ନୂଆଦିଲ୍ଲୀ: ଚଳିତବର୍ଷ ପଞ୍ଜାବ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଟାଇମ୍ସ ନାଓ ନବଭାରତ ପାଇଁ ଭେଟୋ ନାମକ ଗୋଟିଏ ସଂସ୍ଥା ଲୋକଙ୍କ ମତକୁ ନେଇ ସର୍ଭେ ରିପୋର୍ଟ ପ୍ରକାଶ କରିଛି। ସର୍ଭେ ରିପୋର୍ଟ ଅନୁଯାୟୀ, ପଞ୍ଜାବରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ ସବୁ ରାଜନୀତିକ ଦଳକୁ ପଛରେ ପକାଇବ।
କିନ୍ତୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହାସଲ କରିପାରିବ ନାହିଁ। ଏବେ କ୍ଷମତାରେ ଥିବା କଂଗ୍ରେସ ଦ୍ୱିତୀୟ ସ୍ଥାନକୁ ଖସିବାର ସମ୍ଭାବନା ଥିବା ଏହି ସର୍ଭେ ରିପୋର୍ଟରେ କୁହାଯାଇଛି। ଏହାବାଦ ଉତ୍ତରାଖଣ୍ଡ ଓ ଗୋଆରେ ମଧ୍ୟ ଆପ୍ ନିଜର ଉପସ୍ଥିତି ଜାହିର କରିବାରେ ସକ୍ଷମ ହେବ। ଯଦି ଏହି ସର୍ଭେ ରିପୋର୍ଟ ସତ ପ୍ରମାଣିତ ହୁଏ, ତା’ହେଲେ ଜାତୀୟ ସ୍ତରରେ ଆପ୍ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିବା ପାଇଁ ଦୀର୍ଘ ଦିନ ହେଲା କରୁଥିବା ପ୍ରୟାସରେ ସଫଳ ହୋଇପାରିବ।
ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ପଞ୍ଜାବ ବିଧାନସଭାର ୧୧୭ ଆସନରୁ ଆପ୍ ୫୩ରୁ ୫୭ଟି ସ୍ଥାନରେ ଜିତିବ। କଂଗ୍ରେସ ୪୧ରୁ ୪୫ ଆସନରେ ସୀମିତ ରହିବ। ଅକାଳୀ ଓ ଏହାର ସହଯୋଗୀ ଦଳମାନେ ୧୪ରୁ ୧୫ଟି ଆସନରେ ଜିତିପାରନ୍ତି। ସେହିପରି ବିଜେପି ଓ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ମେଣ୍ଟ ପଞ୍ଜାବରେ ନିଜର ଛାପ ଛାଡ଼ିବାରେ ସଂଘର୍ଷ କରିବେ। ଏହି ମେଣ୍ଟ ୧ରୁ ୩ ଓ ଅନ୍ୟାନ୍ୟ ଦଳ ୧-୩ ଆସନ ଜିତି ପାରନ୍ତି।
୨୦୧୭ ପଞ୍ଜାବ ବିଧାନସଭା ନିର୍ବାଚନରେ ଆପ୍ ୨୦ଟି ଆସନ ଜିତିଥିବା ବେଳେ କଂଗ୍ରେସ ୭୭ଟି, ଅକାଳୀ ମେଣ୍ଟ ୧୫, ବିଜେପି ମେଣ୍ଟ ୩ ଓ ଅନ୍ୟାନ୍ୟ ଦଳ ୨ଟି ଆସନ ଜିତିଥିଲେ।
ଉତ୍ତରାଖଣ୍ଡରେ ବିଜେପି ବେଶ ଆରାମରେ କ୍ଷମତା ବଜାୟୀ ରଖିବ ବୋଲି ସର୍ଭେରେ କୁହାଯାଇଛି। ରାଜ୍ୟର ୭୦ଟି ଆସନରୁ ବିଜେପି ୪୨ରୁ ୪୮ଟି ସ୍ଥାନରେ ଜିତିବ। କଂଗ୍ରେସ ୧୨ରୁ ୧୬ ଓ ଆପ୍ ୪ଟିରୁ ୭ଟି ଆସନରେ ଜିତି ବିଧାନସଭାରେ ପ୍ରବେଶ ପାଇଁ ଯୋଗ୍ୟତା ଅର୍ଜନ କରିବ।
ଅନ୍ୟାନ୍ୟ ଦଳ ୦ରୁ ୨ଟି ଆସନ ଜିତି ପାରନ୍ତି। ବିଜେପି ଉତ୍ତରାଖଣ୍ଡରେ ପୁଣି ସରକାର ଗଠନ ପାଇଁ ବହୁମତ ପାଇବାକୁ ଥିଲେ ହେଁ ଦଳର ଆସନ ସଂଖ୍ୟା ହ୍ରାସ ପାଇବ। କାରଣ ୨୦୧୭ରେ ବିଜେପି ଏଠାରେ ୫୬ଟି ଆସନ ଜିତିଥିଲା। କଂଗ୍ରେସ ୧୧, ଆପ୍ ଶୂନ ଓ ଅନ୍ୟାନ୍ୟ ଦଳ ୨ଟି ଆସନରେ ଜିତିଥିଲେ।
ଗୋଆରେ ହୋଇଥିବା ସର୍ଭେ ଯଦି ସତ ହୁଏ, ତା’ହେଲେ ଆପ୍ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହେବ। ଏଠାରେ ପୁଣି ବିଜେପି ସରକାର ଗଠନ କରିବ। ହେଲେ କଂଗ୍ରେସ ବିରୋଧୀ ଦଳର ମାନ୍ୟତା ହରାଇବ। ୨୦୧୭ରେ କଂଗ୍ରେସ ସର୍ବବୃହତ୍ତ ଦଳ ଭାବେ ସାମ୍ନାକୁ ଆସିଥିଲା। କିନ୍ତୁ ଏଥର ଦଳ ୪ରୁ ୬ଟି ଆସନ ଜିତିପାରେ।
ବିଜେପି ୧୮ରୁ ୨୨ ଓ ଆପ୍ ୭ରୁ ୧୧ଟି ଆସନ ଜିତିବାର ସମ୍ଭାବନା ରହିଛି। ଗୋଆରେ ନିଜର ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଥିବା ମମତା ବାନାର୍ଜୀଙ୍କ ଟିଏମସି ଅତି ବେଶୀରେ ୨% ଭୋଟ ପାଇପାରେ।
The post ସର୍ଭେ ରିପୋର୍ଟ: ପଞ୍ଜାବରେ ସମସ୍ତଙ୍କୁ ପଛରେ ପକାଇବ କେଜ୍ରିୱାଲଙ୍କ ଆପ୍, କିନ୍ତୁ.. appeared first on Odisha Reporter.
from Odisha Reporter https://ift.tt/3EPAG7p
No comments:
Post a Comment