ନୂଆଦିଲ୍ଲୀ: ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ତମ୍ବି ତୋଫାନ ଓ ଆରୋପ ପ୍ରତ୍ୟାରୋପ ଜୋରସୋରରେ ଲାଗି ରହିଥିବା ବେଳେ ଏହି ଘଟଣାକୁ ନେଇ ପଞ୍ଜାବ ପୁଲିସ୍ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ସାଂଘାତିକ ତ୍ରୁଟି ବୋଲି କହି ଏହା ଉପରେ ପଞ୍ଜାବ ସରକାରଙ୍କଠାରୁ ଜବାବ ମାଗିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ।
ଏହି ଘଟଣାର ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ୩ ଜଣିଆ ଟିମ୍ ଗଠିତ ହୋଇଥିବା ବେଳେ ରାଜ୍ୟ ବି ଗଠନ କରିଛି ୩ ଜଣିଆ ପ୍ୟାନେଲ୍। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗଠିତ ୩ ଜଣିଆ ଟିମ୍ରେ ମନ୍ତ୍ରିମଣ୍ଡଳ ସଚିବାଳୟର ସଚିବ ସୁଧୀର କୁମାର ସକସେନା, ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ର ଜଏଣ୍ଟ ଡାଇରେକ୍ଟର ବଲବୀର ସିଂହ ଓ ବିଶେଷ ସୁରକ୍ଷା ଗ୍ରୁପ୍ (SPG)ର ଆଇଜି ଏସ୍ ସୁଶୀଲ ସାମିଲ ଅଛନ୍ତି। ଏହି ଟିମ୍ ଆଜି ଫିରୋଜପୁର ନିକଟ ଫ୍ଲାଏ ଓଭରରେ ପହଞ୍ଚି ଘଟଣାସ୍ଥଳରେ ଖୋଳତାଡ଼ କରୁଛି। ପୁଲିସ୍, ଗୁଇନ୍ଦା ଓ ଅନ୍ୟ ସୁରକ୍ଷା ଏଜେନ୍ସି କିପରି ରାଲି ଚାଲିଥିବା କଥା ଜାଣି ପାରିଲେନି, ସେ ଦିଗକୁ ନେଇ ତଦନ୍ତ ହେଉଛି।
ସେପଟେ ଏହି ମାମଲାର ତଦନ୍ତ ପାଇଁ ପଞ୍ଜାବ ସରକାରଙ୍କ ପକ୍ଷରୁ ମଧ୍ୟ ୩ ଜଣିଆ ପ୍ୟାନେଲ ଗଠିତ ହୋଇଛି। ୩ ଦିନରେ ଏହି ପ୍ୟାନେଲ ରିପୋର୍ଟ ପ୍ରଦାନ କରିବା ପରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚନ୍ନି କହିଛନ୍ତି।
ଅପରପକ୍ଷେ, ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗକୁ ନେଇ ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ହେବ। ପ୍ରଧାନ ବିଚାରପତି ଏନଭି ରମଣା ଏହି ମାମଲାରେ ଶୁଣାଣି କରିବେ।
ଦୁଇ ଦିନ ତଳେ ଭାରତ-ପାକିସ୍ତାନ ସୀମା ଫିରୋଜପୁର ନିକଟ ଓଭରବ୍ରିଜ୍ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍କୁ ୧୫ରୁ ୨୦ ମିନିଟ ଅଟକିବାକୁ ପଡ଼ିଥିଲା। ଚାଷୀଙ୍କ ରାଲି ଯୋଗୁ ରାସ୍ତା ଜାମ୍ ଥିବାରୁ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଆଗକୁ ବଢ଼ି ପାରିନଥିଲା ଫଳରେ ପ୍ରଧାନମନ୍ତ୍ରୀ ତାଙ୍କ ଫିରୋଜପୁର କାର୍ଯ୍ୟକ୍ରମକୁ ବାତିଲ କରି ନୂଆଦିଲ୍ଲୀ ଫେରି ଯାଇଥିଲେ।
ଶେଷ ମୁହୂର୍ତ୍ତରେ ପ୍ଲାନ୍ରେ ପରିବର୍ତ୍ତନ ଯୋଗୁ ଏପରି ସମସ୍ୟା ଦେଖାଦେଲା ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି।। ସେ କହିଛନ୍ତି, ପ୍ରଥମେ ହେଲିକପ୍ଟରରେ ପ୍ରଧାନମନ୍ତ୍ରୀ ସଭା ସ୍ଥଳକୁ ଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ପ୍ଲାନ୍ରେ ପରିବର୍ତ୍ତନ କରାଯାଇ ପ୍ରଧାନମନ୍ତ୍ରୀ କାର୍ରେ ସଭାସ୍ଥଳ ଅଭିମୁଖେ ବାହାରିଥିବା ବେଳେ ଏପରି ସ୍ଥିତି ଉପୁଜିଲା ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି।
The post ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣାରେ ମାମଲା ରୁଜୁ, ଫିରୋଜପୁରରେ କେନ୍ଦ୍ରୀୟ ଟିମ୍ appeared first on Odisha Reporter.
from Odisha Reporter https://ift.tt/3n3YLRY
No comments:
Post a Comment