ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଛାତ୍ର ନେତା ଉମର ଖାଲିଦଙ୍କ ଜାମିନ ଆବେଦନକୁ ସ୍ୱତନ୍ତ୍ର ସରକାରୀ ଓକିଲ ଜୋରଦାର ବିରୋଧ କରିଛନ୍ତି। ଏଥିସହ ସେ ଖାଲିଦଙ୍କ ଜାମିନ ଆବେଦନକୁ ବିରୋଧ କରିବା ପାଇଁ ଆମେରିକାରେ ଅଲକାଏଦା ପକ୍ଷରୁ ହୋଇଥିବା ୯/୧୧ ହମଲାର ଉଦାହରଣ ମଧ୍ୟ ଦେଇଛନ୍ତି।
ସ୍ୱତନ୍ତ୍ର ସରକାରୀ ଓକିଲ ଅମିତ ପ୍ରସାଦ ଆଡିସନାଲ ସେସନ୍ସ ଜଜ୍ ଅମିତାଭ ରାୱତଙ୍କ ଆଗରେ ୯/୧୧ ହମଲାର ଉଦାହରଣ ଦେଇ ଉମର ଖାଲିଦଙ୍କ ଦାବିକୁ କାଉଣ୍ଟର କରିଛନ୍ତି। ଖାଲିଦ ହ୍ୱାଟସଆପ୍ ଗ୍ରୁପରେ କେବଳ ୫ଟି ମେସେଜ କରିଥିଲେ ଓ ହିଂସା ବେଳେ ସେ ଘଟଣା ସ୍ଥଳରେ ଉପସ୍ଥିତ ନଥିଲେ ବୋଲି ତାଙ୍କ ଓକିଲ ଯୁକ୍ତି ରଖିଥିଲେ।
ଏହାପରେ ଶ୍ରୀ ପ୍ରସାଦ ଚାର୍ଜଶିଟ୍ରେ ପୁଲିସ୍ ଲେଖିଥିବା ତଥ୍ୟକୁ ଆଧାର କରି କହିଥିଲେ ଯେ ଖାଲିଦଙ୍କ ଭଳି ଲୋକମାନେ ଆନ୍ଦୋଳନ ସ୍ଥଳରେ ଘଟୁଥିବା ଘଟଣାକୁ ରିମୋଟ ଦ୍ୱାରା ପରିଚାଳନା କରୁଥିଲେ। ଠିକ୍ ୯/୧୧ ହମଲା ଭଳି। ୯/୧୧ରେ ହୋଇଥିବା ହମଲା ବେଳେ ଷଡ଼ଯନ୍ତ୍ରକାରୀମାନେ ମଧ୍ୟ ଆମେରିକାରେ ନଥିଲେ। କିନ୍ତୁ ସେମାନେ ପୂରା ହମଲାକୁ ନିଜ ଇସାରାରେ ପରିଚାଳନା କରିଥିଲେ।
ଫେବୃଆରୀ ୧୭ରେ ଆନ୍ଦୋଳନ ହିଂସାତ୍ମକ ରୂପ ନେବ ବୋଲି ସଙ୍କେତ ମିଳିଥିଲା। ଏହି ମେସେଜ ହ୍ୱାଟସଆପ୍ ଗ୍ରୁପରେ ଆସିଥିଲା। ଖାଲିଦ ଏହି ଗ୍ରୁପରେ ଥିଲେ। ଉମର ଖାଲିଦ ଓ ଦିଲ୍ଲୀର ଦଙ୍ଗାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସର୍ଜିଲ ଇମାମଙ୍କ ମଧ୍ୟରେ ସମ୍ପର୍କ ରହିଛି। ସର୍ଜିଲ ଇମାମଙ୍କ ମାର୍ଗଦର୍ଶକ ଭାବେ ଉମର ଖାଲିଦ କାର୍ଯ୍ୟ କରୁଥିଲେ। ଉଭୟ ଜଙ୍ଗପୁରାରେ ମିଟିଂ ବି କରିଥିଲେ। ଏହାର ଫଟୋ ସେ କୋର୍ଟଙ୍କୁ ଦେଖାଇଛନ୍ତି।
ଓକିଲ ଅମିତ ପ୍ରସାଦ କହିଛନ୍ତି, “ଜାଫରାବାଦରେ ପ୍ରଥମ ଚକା ଜାମ ହୋଇଥିଲା। ଏଠାରେ ଉମର ଖାଲିଦ ସେଦିନ ପିଞ୍ଜା ତୋଦକୁ ଭେଟିଥିଲେ। ସେଠାରେ ଏଭଳି ଲୋକଙ୍କ ଉପସ୍ଥିତି ଆଦୌ ସ୍ୱାଭାବିକ ଭାବେ ଘଟି ନଥିଲା। ଏହା ପଛରେ ବିରାଟ ଷଡ଼ଯନ୍ତ୍ର ଥିଲା। ଏହି ପ୍ରସଙ୍ଗ ଆଦୌ ସିଏଏ କିମ୍ବା ଏନଆରିସିର ନୁହେଁ।
ସରକାରଙ୍କୁ ବଦନାମ କରିବା ହିଁ ମୂଳ ଉଦ୍ଦେଶ୍ୟ ଥିଲା। ସେମାନେ ଦେଇଥିବା ବୟାନରୁ ଏହା ସ୍ପଷ୍ଟ ହେଉଛି। ଅନ୍ତର୍ଜାତୀୟ ସ୍ତରରେ ଭାରତ ଓ ଭାରତ ସରକାରଙ୍କୁ ବଦନାମ ପାଇଁ ଷଡ଼ଯନ୍ତ୍ର ହୋଇଛି। “ବାବ୍ରୀ, ଟ୍ରିପଲ ତଲାକର କଷ୍ଟ ରହିଛି, ଧାରା ୩୭୦ ଉଚ୍ଛେଦର କ୍ଷତ ବି ମନରେ ରହିଛି” ଏହି ବୟାନ ଆଦୌ ସିଏଏ କିମ୍ବା ଏନଆରସି ସହ ଜଡ଼ିତ ନୁହେଁ। ଏହା ଧାର୍ମିକ ପ୍ରସଙ୍ଗ। ଲୋକଙ୍କୁ ଉସକାଇ ଦଙ୍ଗା କରିବା ପାଇଁ ଏପରି ପ୍ରସଙ୍ଗ ଉଠା ଯାଇଥିଲା।”
କୋର୍ଟ ଏହା ଶୁଣିବା ପରେ ଖାଲିଦଙ୍କ ଆବେଦନର ଶୁଣାଣି ପୁଣି ଆଜି(ଶନିବାର) କରିବେ ବୋଲି କହିଛନ୍ତି।
The post ୯/୧୧ ହମଲାର ଉଦାହରଣ ଦେଇ ଉମର ଖାଲିଦଙ୍କ ଜାମିନ ଆବେଦନକୁ ବିରୋଧ appeared first on Odisha Reporter.
from Odisha Reporter https://bit.ly/3IH28GC
No comments:
Post a Comment