ନୂଆଦିଲ୍ଲୀ: ସେଞ୍ଚୁରିଅନ୍ରେ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ତିନିଟି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ୍ ସିରିଜ୍ରେ ୧-୦ରେ ଆଗୁଆ ରହିଛି। କିନ୍ତୁ ଏହି ମ୍ୟାଚ୍ରେ ଦଳର ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ସନ୍ତୋଷଜନକ ନଥିଲା। ବିଶେଷ କରି ଅଧିନାୟକ ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରାଙ୍କ ପ୍ରଦର୍ଶନ ଭଲ ନଥିଲା। ଏହା ଟିମ୍ ମ୍ୟାନେଜ୍ମେଣ୍ଟ ପାଇଁ ଚିନ୍ତାର କାରଣ ହୋଇଛି। ଆଉ ଏହି ସମୟରେ ଚେତେଶ୍ୱର ପୂଜାରାଙ୍କୁ ଚେତାବନୀ ଦେଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ତଥା ପୂର୍ବତନ ଚୟନକର୍ତ୍ତା ସରଣଦୀପ ସିଂହ। ଶୀଘ୍ର ଲୟକୁ ଫେରିବାକୁ ସେ ପୂଜାରାଙ୍କୁ ପରାମର୍ଶ ଦେଇଛନ୍ତି।
ସେ କହିଛନ୍ତି, ଆମ ବ୍ୟାଟିଂ ବିଭାଗ ଭଲ ପ୍ରଦର୍ଶନ କରୁ ନାହିଁ। କେ ଏଲ ରାହୁଲ ଭଲ ଖେଳୁଛନ୍ତି। କିନ୍ତୁ ଆମେ କେବଳ ତାଙ୍କ ଉପରେ ନିର୍ଭର କରିପାରିବା ନାହିଁ। ସେମିତି ଆମେ କେବଳ ବିରାଟ କୋହଲିଙ୍କ ଉପରେ ନିର୍ଭର କରିପାରିବା ନାହିଁ। ବିଶେଷ କରି ମୁଁ ଚେତେଶ୍ୱର ପୂଜାରାଙ୍କ ସଂପର୍କରେ କହିବି। ତାଙ୍କୁ ରନ୍ କରିବାକୁ ପଡ଼ିବ। ସେ ଟିମ୍ର ଜଣେ ବରିଷ୍ଠ ଖେଳାଳି। ଯଦି ତାଙ୍କ ଫ୍ଲପ୍ ଶୋ’ ଜାରି ରହେ, ତା’ହେଲେ ଖୁବ୍ଶୀଘ୍ର ତାଙ୍କୁ ବସାଇ ଦିଆଯିବ। କାରଣ ଶ୍ରେୟସ ଆୟରଙ୍କ ଭଳି ଖେଳାଳି ଅପେକ୍ଷା କରି ରହିଛନ୍ତି।
ସରଣଦୀପ କହିଛନ୍ତି, ଆମ ବୋଲିଂ ବିଭାଗ ବଢ଼ିଆ ଖେଳୁଛି। ବୁମ୍ରା ଜଣେ ମାଷ୍ଟରପିସ୍। ସେ ଯେମିତି ଭାବେ ସେଞ୍ଚରିଅନ୍ରେ ବୋଲିଂ କଲେ ତା’ର ଯେତେ ପ୍ରଶଂସା କଲେ ବି କମ୍ ହେବ। ଭାରତ ନିଶ୍ଚୟ ଏହି ସିରିଜ୍ ଜିତିବ।
ସୂଚନାଯୋଗ୍ୟ, ସେଞ୍ଚୁରିଅନରେ ଦୁଇଟି ଯାକ ଇନିଂସ୍ରେ ପୂଜାରା ଫେଲ୍ ମାରିଥିଲେ। ପ୍ରଥମ ଇନିଂସରେ ସେ ଖାତା ଖୋଲି ପାରି ନଥିଲେ। ସେହିପରି ଦ୍ୱିତୀୟ ଇନିଂସ୍ରେ ସେ ମାତ୍ର ୧୬ ରନ୍ କରି ଆଉଟ୍ ହୋଇଯାଇଥିଲେ। ଅନ୍ୟପକ୍ଷରେ ଭାରତୀୟ ବୋଲରମାନେ ଦକ୍ଷିଣ ଆଫ୍ରିକାକୁ ଦୁଇଟି ଯାକ ଇନିଂସ୍ରେ ୨୦୦ ଭିତରେ ସୀମିତ କରି ରଖି ଦେଇଥିଲେ। ଫଳରେ ଦଳ ୧୧୩ ରନ୍ର ବଡ଼ ବିଜୟ ହାସଲ କରିଥିଲା। ସେଞ୍ଚୁରିଅନରେ ଏହା ଭାରତର ପ୍ରଥମ ଟେଷ୍ଟ ବିଜୟ ଥିଲା। ଯଦି ଦଳ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟକୁ ଜିତି ଯାଏ, ତା’ହେଲେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ପାଇଁ ଟେଷ୍ଟ ସିରିଜ୍ ଜିତିବାର ଇତିହାସ ରଚିବ। ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ ଜୋହନେସବର୍ଗରେ ଖେଳାଯିବ।
The post ଚେତେଶ୍ୱରଙ୍କୁ ପୂର୍ବତନ ଚୟନକର୍ତ୍ତାଙ୍କ ଚେତାବନୀ appeared first on Odisha Reporter.
from Odisha Reporter https://ift.tt/3mKFqon
No comments:
Post a Comment