ନୂଆଦିଲ୍ଲୀ: ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଧର୍ମୀୟ ଭାବନା ସହ ଜଡ଼ିତ କୌଣସି ପୋଷାକ ପିନ୍ଧି ଶିକ୍ଷାନୁଷ୍ଠାନକୁ ଆସିପାରିବେ ନାହିଁ। ହିଜାବ ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟଙ୍କ ପକ୍ଷରୁ ଗତକାଲି ଏପରି ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଏହି ଅନ୍ତରୀଣ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶ ସେମାନଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଥିବା ଆବେଦନକାରୀ ଦର୍ଶାଇଛନ୍ତି।
କର୍ଣ୍ଣାଟକ ହାଇକୋର୍ଟର ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଥିଲେ, ଖୁବ୍ ଶୀଘ୍ର ଏହି ମାମଲାର ସମାଧାନ କରାଯିବ। ତେଣୁ ଏହି ମାମଲାର ଫଇସଲା ନ ହେବା ଯାଏ ଶାନ୍ତି ଓ ସଦଭାବନା ବଜାୟ ରଖିବା ଉଚିତ। ଏହି ମାମଲାର ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନ ପରିସରରେ ଧାର୍ମିକ ପୋଷାକ ପରିଧାନ କରିବାକୁ ଜିଦ୍ କରିବା ଉଚିତ ନୁହେଁ। କାରଣ ରାଜ୍ୟରେ ଶାନ୍ତି ବଜାୟ ରହୁ ବୋଲି ସମସ୍ତେ ଚାହାଁନ୍ତି।
ସମଗ୍ର କର୍ଣ୍ଣାଟକରେ ହିଜାବ ବିବାଦ ତେଜିବାରେ ଲାଗିବାରୁ କର୍ଣ୍ଣାଟକ ସରକାର ଗତ ୮ ତାରିଖରୁ ୩ ଦିନ ପାଇଁ ରାଜ୍ୟର ସମସ୍ତ ସ୍କୁଲ, କଲେଜକୁ ବନ୍ଦ କରିଦେଇଥିଲେ। ଏହାର ଅବଧି ଆଜି ସରୁଛି। ଉତ୍ତେନାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ରାଜ୍ୟରେ Karnataka Education Act-1983 ର ଧାରା ୧୩୩ ଲାଗୁ କରି ଦେଇଛନ୍ତି। ତେଣୁ ଏବେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ, କଲେଜରେ ୟୁନିଫର୍ମକୁ ବାଧ୍ୟତାମୂଳକ କରାଯାଇଛି। ଏହାକୁ ବିରୋଧ କରି କିଛି ଆବେଦନକାରୀ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ କଂଗ୍ରେସ ୟୁଥ ୱିଙ୍ଗ ଅଧ୍ୟକ୍ଷ ବିବି ଶ୍ରୀନିବାସ ବି ସାମିଲ ଅଛନ୍ତି। ଏହା ଧର୍ମନିରପେକ୍ଷତାର ଉଲ୍ଲଘଂନ ବୋଲି କହିଛନ୍ତି ଆବେଦନକାରୀ।
କର୍ଣ୍ଣାଟକ ଉଡ଼ୁପିର ଏକ ସରକାରୀ କଲେଜ ପରିସରରେ ମୁସଲିମ୍ ଛାତ୍ରୀ ଗତ ମାସରେ ହିଜାବ ପିନ୍ଧିବାକୁ ନେଇ ତୁମ୍ବିତୋଫାନ ସୃଷ୍ଟି ହେବା ପରେ ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ମୁସଲିମ୍ ଛାତ୍ରୀମାନେ ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ମାମଲାର ଶୁଣାଣି ଶେଷ ନ ହେବା ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ ଧାର୍ମିକ ପୋଷାକ ପରିଧାନ ଉପରେ କର୍ଣ୍ଣାଟକ ହାଇକୋର୍ଟ ରୋକ ଲଗାଇବାରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆବେଦନକାରୀ।
The post ସୁପ୍ରିମକୋର୍ଟରେ ହିଜାବ ମାମଲା: ଆବେଦନକାରୀ କହିଲେ, ମୌଳିକ ଅଧିକାର କ୍ଷୁଣ୍ଣ ହେଉଛି appeared first on Odisha Reporter.
from Odisha Reporter https://ift.tt/IUozfuV
No comments:
Post a Comment