ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଥମୁନି ମମିତା ଝଡ଼ । ମମିତା ତାତିକୁ ନେଇ ଗତକାଲି ଦୀର୍ଘ ସମୟ ପର୍ଯ୍ୟନ୍ତ ବିଧାନସଭା ଚାଲି ପାରି ନ ଥିବା ବେଳେ ଆକ୍ସନ ମୁଡକୁ ଚାଲି ଆସିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ। ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ସନ୍ସାଇନ୍ ଶିକ୍ଷୟିତ୍ରୀ ମମିତା ମେହେର ମର୍ଡର କେସ୍ରେ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣି ତାଙ୍କ ବହିଷ୍କାର ଦାବି କରିଛନ୍ତି। ହେଲେ ତେଲ, ଗ୍ୟାସ୍ର ଦର ବୃଦ୍ଧିକୁ ନେଇ ବିଜେପିକୁ କାଉଣ୍ଟର କରୁଛି ବିଜେଡି । ଗତକାଲି ପରି ଆଜି ବି ଦେଖିବାକୁ ମିଳିଛି ସମାନ ସ୍ଥିତି।
ଆଜି ବି ବିଧାନସଭାରେ ଆରମ୍ଭରୁ ହଟ୍ଟଗୋଳ ହେବାରୁ ଚାଲି ପାରିଲାନି ଗୃହ । ମମିତା ପ୍ରସଙ୍ଗରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ପୋଷ୍ଟର, ବ୍ୟାନର ଦେଖାଇବା ସହ ହଟ୍ଟଗୋଳ କରିଥିଲେ । ମମିତା ପ୍ରସଙ୍ଗରେ ଗୃହ ଭିତରେ ବିରୋଧୀ ଶାସକ ଦଳକୁ ଘେରିଥିବା ବେଳେ ବିଜେପିକୁ କିନ୍ତୁ ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗରେ ଟାର୍ଗେଟ କରିଛି ବିଜେଡି । ଶାସକ ଦଳର ବିଧାୟକମାନେ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ।
ଗୃହ ମୁଲତବି ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ବାଚସ୍ପତି କାହିଁକି ଗୃହକୁ ୪ଟା ଯାଏଁ ମୁଲତବି ରଖିଲେ ବୁଝାପଡୁନି । ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆମେ ମୁଲତବି ନୋଟିସ୍ ଆଣିଥିଲୁ । ଆଲୋଚନା ନ କରିବା ପାଇଁ ବାଚସ୍ପତି ୪ଟା ଯାଏଁ ଗୃହ ମୁଲତବି ରଖିଛନ୍ତି। ସରକାରଙ୍କ ଚାପରେ ବାଚସ୍ପତି ଏଭଳି ନିଷ୍ପତ୍ତି ନେଇଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ସହ ସିବିଆଇ ତଦନ୍ତ ପାଇଁ ଦାବି କରୁଛୁ।
ଅପରପକ୍ଷେ, ରନ୍ଧନ ଗ୍ୟାସ୍ ଏବଂ ତୈଳ ଦର ବୃଦ୍ଧି ନେଇ ବିଧାନସଭା ପରିସରରେ ଧାରଣାରେ ବସିଲେ ବିଜେଡି ବିଧାୟକ । ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଲେ ବିଜେଡି ବିଧାୟକ । ଏହାବାଦ ତୈଳ ଦର ବୃଦ୍ଧି ପ୍ରତିବାଦରେ ପାଓ୍ୱାର ହାଉସ୍ ଛକରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି। ପାଓ୍ୱାର ହାଉସ୍ ଛକରେ ଶତାଧିକ ଛାତ୍ର ଓ ଯୁବ ବିଜେଡି କର୍ମୀ ଧାରଣାରେ ବସିଛନ୍ତି । ତୁରନ୍ତ ଦର ନ କମାଇଲେ ଆନ୍ଦୋଳନ ଜୋରଦାର ପାଇଁ ଚେତାବନୀ ଦିଆଯାଇଛି।
ଏନେଇ ବିଜେଡି ନେତା ପ୍ରତାପ ଦେବ କହିଛନ୍ତି, ବିରୋଧୀ କେବଳ ମମିତା ପ୍ରସଙ୍ଗକୁ ଧରି ଗୃହକୁ ଅଚଳ କରାଉଛନ୍ତି। ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା ଚାହୁଁ ନାହାନ୍ତି। ଜନସାଧାରଣଙ୍କ ପ୍ରକୃତ ସମସ୍ୟାକୁ ଏଡ଼ାଇ ଯାଉଛନ୍ତି। ଏହାଦ୍ୱାରା ସେମାନଙ୍କ ଉପରେ ଚାପ ପଡ଼ିବ । ଏହା ବିଜେପି ଓ କଂଗ୍ରେସର ସୁଚିନ୍ତିତ ଋଣନୀତି। ମୁଖ୍ୟ ପ୍ରସଙ୍ଗକୁ ସେମାନେ ଏଡ଼ାଇ ଯିବାକୁ ଚାହୁଁଛନ୍ତି।
ଏନେଇ ବିଜେଡି ନେତ୍ରୀ ସ୍ନେହାଙ୍ଗୀନି ଛୁରିଆ କହିଛନ୍ତି, ଗ୍ୟାସର ସବସିଡି କଥା କହୁଥିଲେ। ହେଲେ ଏବେ ହଜାରେ ଉପରେ ଗ୍ୟାସ୍ ଦର ହେଲାଣି। ମହିଳାଙ୍କୁ ସମ୍ମାନ ଦେଉଛୁ, ତାଙ୍କ ଆଖିରେ ଧୂଆଁ ଲାଗିବନି , ଗ୍ୟାସ ସବସିଡି ଦେବୁ। ହେଲେ ଦିନକୁ ଦିନ ଦର ବଢ଼ୁଛୁ। ଏହା ପ୍ରତିବାଦରେ ଗାଁ ପର୍ଯ୍ୟନ୍ତ, ୱାର୍ଡ ସ୍ତର ପର୍ଯ୍ୟନ୍ତ ଯିବ ।
The post ଆଜି ବି ମମିତା ତାତି; ଆରମ୍ଭରୁ ହଟ୍ଟଗୋଳ, ଗୃହ ମୁଲତବି appeared first on Odisha Reporter.
from Odisha Reporter https://ift.tt/3ocefnO
No comments:
Post a Comment