ମୁମ୍ବାଇ: ବିଜେପି ସହ ଦୀର୍ଘ ୨୫ ବର୍ଷ ମେଣ୍ଟ କରିଥିବା ଶିବସେନା ଏବେ ବଡ଼ ବୟାନ ଦେଇଛି। ବିଜେପି ସହ ମେଣ୍ଟ କରି ଶିବସେନା ୨୫ ବର୍ଷ ନଷ୍ଟ କରିଛି ବୋଲି କହିଛନ୍ତି ଦଳର ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ରବିବାର ଶିବ ସୈନିକର ଭର୍ଚୁଆଲ ରାଲିକୁ ସମ୍ବୋଧନ କରି ଉଦ୍ଧବ କହିଛନ୍ତି, ମହାରାଷ୍ଟ୍ର ବାହାରେ ଶିବସେନା ନିଜର ଭାଗ୍ୟ ପରୀକ୍ଷା କରିବ ଓ ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ହିନ୍ଦୁତ୍ୱର ଶକ୍ତି ବୃଦ୍ଧି ପାଇଁ ଶିବସେନା ଦୀର୍ଘ ବର୍ଷ ହେଲା ବିଜେପି ସହ ମେଣ୍ଟ କରିଥିଲା। ଶିବସେନା କେବେ ବି କ୍ଷମତା ପାଇଁ ହିନ୍ଦୁତ୍ୱକୁ ବ୍ୟବହାର କରିନାହିଁ। କ୍ଷମତା ବଳରେ ହିନ୍ଦୁତ୍ୱ ଏଜେଣ୍ଡାକୁ ଶିବସେନା ଆଗକୁ ନେବାକୁ ଚେଷ୍ଟା କରୁଥିଲା ଓ କରୁଛି। ଏଥିପାଇଁ ଦଳ ବିଜେପି ସହ ମେଣ୍ଟ କରିଥିଲା। ହେଲେ ବିଜେପି କେବଳ କ୍ଷମତା ପାଇଁ ହିନ୍ଦୁତ୍ୱର ବ୍ୟବହାର କରୁଛି ବୋଲି ସେ କହିଛନ୍ତି।
ଶ୍ରୀ ଠାକରେ ତାଙ୍କ ଦଳ ମହାରାଷ୍ଟ୍ରରେ ଏନସିପି ଓ କଂଗ୍ରେସ ସହ କରିଥିବା ମେଣ୍ଟକୁ ଠିକ୍ ବୋଲି କହିଛନ୍ତି। ସେ କହିଛନ୍ତି, “ଆମେ ବିଜେପିକୁ ହୃଦୟର ସହ ସମର୍ଥନ କରୁଥିଲି। ସେମାନଙ୍କ ଜାତୀୟ ସ୍ତରର ଲକ୍ଷ୍ୟକୁ ପୂରଣ କରିବାରେ ଆମେ ସହାୟତା କରିଥିଲୁ। ବୁଝାମଣା ଅନୁଯାୟୀ ସେମାନେ ଜାତୀୟ ସ୍ତରକୁ ଯିବେ ଓ ଆମେ ମହାରାଷ୍ଟ୍ରର ନେତୃତ୍ୱ ନେବୁ।
କିନ୍ତୁ ଆମ ସହ ଧୋକ୍କା ହେଲା। ସେମାନେ ଆମକୁ ଆମ ଘରେ ହିଁ ଧ୍ୱଂସ କରିଦେବାକୁ ଚେଷ୍ଟା କଲେ। ତେଣୁ ଆମେ ଏହାର ଜବାବ ଦେଇଛୁ।” ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ଓ ଶିବସେନା ଏକାଠି ଲଢ଼ିଥିଲେ। ହେଲେ ନିର୍ବାଚନ ପରେ ଉଭୟ ଦଳ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଶେଷରେ ଶିବସେନା ମେଣ୍ଟରୁ ଓହରି ଯାଇ କଂଗ୍ରେସ ଓ ଏନସିପି ସହ ମେଣ୍ଟ କରି ମହାରାଷ୍ଟ୍ରରେ ସରକାର ଗଠନ କରିଛି।
ଉଦ୍ଧବ ଠାକରେ ଆହୁରି କହିଛନ୍ତି, “ବିଜେପି ସହ ମେଣ୍ଟ କରି ଶିବସେନା ୨୫ ବର୍ଷ ବରବାଦ କରିଥିବା ବୟାନରେ ମୁଁ କାଏମ ରହିଛି। ନୂଆ ସହଯୋଗୀ ଏନସିପି ଓ କଂଗ୍ରେସ ତୃଣମୂଳ ସ୍ତରରେ ବିଭିନ୍ନ ପ୍ରତିଷ୍ଠାନ କରିଛନ୍ତି। ଆମେ ମଧ୍ୟ ସେହି ଦିଗରେ ଯାଉଛୁ। ଗତ ୨ ବର୍ଷ ମଧ୍ୟରେ ଆମେ ଦୁଇଟି ବିଧାନ ପରିଷଦ ଆସନ ହାରିଛୁ। ପୂର୍ବରୁ ଏହି ଆସନ ଆମ ପାଖରେ ଥିଲା। ମୁଁ ଭାବୁଛି ଆମର ଅବହେଳା ଯୋଗୁ ଆମେ ହାରିଛେ। ତେଣୁ ଏଥିପ୍ରତି ସତର୍କ ରହିବାକୁ ହେବ।”
The post ବିଜେପି ସହ ୨୫ ବର୍ଷ ଏକାଠି ଥିଲା ଶିବସେନା, ଏବେ ଅନୁତାପ କରୁଛି appeared first on Odisha Reporter.
from Odisha Reporter https://ift.tt/3qRWawG
No comments:
Post a Comment