କାୟାହ: ବର୍ବରତାର ସବୁ ସୀମା ଟିପିଛି। ଯୁଦ୍ଧ କ୍ଷତିଗ୍ରସ୍ତ ମିଆଁମାର୍ର କାୟାହ ପ୍ରଦେଶରେ ସେନା ବାହିନୀ ୩୦ରୁ ଅଧିକ ଲୋକଙ୍କୁ ଗୁଳି କରି ହତ୍ୟା କରିବା ପରେ ସେମାନଙ୍କୁ ଜାଳିଦେଇଛି। ଏଥିସହ କିଛି ଟ୍ରକ୍ ଓ କାର୍ରେ ମଧ୍ୟ ନିଆଁ ଲଗାଇ ଦିଆଯାଇଛି। ମୃତକଙ୍କ ମଧ୍ୟରେ ଛୋଟ ପିଲା ଓ ମହିଳା ମଧ୍ୟ ରହିଛନ୍ତି।
ସ୍ଥାନୀୟ ମାନବାଧିକାର ସଂଗଠନ ପକ୍ଷରୁ ଟ୍ରକ୍, କାର ଓ ମୃତଦେହ ଜଳୁଥିବାର ଫଟୋକୁ ଶେୟାର କରାଯାଇଛି। ମିଆଁମାରରେ ସେନା ବଳପୂର୍ବକ କ୍ଷମତା ଦଖଲ କରି ନିଜର ଏକଛତ୍ରବାଦୀ ଶାସନ ଜାରି ରଖିଛି। ଏହାକୁ ବିଭିନ୍ନ ଗାଁରେ ବିରୋଧ କରାଯାଉଛି। ଏହିକ୍ରମରେ କାୟାହର ମୋ ସୋ ଗାଁର ଲୋକମାନେ ମଧ୍ୟ ସେନାର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରୁଛନ୍ତି।
ହେଲେ ଶୁକ୍ରବାର ରାତିରେ ସେନା ପକ୍ଷରୁ ଗାଁର ୩୦ରୁ ଅଧିକ ଲୋକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଥିଲା। ଏମାନଙ୍କ ମଧ୍ୟରେ ଛୋଟ ପିଲା ଓ ମହିଳା ଥିଲେ ମଧ୍ୟ ସେନା ଯବାନ କିଛି ଶୁଣି ନଥିଲେ। ସମସ୍ତଙ୍କୁ ହତ୍ୟା କରିବା ପରେ ସେହିଠାରେ ହିଁ ଜାଳି ଦେଇଥିଲେ। ସେମାନେ ବ୍ୟବହାର କରୁଥିବା ଟ୍ରକ୍ ଓ କାର୍ରେ ମଧ୍ୟ ନିଆଁ ଲଗାଇ ଦିଆଯାଇଥିଲା।
କାରେନ୍ନି ନାମକ ମାନବାଧିକାର ସଂଗଠନ କହିଛି, ଯୁଦ୍ଧ ଯୋଗୁ ବିସ୍ଥାପିତ ହୋଇଥିବା ଲୋକଙ୍କ ମୃତଦେହ ଜଳୁଥିବା ଦେଖିବାକୁ ମିଳିଛି। ଏମାନଙ୍କ ମଧ୍ୟରେ ବୟସ୍କ, ମହିଳା ଓ ଶିଶୁ ରହିଛନ୍ତି। ମିଆଁମାରରେ ଶାସନ କରୁଥିବା ମିଲିଟାରୀ ଶାସକମାନେ ଏପରି ନରସଂହାର କରିଛନ୍ତି। ହପରୁସୋ ସହରର ମୋ ସୋ ଗାଁରେ ଏପରି ଘଟଣା ଘଟିଛି। ଆମେ ଏପରି ମାନବାଧିକାରର ଉଲ୍ଲଙ୍ଘନ ଓ ବର୍ବର ହତ୍ୟାକାଣ୍ତକୁ କଡ଼ା ନିନ୍ଦା କରୁଛୁ। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଗଠନ ଦାବି କରିଛି।
ଅନ୍ୟପକ୍ଷରେ ସେନା ପକ୍ଷରୁ କୁହାଯାଇଛି ଯେ ଆମେ ସଂଖ୍ୟାଧିକ ଅସ୍ତ୍ରଶସ୍ତ୍ରରେ ଖଚିତ ଆତଙ୍କବାଦୀଙ୍କୁ ହତ୍ୟା କରିଛୁ। ସେମାନେ ଉକ୍ତ ଗାଁରେ ରହି ସେନା ଶାସନ ବିରୋଧରେ ଷଡ଼ଯନ୍ତ୍ର କରୁଥିଲେ। ଏହି ଲୋକମାନେ ୭ଟି ଗାଡ଼ିରେ ଥିଲେ। ସେମାନଙ୍କୁ ଯବାନମାନେ ଚେକିଂ ପାଇଁ ଅଟକାଇ ଥିଲେ ହେଁ ସେମାନେ କିଛି ବି ଶୁଣି ନଥିଲେ। ଫଳରେ ସେମାନଙ୍କୁ ଗୁଳି କରି କରାଯାଇଛି। ତେବେ ମାନବାଧିକାର ସଂଗଠନର ଅଭିଯୋଗ ସମ୍ପର୍କରେ ସେନା କିଛି ବି କହିନି। ସାମ୍ନାକୁ ଆସିଥିବା ଫଟୋରେ ଗାଡ଼ି ଓ ମୃତଦେହ ଜଳୁଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଏହାପୂର୍ବରୁ ଅନେକ ଥର ମଧ୍ୟ ସେନା ଶାସନ ବିରୋଧରେ ମୁହଁ ଖୋଲୁଥିବା ଲୋକଙ୍କୁ ବନ୍ଧୁକ ମୁନରେ ଦମନ କରାଯାଉଥିବା ଦେଖିବାକୁ ମିଳିଥିଲା।
The post ବର୍ବରତା: ଶିଶୁଙ୍କ ସମେତ ୩୦ରୁ ଅଧିକ ଲୋକଙ୍କୁ ହତ୍ୟା କରି ଜାଳିଦେଲେ appeared first on Odisha Reporter.
from Odisha Reporter https://ift.tt/3Jl1SOT
No comments:
Post a Comment