଧ୍ୟ ସେ ମତ ଦେଇଛନ୍ତି।
୨୦୧୮ ମସିହାରୁ ଗୁରୁଗ୍ରାମର ବିଭିନ୍ନ ପ୍ରାନ୍ତରେ ଶୁକ୍ରବାର ନମାଜ ପାଠ ପାଇଁ ପ୍ରାୟ ୧୦୦ଟି ସ୍ଥାନ ଚିହ୍ନଟ ହୋଇଥିଲା। ତେବେ ଖୋଲା ସ୍ଥାନରେ ନମାଜ ପାଠକୁ ହିନ୍ଦୁ ବାହିନୀ ବିରୋଧ କରିବାରୁ ପ୍ରଶାସନ ଏହି ସଂଖ୍ୟା ୩୭କୁ ହ୍ରାସ କରିଥିଲେ। ଏବେ ଉକ୍ତ ସ୍ଥାନକୁ ନେଇ ମଧ୍ୟ ହିନ୍ଦୁ ଗ୍ରୁପ ଆପତ୍ତି ଉଠାଇଛନ୍ତି। ଫଳରେ ସଂଖ୍ୟା ୧୮କୁ ଖସିଛି।
ଏସବୁ ସତ୍ତ୍ୱେ ପ୍ରତି ଶୁକ୍ରବାର ମୁସଲିମ ସଂପ୍ରଦାୟର ଲୋକମାନେ ନମାଜ ପାଠ ପାଇଁ ଆସିବା କ୍ଷଣି ବିରୋଧର ସମ୍ମୁଖୀନ ହେଉଛନ୍ତି। ପୁଲିସ୍ର ସୁରକ୍ଷାବଳୟ ମଧ୍ୟରେ ସେମାନେ ନମାଜ ପାଠ କରୁଛନ୍ତି। ହେଲେ ବିରୋଧ କରୁଥିବା ତଥାକଥିତ ହିନ୍ଦୁ ବାହିନୀ ବିରୋଧରେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି।
ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି, ଖୋଲା ସ୍ଥାନରେ ନମାଜ ପାଠ ପାଇଁ ଯେଉଁ ପରମ୍ପରା ସୃଷ୍ଟି କରାଯାଇଛି, ତା’କୁ କେବେ ହେଲେ ଗ୍ରହଣ କରାଯାଇ ପାରିବ ନାହିଁ। ତଥାପି ସମସ୍ତେ ମିଳିତ ଭାବେ ବସି ବିବାଦର ସମାଧାନ ପାଇଁ ରାସ୍ତା ବାହାରିକା ଦରକାର। ପୁଲିସ୍ ଓ ପ୍ରଶାସନକୁ ବିବାଦର ସମାଧାନ କରିବାକୁ କୁହାଯାଇଛି।
ନିଜ ନିଜ ସ୍ଥାନରେ କିଏ ପୂଜା କରୁଛି ତ କିଏ ନମାଜ ପଢ଼ୁଛି। ଏଥିରେ ଆମର କୌଣସି ଅସୁବିଧା ନାହିଁ। ପୂଜାପାଠ ଓ ନମାଜ ପାଇଁ ଧର୍ମାନୁଷ୍ଠାନ ତିଆରି ହୋଇଛି। ଲୋକମାନେ ସେଠାକୁ ଯାଇ ନିଜର ପୂଜାର୍ଚ୍ଚନା କରିପାରିବେ। ଏପରି କାର୍ଯ୍ୟକ୍ରମ କେବେ ହେଲେ ଖୋଲା ସ୍ଥାନରେ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।
୨୦୧୮ରେ ସରକାର ନିଜେ ନମାଜ ପାଠ ପାଇଁ ସ୍ଥାନ ସଂରକ୍ଷଣ କରିଥିବା ବେଳେ ଏବେ କାହିଁକି ଏମିତି କହୁଛନ୍ତି ବୋଲି ପ୍ରଶ୍ନରେ ଖଟ୍ଟର କହିଛନ୍ତି, “କିଛି ନିଷ୍ପତ୍ତି ପୂର୍ବରୁ ନିଆ ଯାଇଥିଲା। କିନ୍ତୁ ସେଗୁଡ଼ିକ ଏବେ ପ୍ରତ୍ୟାହାର କରାଯାଉଛି। ପୂରା ପ୍ରସଙ୍ଗ ଉପରେ ପୁଣି ଥରେ ଆଲୋଚନା ହେବ।”
The post ଖୋଲା ସ୍ଥାନରେ ନମାଜ ପାଠକୁ ଗ୍ରହଣ କରାଯିବନି କହିଲେ ହରିଆଣା ମୁଖ୍ୟମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3IFlPiX
No comments:
Post a Comment