ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ବକ୍ସିଂ ଡେ’ ଟେଷ୍ଟ, ଇତିହାସ ବଦଳାଇବା ଲକ୍ଷ୍ୟରେ ବିରାଟ ବାହିନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 25, 2021

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ବକ୍ସିଂ ଡେ’ ଟେଷ୍ଟ, ଇତିହାସ ବଦଳାଇବା ଲକ୍ଷ୍ୟରେ ବିରାଟ ବାହିନୀ

ସେଞ୍ଚୁରିଅନ: ମହାମାରୀ ଓମିକ୍ରନ ସଂକ୍ରମଣ ଭିତରେ ଆଜି ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ ହେବ। ଦକ୍ଷିଣ ଆପ୍ରିକାର ସେଞ୍ଚୁରିଅନ ସ୍ଥିତ ସୁପରସ୍ପୋଟ୍ସ ପାର୍କରେ ଏହି ବହୁ ପ୍ରତିକ୍ଷୀତ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ପ୍ରକୃତରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ୍ ଡିସେମ୍ବର ୧୭ରୁ ଆରମ୍ଭ ହେବାର ଥିଲା। କିନ୍ତୁ କରୋନା ପାଇଁ ଏହା ୨୬ ତାରିଖ ଅର୍ଥାତ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ସମୟ ମଧ୍ୟାହ୍ନ ୧.୩୦ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି।

ତେବେ ସମସ୍ତଙ୍କ ନଜର ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ ଉପରେ ରହିଛି। ମଧ୍ୟକ୍ରମ ବ୍ୟାଟିଂ ଲାଇନ ଅପକୁ ନେଇ ଦ୍ୱନ୍ଦ୍ୱ ରହିଥିବା ବେଳେ ଟିମରେ କେତେ ଜଣ ଦ୍ରୁତ ବୋଲର ରହିବା ଦରକାର, ତା’କୁ ନେଇ ମାନସମନ୍ଥନ ଚାଲିଛି। ଖରାପ ଫର୍ମ ଦେଇ ଗତି କରୁଥିବା ଅଜିଙ୍କ୍ୟ ରାହାଣେ ଚୂଡ଼ାନ୍ତ ଏକାଦଶରେ ରହିବେ କି ନାହିଁ, ତା’ ଉପରେ ବିତର୍କ ଆରମ୍ଭ ହୋଇଛି। ରାହାଣେ ଦୀର୍ଘ ଦିନ ହେଲା ରନ୍ ହାସଲ କରିବାକୁ ସଂଘର୍ଷ କରୁଛନ୍ତି। କିନ୍ତୁ ବିଦେଶ ମାଟିରେ ଟେଷ୍ଟ ଖେଳିବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି। ହେଲେ ଶ୍ରେୟସ ଆୟର ଓ ହନୁମା ବିହାରୀ ତାଙ୍କ ସ୍ଥାନ ନେବାକୁ ପ୍ରବଳ ଦାବିଦାର ଭାବେ ଉପନୀତ ହୋଇଛନ୍ତି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ସିରିଜରେ ଶ୍ରେୟସ ଡେବ୍ୟୁ କରି ଚମତ୍କାର ପ୍ରଦର୍ଶନ କରିଥିଲେ। ହନୁମା ମଧ୍ୟ ବିଦେଶ ମାଟିରେ ଭାରତ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି। ତଥାପି ୩୪ ବର୍ଷୀୟ ରାହାଣେଙ୍କୁ ଆଉ ଗୋଟିଏ ସୁଯୋଗ ଦେବା ମୁଡରେ ଟିମ ମ୍ୟାନେଜମେଣ୍ଟ ରହିଛି। ଦକ୍ଷିଣ ଆଫ୍ରିକାରେ ରାହାଣେଙ୍କ ବ୍ୟାଟିଂ ହାର ୫୩ରୁ ଅଧିକ। ସେ ୩ଟି ଟେଷ୍ଟରେ ୨ଟି ଅର୍ଦ୍ଧଶତକ ସହ ୨୬୬ ରନ୍ କରିଛନ୍ତି। ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ ମଧ୍ୟ ଶନିବାର ରାହାଣେଙ୍କ ଖେଳିବା ନେଇ ପରୋକ୍ଷରେ ସଙ୍କେତ ଦେଇଛନ୍ତି।


ଦଳରେ ରୋହିତ ଶର୍ମା ନାହାନ୍ତି। ତେଣୁ ମୟଙ୍କ ଅଗ୍ରୱାଲ ଓ କେଏଲ ରାହୁଲ ହିଁ ଦଳ ପାଇଁ ଇନିଂସ ଆରମ୍ଭ କରିବେ। ୩ନଂରେ ଚେତେଶ୍ୱର ପୂଜାରା ଓ ୪ନଂରେ ବିରାଟ କୋହଲି ଖେଳିବେ। ୫ମ ସ୍ଥାନରେ ଶ୍ରେୟସ, ରାହାଣେ ଓ ହନୁମା ବିହାରୀଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ।

୬ନଂରେ ଋଷଭ ପନ୍ତ, ୭ନଂରେ ରବିଚନ୍ଦ୍ରନ ଅଶ୍ୱିନ ରହିଛନ୍ତି। ଏହାପରେ ଦଳ ୪ ଦ୍ରୁତବୋଲରଙ୍କ କମ୍ବିନେସନରେ ମୈଦାନକୁ ଓହ୍ଲାଇପାରେ କିମ୍ବା ଜଣେ ଅତିରିକ୍ତ ବ୍ୟାଟରଙ୍କ ସହ ଜଣେ ଅଲରାଉଣ୍ଡରଙ୍କୁ ଖେଳାଇ ପାରେ। ଏପରି ହେଲେ ଅଭିଜ୍ଞ ଈଶାନ୍ତ ଶର୍ମାଙ୍କ ବଦଳରେ ଶାର୍ଦ୍ଦୁଲ ଠାକୁରଙ୍କୁ ସୁଯୋଗ ମିଳିପାରେ।

ଈଶାନ୍ତ ଚଳିତ ବର୍ଷ ଆଖିଦୃଶି ପ୍ରଦର୍ଶନ କରିନାହାନ୍ତି। କିନ୍ତୁ ଶାର୍ଦ୍ଦୁଲ ୩ଟି ମ୍ୟାଚରେ ୧୪ଟି ୱିକେଟ ନେବା ସହ ୨୩୨ ରନ୍ କରିଛନ୍ତି। ଅଷ୍ଟ୍ରେଲିଆର ଗାବା ଓ ଇଂଲଣ୍ଡର ଓଭାଲରେ ଭାରତ ଜିତିଥିବା ମ୍ୟାଚରେ ଶାର୍ଦ୍ଦୁଲ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ତେଣୁ ଈଶାନ୍ତଙ୍କ ବଦଳରେ ଶାର୍ଦ୍ଦୁଲ ଠାକୁରଙ୍କୁ ସୁଯୋଗ ମିଳିପାରେ। ବାକି ୩ ଦ୍ରୁତ ବୋଲର ଭାବେ ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ ଓ ମହମ୍ମଦ ଶାମି ଖେଳିବା ଏକ ପ୍ରକାରର ନିଶ୍ଚିତ।

ଅନ୍ୟପକ୍ଷରେ ଭାରତ ଇତିହାସ ବଦଳାଇବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ଗସ୍ତ କରିଛି। ସେନା ଦେଶ(ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ)ରେ ବିଜୟ ବାନା ଉଡ଼ାଇବାରେ ଭାରତ ମାତ୍ର ଗୋଟିଏ ପାଦ ପଛରେ ରହିଛି। କାରଣ ଦଳ ଦକ୍ଷିଣ ଆଫ୍ରିକାକୁ ଛାଡ଼ି ଆଉ ସବୁଠି ଟେଷ୍ଟ ସିରିଜ୍ ଜିତିଛି। ୭ଥର ଭାରତ ଆଜି ଯାଏ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଖେଳିଥିଲେ ମଧ୍ୟ କେବେ ହେଲେ ଜିତିବାକୁ ସକ୍ଷମ ହୋଇନି। ଦକ୍ଷିଣ ଆଫ୍ରିକାରେ ବିରାଟ କୋହଲି ଦ୍ୱିତୀୟ ଥର ପାଇଁ ଭାରତର ନେତୃତ୍ୱ ନେବେ। ତାଙ୍କ ନେତୃତ୍ୱରେ ଭାରତ ୨୦୧୭-୧୮ରେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ହେଲେ ଏହି ସିରିଜକୁ ଦଳ ୧-୨ରେ ହାରି ଯାଇଥିଲା।

ଭାରତୀୟ ଦଳ ୧୯୯୨ରେ ପ୍ରଥମଥର ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ହେଲେ ୨୯ ବର୍ଷ ମଧ୍ୟରେ କେବେ ହେଲେ ସିରିଜ୍ ଜିତିନି। ଏଥର ଭାରତୀୟ ଟିମ୍ ଇତିହାସ ବଦଳାଇବାକୁ ଲକ୍ଷ୍ୟ ରଖିଛି। ଏହି ସିରିଜ୍ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ମଧ୍ୟ ବେଶ ମହତ୍ତ୍ୱପୂର୍ଣ୍ଣ। କାରଣ କ୍ରିକେଟ ପ୍ରେମୀ ଦୀର୍ଘ ୨ ବର୍ଷ ହେଲାଣି ବିରାଟଙ୍କ ବ୍ୟାଟରୁ ଶତକ ଦେଖିନାହାନ୍ତି। ଦିନିକିଆ ଓ ଟି-୨୦ ଫର୍ମାଟର ଅଧିନାୟକ ପଦରୁ ମଧ୍ୟ ସେ ବଞ୍ଚିତ ହୋଇଛନ୍ତି। ଏହି କାରଣରୁ ଦକ୍ଷିଣ ଆଫ୍ରିକାରେ ସେ କେମିତି ପ୍ରଦର୍ଶନ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

The post ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ବକ୍ସିଂ ଡେ’ ଟେଷ୍ଟ, ଇତିହାସ ବଦଳାଇବା ଲକ୍ଷ୍ୟରେ ବିରାଟ ବାହିନୀ appeared first on Odisha Reporter.



from Odisha Reporter https://ift.tt/3pr2I4s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages